ମୁକ୍ତିପଥର ସୈନିକ-ପବିତ୍ର ମୋହନ

0

ସେ ଥିଲେ ମୁକ୍ତିପଥର ସୈନିକ । ତାଳଚେର ଗଡ଼ଜାତର ଆଲୋକ ।ତାଙ୍କର ଆହ୍ୱାନରେ କି ମନ୍ତ୍ରଥିଲା କେଜାଣି ତତ୍‌କାଳୀନ ତାଳଚେରର ୮୪ ହଜାର ପ୍ରଜା ମଧ୍ୟରୁ ୬୦ ହଜାର ପ୍ରଜା ଭିଟାମାଟି ଛାଡ଼ି ଦୁଇଦୁଇଥର ଚାଷବାସ ଛାଡ଼ି ପଡ଼ୋଶୀ ରାଜ୍ୟ ଅନୁଗୋଳରେ ପୃଥିବୀ ପ୍ରସିଦ୍ଧ ହିଜରାତ କରିଥିଲେ । ଖୋଲା ଆକାଶ ତଳେ ପତ୍ରକୁଡ଼ିଆ କରି, ଶୀତ କାକରକୁ ଭୃକ୍ଷେପ ନକରି ଯେଉଁପରି ଭାବରେ ହିଜାରତ କରିଥିଲେ ତାହାକୁ ମହାତ୍ମାଗାନ୍ଧୀ ପ୍ରଶଂସା କରି ହରିଜନ ପତ୍ରିକାରେ ସୁନ୍ଦର ମନ୍ତବ୍ୟ ପ୍ରଦାନ କରିଥିଲେ । ବାସ୍ତବିକ ସେ ଥିଲେ ଏପରି ଏକ ମହାମାନବ ଯିଏ History କୁ His Story  ଅର୍ଥାତ୍ ତାଳଚେର ଗଡ଼ଜାତ ଆନ୍ଦୋଳନ ଇତିହାସ ନିଜର ଜନ୍ମ ଇତିହାସ ରେ ହିଁ ପରିଣତ କରାଇପାରିଥିଲେ ।

୧୯୦୮ ଫେବୃୟାରୀ ୮ ତାରିଖ ଦିନ ପବିତ୍ର ମୋହନ ତାଳଚେର ଗଡ଼ଜାତ ରାଜ୍ୟର ଏକ କ୍ଷୁଦ୍ରପଲ୍ଲୀ ପୋଇପାଳ ଠାରେ ପିତା ଭରତଚନ୍ଦ୍ର ପ୍ରଧାନ ଓ ମାତା ଶାନ୍ତିଦେବୀଙ୍କର କୋଳମଣ୍ଡନ କରିଥିଲେ । ଇତିହାସର ଅନ୍ୟାନ୍ୟ ମହାପୁରୁଷ ମାନଙ୍କର ଜୀବନ ପରି ପବିତ୍ର ମୋହନଙ୍କ ବାଲ୍ୟଜୀବନ ଦୁଃଖ ଓ ଯାତନା ମଧ୍ୟରେ ଅତିବାହିତ ହୋଇଥିଲା । ପବିତ୍ର ମୋହନଙ୍କୁ ଯେତେବେଳେ ୩ ମାସ ୧୫ ଦିନ ସେତେେବେଳ ପିତା ଭରତଚନ୍ଦ୍ର ହଇଜା ରୋଗରେ ମୃତ୍ୟୁବରଣ କଲେ । ଅତି ବାଲ୍ୟାବସ୍ଥାରୁ ତାଙ୍କର ମାତୃବିୟୋଗ ଘଟିଥିଲା । ତେଣୁ ବାଳକ ପବିତ୍ର ମୋହନଙ୍କ ଲାଳନ ପାଳନ ଦାୟିତ୍ୱ ପଡ଼ିଥିଲା ତାଙ୍କ ବଡ଼ଭାଇ ମାଗତାଙ୍କ ଉପରେ ।

ପବିତ୍ର ମୋହନଙ୍କ ବାଲ୍ୟଶିକ୍ଷା ଗାଁ ଚାଟଶାଳୀରେ ଶେଷ ହେବା ପରେ ନିକସସ୍ଥ ଗ୍ରାମ ଶିପୁର ଉ.ପ୍ରା ବିଦ୍ୟାଳୟରେ ଦୁଇବର୍ଷ ପଢ଼ି ତାଳଚେର ରାଜ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ମାସିକ ଏକ ଟଙ୍କା ଛାତ୍ର ବୃତ୍ତି ପାଇ ଅତିକଷ୍ଟରେ ମାଟ୍ରିକ୍ ପାଶ କଲେ । କଟକ ରେଭେନ୍ସା କଲେଜରେ ମାସିକ ୧୦ ଟଙ୍କା ଛାତ୍ରବୃତ୍ତି ପାଇ ଆଇଏ ଓ ମାସିକ ୭ ଟଙ୍କା ଟିଉସନରୁ ଆୟ କରି ଅତିକଷ୍ଟରେ ବିଏ ପାସ୍ କଲେ । ରାଧାନାଥ ଟ୍ରେନିଂ କଲେଜରୁ ଡି.ଇଡି ପାସ୍ କରି ତାଳଚେର ରାଜ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକ ଭାବରେ ନିଯୁକ୍ତି ପାଇଲେ । ବାଳକ ସମୟରୁ ପବିତ୍ର ମୋହନ ଦେଖୁଥିଲେ ରାଜତନ୍ତ୍ରର କଷାଘାତରେ ତାଳଚେରବାସୀ କିପରି ଯନ୍ତ୍ରଣା ଜର୍ଜରିତ ହୋଇଥିଲେ । ରସଦମସଦ, ଭେଟି, ବେଠି, ମାଗଣ, ବେଗାରି ଇତ୍ୟାଦି କରଭାରରେ ପ୍ରଜାକୁଳ ତ୍ରାହି ତ୍ରାହି ଡ଼ାକ ଦେଉଥିଲେ । ଲୋକମାନଙ୍କୁ ବେଶୀ କଷ୍ଟ ଦେଉଥିଲା ରାଜାଙ୍କର ମା’ ଭଉଣୀଙ୍କ ଇଜ୍ଜତ ଲୁଟ୍ କଥା । ଅବଶ୍ୟ ପ୍ରଜାକୁଳ ଏହାକୁ ମଥାପାତି ସହିଯାଇନଥିଲେ ।

୧୯୧୧ ମସିହାରେ ବ୍ରାହ୍ମଣ ବିଦ୍ରୋହ ଓ ୧୯୨୨ ମସିହାରେ କ୍ଷତ୍ରୀୟ ବିଦ୍ରୋହକୁ ରାଜା ଦୃଢ଼ହସ୍ତରେ ଦମନ କରିଥିଲେ । କିନ୍ତୁ ୧୯୩୮ ମସିହାରେ ପ୍ରଜାମଣ୍ଡଳ ଆନ୍ଦୋଳନକୁ ରାଜା ଦମନ କରିପାରିନଥିଲେ । ପ୍ରଥମ ବିଦ୍ରୋହ ଦୁଇଟିରେ ଶିକ୍ଷିତ ଯୁବଗୋଷ୍ଠୀର ଅଭାବ ଥିଲା । କିନ୍ତୁ ୧୯୩୮ ମସିହାର ବିପ୍ଲବରେ ପବିତ୍ର ମୋହନ ପ୍ରଧାନ, ରାଶରଥି ପାଣି, ଗୌରୀଶଙ୍କର ପ୍ରଧାନ, ମାଗୁଣି ଚନ୍ଦ୍ର ପ୍ରଧାନ ଓ କୃତ୍ତିବାସ ରଥଙ୍କ ପରି ପଞ୍ଚସଖାଙ୍କ ଆବିର୍ଭାବ ହେଲା, ଯେଉଁମାନେ ଥିଲେ ଉଚ୍ଚଶିକ୍ଷିତ, ଯୁବକ ଓ ଜନ୍ମବେଳେ ଯେଉଁ ତାଳଚେର ଦେଖିଥିଲେ ମୃତ୍ୟୁପୂର୍ବରୁ ଭିନ୍ନ ଏକ ତାଳଚେର ଦେଖି ଆଖି ମୁଜିବେ ବୋଲି ତାଳଚେର ରାଜ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ଶପଥ ନେଇଥିଲେ । ଦ୍ୱିତୀୟତଃ ତାଳଚେରର ବିଭିନ୍ନ ଧନୀକ କୃଷକ ଯଥା ଲକ୍ଷ୍ମୀଧର ରାୟ ଚୌଧୁରୀ, ବାଙ୍କନିଧି ଭକ୍ତ ବଲ୍ଲଭ, ଚନ୍ଦ୍ରଶେଖର ରାଜବଲ୍ଲଭ ସାହିବ ବେହେରା