ସୌଭାଗ୍ୟବତୀ

0

ଗାଁ ଟା ସାରା ହୁରିପଡିଗଲା ଆର୍ତ୍ତତ୍ରାଣ ବିଷ ଖାଇ ଦେଇଛନ୍ତି।ମୁହଁ ରୁ ଫେଣ ବାହାରି ପଡୁଛି।ଯିଏ ଶୁଣିଲା ସେ ଆଶ୍ଚର୍ଯ୍ୟ ହୋଇଗଲା । କାହିଁକି ଆର୍ତ୍ତତ୍ରାଣ ବିଷ ଖାଇଦେଲେ?ଜଣେ ଅନ୍ୟ ଜଣ ଙ୍କୁ ଏହି ପ୍ରଶ୍ନ ପଚାରୁଥାନ୍ତି ।କିନ୍ତୁ ଉତ୍ତର କାହାରି ପାଖରେ ନଥାଏ ।କିଏ କହୁଥାଏ,ଏଇ ପରା,ମୁଁ ଦେଖିଛି ଆର୍ତ୍ତତ୍ରାଣ ଫେରୁଥିଲେ ନଦୀ ପଠାରୁ”।କାହିଁକି ଆର୍ତ୍ତତ୍ରାଣ ଏପରି ପଦକ୍ଷେପ ନେଲେ?
ଏ ଖବର ଶୁଣି ଆର୍ତ୍ତତ୍ରାଣ ଙ୍କର ସ୍ତ୍ରୀ ସୁଲୋଚନା ନଦୀ ରୁ ଓଦାସର ସର ହୋଇ ଧାଇଁଲେ ଘରକୁ । ଆର୍ତ୍ତତ୍ରାଣ ଙ୍କର ଏଅବସ୍ଥା ଦେଖି ମୁଣ୍ଡ ବାଡେଇ କାନ୍ଦିଲେ।କେତେ ବାହୁନି ହୋଇ ପଚାରିଲେ,”କାହିଁକି ତୁମେ ଏପରି କାମ କଲ?”ଆର୍ତ୍ତତ୍ରାଣ ସୁଲୋଚନା ଙ୍କ କୋଳ ରେ ମୁଣ୍ଡ ରଖି କହିଲେ,”ସୁଲୋଚନା,ମୁଁ ତୁମକୁ ସୌଭାଗ୍ୟବତୀ କରିବା ପାଇଁ ଏ ପଦକ୍ଷେପ ନେଇଛି।”ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସୁଲୋଚନା କହିଲେ ,”ତୁମର କଣ ହୋଇଗଲେ ମୁଁ ତିନି ପାଞ୍ଜିରୁ ଯିବି।ମୁଁ କିପରି ସୌଭାଗ୍ୟବତୀ ହେବି?”
ଆର୍ତ୍ତତ୍ରାଣ ଖନେଇ ଖନେଇ କହିଲେ ,”କାହିଁକି? ମୁଁ ନଦୀ କୂଳରେ ଛିଡା ହୋଇଥିବା ସମୟରେ ତୁମେ ସପନି ଭାଉଜ ଙ୍କୁ କହୁଥିଲ ତୁମେ ଭାଗ୍ୟବତୀ ବୋଲି ।” ଲୋକମାନେ ପଚାରିଲେ କାହିଁକି? ଆର୍ତ୍ତତ୍ରାଣ କହିଲେ,” ସୁଲୋଚନା ସପନି ଭାଉଜଙ୍କୁ ପଚାରିଲେ,”ନାନୀ ତୁମେ ଦୁଇ ଦିନ ହେଲାଣି କେଉଁଆଡ଼େ ଯାଇଥିଲା?” ସପନି ଭାଉଜ କହିଲେ,”ଆମର ସିଏ ସୀମାନ୍ତ ରେ ଯୁଦ୍ଧ କରୁଥିବା ସମୟରେ ସହୀଦ ହୋଇଯାଇଥିଲେ ତ,ତାଙ୍କର ସେହି ଅର୍ଥ ଆଣିବା ପାଇଁ ମୁଁ ଭୁବନେଶ୍ୱର ଯାଇଥିଲି।”ସୁଲୋଚନା ଯେତେବେଳେ ଜାଣିଲେ ସପନି ଭାଉଜ ପଚାଶ ଲକ୍ଷ ