ଗାଁ ମୁଣ୍ଡରେ ଝଙ୍କାଳିଆ ବରଗଛ ।ଉପରେ ବିଭିନ୍ନ ପକ୍ଷୀ ଙ୍କର କିଚିରି ମିଚିରି ଶବ୍ଦ। ଗଛ ଛାଇ ରେ ଗାଁ ର ବୁଲା କୁକୁର, ଗାଈ ଗୋରୁଙ୍କର ମେଳି। ଗଛ ମୂଳର ଚଉତରା ରେ ଗାଁ ର ବୟସ୍କ, ବୃଦ୍ଧ ଲୋକ ମାନଙ୍କର ବିଭିନ୍ନ ଘର କରଣା ଜିନିଷ ଯଥା ଲଙ୍ଗଳ ତିଆରି, ଛଣ ପଟ ରେ ବିଭିନ୍ନ ଜିନିଷ ତିଆରି କରିବାରେ ବ୍ୟସ୍ତ ଥାନ୍ତି । କେହି ନହେଲେ ବି ସୁର ସାହୁ ପ୍ରାୟ ସମୟ ସେଠାରେ ଛଣ ପଟ ଧରୁଥିବେ, କିମ୍ବା ଭାଗବତ ପାଠ କରୁଥିବେ । ମଧ୍ୟାହ୍ନ ଭୋଜନ ପରେ ଗାଁ ର ଅଧିକାଂଶ ବୟସ୍କ ଲୋକ ଧାଇଁ ଆସନ୍ତି ସେହି ବରଗଛ ମୂଳକୁ ସୁର ଅଜାଙ୍କ ନିକଟରୁ ନାଶା ଟିକେ ପାଟିରେ ପକାଇବାକୁ । ସୁର ସାହୁଙ୍କର ହାତ ତିଆରି ଧୂଆଁ ପତ୍ରରେ କଲି ଚୂନ ପକାଇ ଯେଉଁ ପାଗରେ ନାଶା ପ୍ରସ୍ତୁତ କରନ୍ତି ତାହା ଅନ୍ୟ ମାନଙ୍କ ପକ୍ଷରେ ତିଆରି କରିବା କଷ୍ଟ। ସେପରି ନାଶା ଖିଆ ଲୋକ ନହେଲେ ମୁଣ୍ଡକୁ ଧରି ଦେବ। ବାନ୍ତି ହୋଇଯିବ ! ସତକୁ ସତ ସେଦିନ ଗାଁ ର ଚକ୍ର ରାଉତ ଦ୍ୱିପ୍ରହର ସମୟରେ ଖାଦ୍ୟ ପାନୀୟ ପରେ ଗାଁ ମୁଣ୍ଡ ବରଗଛ ମୂଳକୁ ଆସିଲେ ସୁର ସାହୁ ଙ୍କର ନାଶା ଟିକେ ପାଟିରେ ପକାଇବାକୁ । ବର ଗଛ ମୂଳକୁ ଆସୁ ଆସୁ ବଡ଼ ପାଟି କରି ଡାକ ପକାଇ କହିଲେ,”ସୁର ଦା ଧୂଆଁ ଦାନୀ ଟିକେ ଦିଅ । ଟିକେ ନାଶା ପାଟିରେ ପକାଇବା ।” ଧୂଆଁ ଦାନୀ ରୁ ନାଶା ଟିକେ ହାତ କୁ ବାହାର କରୁ କରୁ ଗୋଟାଏ ଲମ୍ବା ଅଡ଼ି ଟାଏ ଉଦର ଆଡୁ ବାହାରି ଆସିଲା। ପାଖରେ ଥିବା ଜଣେ ବଗୁଲିଆ ଟୋକା କହିଲା,”ଚକ ନା’ (ନନା) ଆଜି ଏମିତି କି ସୁମିଷ୍ଟ ଖାଦ୍ୟ ହୋଇଥିଲା ଯେ ଏତେ ବଡ଼ ଅଡ଼ି। “ଚିରାଚରିତ ଢଙ୍ଗରେ ଚକ୍ର ରାଉତ ଗପି ଚାଲିଲେ,”ବୁଝିଲ କି,ଆଜି ବଜାର କୁ ଯାଇଥିଲି ଯେ ଏକ ନମ୍ବର ଖାସି ମାଂସ କିଲେ ଆଣିଥିଲି, ଏଣେ ପୁଅ ପୁଣି ଭାକୁର ମାଛ ଟାଏ ଆଣିଛି। ” ଅନ୍ୟ ଜଣେ କଥା ଛଡେଇ ନେଇ କହିଲା,” ଚକ ଜେ (ଜେଜେ) ଆଜି ତୁମ ଘରେ ଭଲ ଖାନା ହୋଇଥିଲା ।” ଚକ୍ର ରାଉତ ନାକ ତଳେ ଥିବା ବାଘୁଆ ନିଶ କୁ ଆଉଁଶି ଦେଉ କହିଲେ, “ଆରେ ଋଣ ତ ଋଣ ଘିଅ ଛଅ ମାଣ କିଣ”, ଖାଇ ପିଇ ଧନ, ମରି ହଜି ଧନ। ଆଜି ନୁହେଁ ଆମ ବାପ ଗୋସିବାପ ବୁନିଆଦି ଅମଳ ରୁ ଆମେ ଏମିତି ଖାଉ।” ଏମିତି ଗପୁ ଗପୁ ପାଟି ଟାକୁ ବଡ଼ ଆଁ କରି ନାଶା ଚିମୁଟା କୁ ପାଟି ଭିତରକୁ ଫିଙ୍ଗି ଦେଉଦେଉ କେଉଁଠି ଥିଲା ସେ ଅମାନିଆ ଛିଙ୍କ ଟା ପେଟ ଭିତରୁ ବାହାରି ଆସିଲା। ଆଁ ଛୁଇଁ କରି ଛିଙ୍କି ଦେବାରୁ ନାଶା ର ପ୍ରଭାବ ରେ ଭକ ଭକ କରି ପେଟ ଭିତରୁ ଯାହା ଖାଇଥିଲା ସବୁ ବାହାରି ଆସିଲା । ସମସ୍ତେ ଚକ୍ର ରାଉତ ର ମୁଣ୍ଡ ଓ ପିଠି କୁ ଆଉଁଶି ଦେଉ ଦେଉ ସମସ୍ତେ ଦେଖୁଥିଲେ ପାଣି ପମ୍ପ ରୁ ପାଣି ବାହାରିଲା ପରି ଚକ୍ର ରାଉତ ଙ୍କର ପାଟି ରୁ ବାହାରି ଆସୁଥିଲା ଭାତ, ଶାଗ, ପିଆଜ, ଆମ୍ବୁଲ ର ଟୁକୁଡା ଅଂଶ ଗୁଡିକ। ସମସ୍ତେ ମୁହଁକୁ ମୁହଁ ଦେଖା ଦେଖି ହୋଇ ମନେ ମନେ କହୁଥାନ୍ତି, “ଖାସି ମାଂସ ଓ ଭାକୁର ମାଛ କେଉଁଆଡ଼େ ଗଲା”।
ସିଦ୍ଧି ପ୍ରସାଦ ସାହୁ,ସମ୍ପାଦକ,ପ୍ରତିବିମ୍ବ