ପ୍ରଧାନ, କନ୍ଦର୍ପ ସୁବୁଦ୍ଧି, ବନମାଳୀ ପ୍ରଧାନ ପ୍ରମୁଖ ବିଦ୍ରୋହକୁ ପୂର୍ଣ୍ଣପ୍ରାଣରେ ସମର୍ଥନ କଲେ । ପବିତ୍ର ମୋହନ ପ୍ରଥମେ ଉପଯୁକ୍ତ ଧନୀକ ବ୍ୟକ୍ତି, ନିଜର ପୁରାତନ ଛାତ୍ର ତଥା ଗ୍ରାମର ମୁଖିଆମାନଙ୍କ ସହିତ ଯୋଗସୂତ୍ର ରକ୍ଷା କରି ବିଦ୍ରୋହ ପାଇଁ ସଜବାଜ ହେଉଥିବା ଜାଣି ରାଜା ପବିତ୍ର ମୋହନଙ୍କୁ ହତ୍ୟା କରି ବ୍ରାହ୍ମଣୀ ନଦୀର ତାବଡ଼ା ଗଣ୍ଡରେ ଫୋପାଡ଼ି ଦେବା ପାଇଁ ମସୁଧା କଲେ । ରାଜାଙ୍କର ଗୁପ୍ତଚର ବଳରାମ ମହାପାତ୍ରଙ୍କ ଠାରୁ ଗୁପ୍ତରେ ଖବର ପାଇ ପବିତ୍ର ମୋହନ ତାଙ୍କର ଅତିପ୍ରିୟ ଛାତ୍ର ଗୋକୁଳାନନ୍ଦ ରଥଙ୍କୁ ସାଥିରେ ଧରି ଝାଡ଼ାଯିବା ବାହାନାରେ ତାଳଚେର ରାଜ୍ୟ ଛାଡ଼ି ଅନୁଗୋଳ ସୀମାନ୍ତ ରାଜ୍ୟକୁ ଚାଲିଗଲେ । ଢ଼େଙ୍କାନାଳ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ସହାୟତାରେ କଟକ ଯାଇ କଂଗ୍ରେସ ଓକିଲ ସ୍ୱାମୀ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା ପବିତ୍ର ମୋହନ ପ୍ରଧାନ ତାଙ୍କ ଚାକିରିର ଇସ୍ତଫା ପତ ତାଳଚେର ରାଜାଙ୍କ ନିକଟକୁ ପଠାଇଦେଲେ ।

୧୯୩୮ ମସିହା ସେପ୍ଟେମ୍ବର ୬ ତାରିଖ ଦିନ କୋଶଳାର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀଙ୍କ ପୀଠ ଠାରେ ତାଳଚେରର ପ୍ରାୟ ଛଅ ହଜାର ପ୍ରଜାଙ୍କୁ ନେଇ ପବିତ୍ର ମୋହନଙ୍କ ସଭାପତିତ୍ୱରେ ଗଠିତ ହେଲାତାଳଚେର ପ୍ରଜାମଣ୍ଡଳ । ୧୯୩୮ ସେପ୍ଟେମ୍ବର ୧୬ ତାରିଖ ଦିନ ପବିତ୍ର ମୋହନ ଏକ ବିରାଟ ପଟୁଆରରେ ତାଳଚେରର ପ୍ରାୟ ଚାଳିଶ ହଜାର ପ୍ରଜାଙ୍କୁ ନେଇ କୋଶଳା ଗ୍ରାମର କାଳୀଚରଣ ଗଡ଼ନାୟକଙ୍କ ଘର ଠାରୁ ମା’ ରାମଚଣ୍ଡୀଙ୍କ ପୀଠ ନିକଟକୁ ଆସି ସମବେତ ଜନତାଙ୍କୁ ରାଜାଙ୍କ ଭେଟି, ବେଠି, ରସଦ, ମସଦ, ମାଗଣ ଇତ୍ୟାଦି ନଦେବା ପାଇଁ ଆହ୍ୱାନ ଦେଲେ । ପବିତ୍ର ମୋହନଙ୍କ ପବିତ୍ର ମନ୍ତ୍ରରେ ଦୀକ୍ଷିତ ହୋଇ ପ୍ରଜାକୁଳ ତାଳଚେର ପ୍ରତ୍ୟାବର୍ତ୍ତନ କଲେ । ରାଜତନ୍ତ୍ର ପବିତ୍ର ମୋହନଙ୍କ ଏତାଦୃଶ କାର୍ଯ୍ୟରେ ବ୍ୟଥିତ  ହୋଇ ବିଦ୍ରୋହକୁ ଦମନ କରିବା ପାଇଁ ପ୍ରଜାକୁଳ ଉପରେ ଅକଥନୀୟ ଅତ୍ୟାଚାର କଲେ । ଗୋରା ଫଉଜ ଓ ନିଜର ଡ଼ମ ପୋଲିସ ବାହିନୀ ଗାଁ ଗଣ୍ଡାରେ ପଶି ଲୁଟତରାଜ, ବେତ୍ରାଘାତ ଓ ମା’ ଉଭଣୀମାନଙ୍କର ଇଜ୍ଜତ ଲୁଟିଲେ । ତେଲିସିଂହାର କନ୍ଦର୍ପ ସୁବୁଦ୍ଧିଙ୍କ ଘରେ ଲୁଟ୍‌ତରାଜ, ବଡ଼ତ୍ରିବିଡ଼ାର ସାହିବ ବେହେରା ପ୍ରଧାନଙ୍କ ଘର ଲୁଟ୍‌ତରାଜ ଓ ଅଗ୍ନିସଂଯୋଗ କରି ଚନ୍ଦ୍ରବିଲ ଗ୍ରାମ ଦେଇ ତାଳଚେର ଫେରୁଥିବା ସମୟରେ ସିଙ୍ଗିଡ଼ା ଯୋଡ଼ରେ ଫଉଜଙ୍କ ଲରି ଅଟକି ଗଲା । ଚନ୍ଦ୍ରବିଲ ଗ୍ରାମବାସୀଙ୍କୁ ଲରିକୁ ଠେଲି ଯୋଡ଼ରୁ ପାର କରିବା ପାଇଁ ଆଦେଶ ଦେଲେ । କିନ୍ତୁ ଆଦିବାସୀ ଯୁବକ ବିକା ନାଏକ ଦୃଢ଼ କଣ୍ଠରେ ଫଉଜଙ୍କୁ ଯବାବ ଦେଇଥିଲେ, “ପ୍ରଜାମଣ୍ଡଳର ନିର୍ଦ୍ଦେଶ ଅଛି, ଆମେ ଆଉ ବେଠି ଖଟିବୁ ନାହିଁ ।” ଗର୍ଜି ଉଠିଲା ବିଦେଶୀ କମାଣ । ସେଦିନ ୧୯୩୮ ମସିହା ସେପ୍ଟେମ୍ବର ୨୩ ତାରିଖର ପ୍ରାକ୍ ସଂଧ୍ୟା ସମୟରେ ହରିଜନ ଯୁବକ ବିକା ନାଏକ ତାଳଚେର ପ୍ରଜାମଣ୍ଡଳର ପ୍ରଥମ ସହୀଦ ହୋଇ ଇତିହାସରେ ନିଜର ନାମକୁ ସ୍ୱର୍ଣ୍ଣାକ୍ଷର ରେ ଲିପିବଦ୍ଧ କଲେ । ପବିତ୍ର ମୋହନ ତାରବାର୍ତ୍ତା ମାଧ୍ୟମରେ ଅନୁଗୋଳ ପ୍ରଜାମଣ୍ଡଳ ଅଫିସରୁ ଗାନ୍ଧିଜୀଙ୍କୁ ଏ ବିଷୟରେ ଅବଗତ କରାଇଲେ । ଗାନ୍ଧିଜୀ ତାଙ୍କର ପରାମର୍ଶ ଡ. ମହତାବ ଓ ଗିରିଜା ଭୂଷଣ ଦତ୍ତଙ୍କ ମାଧ୍ୟମରେ ପବିତ୍ର ମୋହନଙ୍କୁ ଦେଇ କହିଥିଲେ, ଯଦି ତାଳଚେର ରାଜା ଏତେ ନିଷ୍ଠୁର ତେବେ ଅତ୍ୟାଚାରିତ ଜନଗଣ ତାଳଚେର ଛାଡ଼ି ନିକଟବର୍ତ୍ତୀ ରାଜ୍ୟ ଗୁଡ଼ିକରେ ଆଶ୍ରୟ ନିଅନ୍ତୁ ଫଳରେ ବିଶ୍ୱ ଦରବାରରେ ବ୍ରିଟିଶ ସରକାର ଓ ତାଳଚେର ରାଜତନ୍ତ୍ରର ଅସଲ ମୁଖା ପଦାରେ ପଡ଼ିବ । ତାହାହିଁ ହେଲା । ପବିତ୍ର ମୋହନଙ୍କଆହ୍ୱାନରେ କି ମନ୍ତ୍ର ଥିଲା କେଜାଣି, ତାଳଚେରର ତତ୍‌କାଳୀନ ୮୪ ହଜାର ପ୍ରଜାମଧ୍ୟରୁ ପ୍ରାୟ ୬୦ ହଜାର ପ୍ରଜା ଦୁଇ ଦୁଇଥର ଚାଷବାସ ଛାଡ଼ି କୋଶଳା,ଆମ୍ବପାଳ, ନତଡା, ପାଣିଓଳା, ସନ୍ତ୍ରାବନ୍ଧଇତ୍ୟାଦି ସ୍ଥାନରେ ୧୯୩୮ ନଭେମ୍ବର ମାସଠାରୁ ୧୯୩୮ ଜୁନ୍ ମାସ ପର୍ଯ୍ୟନ୍ତ ହିଜରାଜ (ଋଙ୍ଘକ୍ଟୟଙ୍କଗ୍ଦ) ପାଳନ କରିଥିଲେ । ଏକ ସମୟରେ ଏତେ ସଂଖ୍ୟକ ପ୍ରଜା ହିଜରାତ କରିବା ପୃଥିବୀ ଇତିହାସରେ ବିରଳ । ହିଜରାତ କ୍ୟାମ୍ପ ଗୁଡ଼ିକୁ ପ୍ରଫେସର ରଙ୍ଗା,ଓଡ଼ିଶାର ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ, ଡ. ମହତାବ, ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ, ଠକ୍କର ବାପ୍ପା ଓ ବ୍ରିଟିଶ ପାର୍ଲିଆମେଣ୍ଟରିଆନ୍ ମିସ୍ ଆଗାଥା ହେରିସନ ପ୍ରମୁଖ ପରିଦର୍ଶନ କରିଥିଲେ । ବ୍ରିଟିଶ ସରକାର, ପ୍ରଧାନମନ୍ତ୍ରୀ ବିଶ୍ୱାନାଥ ଦାସ ଓ ମହାତ୍ମାଗାନ୍ଧୀଙ୍କ ହସ୍ତକ୍ଷେପ ଫଳରେ ପ୍ରଜାକୁଳ କିଛି କିଛି ଦାବି ହାସଲ କରି ଘରକୁ ପ୍ରତ୍ୟାବର୍ତ୍ତନ କଲେ । ୧୯୪୦ ମସିହା ନଭେମ୍ବର ୨୬ ତାରିଖ ଠାରୁ ଭାରତସୁରକ୍ଷା ଆଇନ୍ ବଳରେ ତାଳଚେର ରାଜତନ୍ତ୍ରର ପ୍ରରୋଚନାରେ ବ୍ରିଟିଶ ସରକାର ପ୍ରଜାମଣ୍ଡଳର ପ୍ରମୁଖ କର୍ମକର୍ତ୍ତା ପବିତ୍ର ମୋହନ ପ୍ରଧାନ, ଦାଶରଥୀ ପାଣି, ମାଗୁଣି ଚନ୍ଦ୍ର ପ୍ରଧାନ, ମଦନ ମୋହନ ପ୍ରଧାନ, ସୁଧାକର ରଥ, ପବିତ୍ର ମୋହନ ବେହେରା, ବୈକୁଣ୍ଠ ସାହୁ ପ୍ରମୁଖଙ୍କୁ ବନ୍ଦୀ କଲେ ଓ ତାଳଚେର ଜେଲରେ ରଖାଇଲେ ।

ମହାତ୍ମାଗାନ୍ଧୀଙ୍କ “ଭାରତଛାଡ଼”ଆନ୍ଦୋଳନରେ ସାମିଲ ହେବା ପାଇଁ ପବିତ୍ର ମୋହନ ସାଥିବନ୍ଦୀମାନଙ୍କ ଦ୍ୱାରା ଗଠିତ ପିରାମିଡ୍‌ରେ ୧୯୪୨ ମସିହା ଅଗଷ୍ଟ ୩୧ ତାରିଖରେ ଏକ ବର୍ଷା ବିଧୌତ ପ୍ରାତଃକାଳରେ ଜେଲ୍ ପାଚେରୀ ଡ଼େଇଁ ପଳାୟନ କଲେ । କିନ୍ତୁ ଜନସାଧାରଣ ଚିନ୍ତା କଲେ ଯେ ରାଜତନ୍ତ୍ର ପବିତ୍ର ମୋହନଙ୍କୁ ହତ୍ୟା କରି ପଳାୟନର ଆଖ୍ୟା ଦେଇଛି । କଂସମୁଣ୍ଡାର ବିଛନ୍ଦ ଚରଣ ପ୍ରଧାନ ଓ କାଳନ୍ଦୀ ଚରଣ ପ୍ରଧାନ ଡ଼କ୍ଟରେଟ ଭାବରେ ଘୋଷିତ ହେଲେ । ହାତରେ କୋଡ଼ି, ଶାବଳ, ତେଣ୍ଟା, ବର୍ଚ୍ଛା ଓ ଟାଙ୍ଗିଆ ଇତ୍ୟାଦି ଧରି ତାଳଚେର ଜେଲକୁ ଯାଇ ଅନ୍ୟ କଏଦୀମାନଙ୍କୁ ମୁକ୍ତ କରିବା ପାଇଁ ଧାଇଁଲେ । ସେଦିନ ଥାଏ ୧୯୪୨ ସେପ୍ଟେମ୍ବର ୬ ତାରିଖ । ଉତ୍ତ୍ୟକ୍ତ ଜନତାଙ୍କୁ ସାମ୍ନା କରି ନପାରି ତାଳଚେର ରାଜତନ୍ତ୍ର ଇଂରେଜର ଶରଣାପନ୍ନ ହେଲା । ଇଂରେଜ ସରକାର ବ୍ୟମୋଯାନରେ ମେସିନ୍ ଗନ୍ ଖଚିତ କରି ଆକାଶ ମାର୍ଗରୁ ଗୁଳିବର୍ଷଣ କଲା । ବହୁତ ଆହାତ ହେଲେ । ପାଞ୍ଚଜଣ ମୃତ୍ୟୁବରଣ କଲେ । ଇଂରେଜ ସରକାର ତାହାର ଉକ୍ଟଙ୍କଦ୍ଭମସକ୍ଷ କ୍ଟଲ ଗ୍ଦଗ୍ଧବଗ୍ଧର ୟରଭବଗ୍ଧର ରେ ବର୍ଣ୍ଣନା କରିଛନ୍ତି ଯେ, ଇଂରେଜ ସରକାର ଯେଉଁ ପାଞ୍ଚଟି ଜାଗାରେ ଆକାଶମାର୍ଗରୁ ଗୁଳିବର୍ଷଣ କରିଥିଲେ ତନ୍ମଧ୍ୟରୁ ତାଳଚେର ହେଉଛି ଅନ୍ୟତମ । ପବିତ୍ର ମୋହନ ଜେଲ୍‌ରୁ ପଳାୟନ ପରେ ପାଦରେ ଚାଲିଚାଲି ରେଢ଼ାଖୋଲ ଦେଇ ସମ୍ବଲପୁରରୁ ଟ୍ରେନ୍‌ରେ ଟାଟାନଗର ଓ ପରେ କଲିକତାରେ ଜଣେ ଡାକ୍ତରବାବୁଙ୍କ ଘରେ ଘରୋଇ ଚାକର“ରାମୁ” ନାମରେ ଅବସ୍ଥାନ କଲେ । ପବିତ୍ର ମୋହନ ପ୍ରଧାନ ଦୁଇ ଦୁଇ ଥର ବ୍ରହ୍ମପୁତ୍ର ନଦୀକୁ ପହଁରି ପହଁରି ପାର ହୋଇ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ସାକ୍ଷାତ କରି ଆକାଶ ମାର୍ଗରୁ ତାଳଚେର ରାଜବାଟୀ ଆକ୍ରମଣ କରି ତାଳଚେର ଦଖଲ ପାଇଁ ପ୍ରୟାସ କରି ଅସଫଳ ହୋଇଥିଲେ ।

୧୯୪୭ ଜୁଲାଇ ମାସରେ ପବିତ୍ର ମୋହନ ତାଳଚେର ପ୍ରତ୍ୟାବର୍ତ୍ତନ କରି ପୁନଶ୍ଚ ତାଳଚେରର ଯୁବକମାନଙ୍କୁ ନେଇ ଏକ ସୈନ୍ୟଦଳ ଗଠନ କରି ତାଳଚେର ରାଜ୍ୟ ଆକ୍ରମଣ କରିବା ପାଇଁ ବାହାରିବାରୁ ପବିତ୍ର ମୋହନଙ୍କ ଉପରେ ଥିବା ସମସ୍ତ ୱାରେଣ୍ଟକୁ ରାଜା ଭୟଭୀତ ହୋଇ ରଦ୍ଦ କଲେ । ଭାରତ ବର୍ଷ ସ୍ୱାଧୀନତା ହେଲା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ । କିନ୍ତୁ ତାଳଚେର ଗଡ଼ଜାତ ଭାରତ ସହିତ ୧୯୪୮ ଜାନୁୟାରୀ ୧ ତାରିଖ ଦିନ ମିଶ୍ରଣ ଘଟି ପୂର୍ଣ୍ଣ ସ୍ୱାଧୀନତା ଲାଭ କଲା । ସ୍ୱାଧୀନୋତ୍ତ ଓଡ଼ିଶାରେ ପବିତ୍ର ମୋହନ ବହୁଥର ବିଧାନସଭାକୁ ନିର୍ବାଚିତ ହୋଇ ମନ୍ତ୍ରୀ, ବିଧାୟକ ପଦଭାର ମଣ୍ଡନ କରିଛନ୍ତି । ୧୯୪୮ରୁ ୧୯୪୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ଶାସନ ସଂସ୍ଥାର ଉପଦେଷ୍ଟା ଭାବରେ କାର୍ଯ୍ୟ ସମାପନ କରିଥିଲେ ।

୧୯୫୦ ମସିହାରେ ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀରୂପେ କାର୍ଯ୍ୟଭାର ବହନ କରିଥିଲେ । ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳରେ ଶ୍ରମ, ବାଣିଜ୍ୟ, ନିଯୁକ୍ତି ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ, ୧୯୫୦ ରୁ ୧୯୫୨ ମନ୍ତ୍ରୀ ଭାବରେ ଗ୍ରାମ ପଞ୍ଚାୟତ ସ୍ଥାପନ ଓ ମୌଳିକ ଶିକ୍ଷା ଉଦ୍ଦେଶ୍ୟରେ ଜନମତ ସୃଷ୍ଟି କରିଥିଲେ । ୧୯୫୨ ମସିହା ସାଧାରଣ ନିର୍ବାଚନରେ ତାଳଚେର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।୧୯୫୭ ମସିହାରେ ଡ. ମହତାବଙ୍କ ମନ୍ତ୍ରୀମଣ୍ଡଳରେ ଆଦିବାସୀ, ହରିଜନ ଓ ଗ୍ରାମ ମଙ୍ଗଳ ବିଭାଗ ମନ୍ତ୍ରୀ, ୧୯୬୧ ମସିହାରେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଶିକ୍ଷାମନ୍ତ୍ରୀ ରୂପେ ପାଠ୍ୟପୁସ୍ତକର ଜାତୀୟକରଣ କାର୍ଯ୍ୟକ୍ରମ ଓ କୃଷିମନ୍ତ୍ରୀ ରୂପେ ଉତ୍କଳ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସ୍ଥାପନ ତାଙ୍କର ଯୁଗାନ୍ତକାରୀ ପଦକ୍ଷେପ ଥିଲା । ୧୯୬୭ ରୁ ୧୯୭୧ ରାଜେନ୍ଦ୍ର ନାରାୟଣ ସିଂହଦେଓ, ମୁଖ୍ୟମନ୍ତ୍ରୀ ଓ ପବିତ୍ର ମୋହନ ପ୍ରଧାନ ଉପମୁଖ୍ୟମନ୍ତ୍ରୀ ରୂପେ ପଦଭାର ମଣ୍ଡନ କରି ନିର୍ମଳ ଓ ଦକ୍ଷଶାସନ ପାଇଁ ଉଦ୍ୟମ କରିଥିଲେ । ୧୯୭୭ ମସିହାରେ ଦେବଗଡ଼ ସଂସଦୀୟ କ୍ଷେତ୍ରରୁ ସାଂସଦ ରୂପେ ନିର୍ବାଚିତ ହୋଇଥିଲେ । ପବିତ୍ର ମୋହନ ପ୍ରଧାନ କେବଳ ଜଣେ ମୁକ୍ତିପଥର ସୈନିକ, ରାଜନେତା କହିଲେ ଭୁଲ ହେବ, ସେ ଥିଲେ ଜଣେ ସାରସ୍ୱତ ସାଧକ । ପବିତ୍ର ଗ୍ରନ୍ଥାବଳୀ କାବ୍ୟ ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟ ଗ୍ରନ୍ଥ । ବ୍ରାହ୍ମଣୀ, ମାଲ୍ୟଗିରି, ଚନ୍ଦ୍ର, ଭରତ ଅଭିଶାପ, ଭାରତ ଗୌରବ କାବ୍ୟ ଗୁଡ଼ିକ ବିଭିନ୍ନ ଛନ୍ଦ ଓ ଅଳଙ୍କାର ବହନ କରି ପାଠକମାନଙ୍କୁଆନନ୍ଦ ପ୍ରଦାନ କରିଥାଏ । ପବିତ୍ର ମୋହନଙ୍କ ସ୍ୱରଚିତ ଆତ୍ମଜୀବନୀ ପୁସ୍ତକ ମୁକ୍ତି ପଥେ ସୈନିକ ଓଡ଼ିଶାର ଏକ ଇତିହାସ ।

୧୯୮୮ ଜୁନ୍ ୯ ତାରିଖରେ ସମଗ୍ର ଓଡ଼ିଶା ତାର କୃଷି ଭିତ୍ତିକ ପର୍ବ ରଜପର୍ବ ପାଳନ ପାଇଁ ସଜବାଜ ହେଉଥିବା ସମୟରେ ପବିତ୍ର ମୋହନ ତାଙ୍କ ଗାଧୋଇବା ଘରେ ଗୋଡ଼ ଖସି ଯାଇ ଆହତ ହେଲେ । ଜୁନ୍ ୧୩ ତାରିଖ ସୋମବାର ଦିନ ପବିତ୍ର ମୋହନଙ୍କ ଅବସ୍ଥା ସଙ୍ଗୀନ ହୋଇଗଲା । ଅପରାହ୍ନ ୪ ଘଟିକା ସମୟରେ ତାଙ୍କର ଜୀବନ ଦୀପ ଲିଭିଗଲା । ଜୁନ୍ ୧୪ ତାରିଖ ଦିନ ରାଜ୍ୟ ସରକାରଙ୍କ ଏକ ସୁସଜ୍ଜିତ ପୋଲିସ ଗାଡ଼ିରେ ତାଙ୍କର ମରଶରୀରକୁ ତାଙ୍କର ପ୍ରିୟ ଭୂମି ପବିତ୍ର ନଗରକୁ ବିରାଟ ପଟୁଆରରେ ଅଣାଯାଇ ତୋପସଲାମୀ ସହ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପୂଣ୍ୟାତ୍ମା ପବିତ୍ର ମୋହନ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କର ନୀତି, ଆଦର୍ଶ, ଦେଶମାତୃକାର ସେବାରେ ତାଙ୍କର ପରିଶ୍ରମ ଆଜି ତାଙ୍କୁ ଅମର କରି ରଖିଛି । ଆଜିର ଏହି ପୂଣ୍ୟତିଥିରେ ମହାତ୍ମାଙ୍କ ପାଦତଲେ କୋଟି ଅର୍ଘ୍ୟ ପ୍ରଦାନ କରୁଛୁ ।

ସିଦ୍ଧି ପ୍ରସାଦ ସାହୁ, ସମ୍ପାଦକ, ପ୍ରତିବିମ୍ବ

Leave A Reply

Your email address will not be published.

20 − nine =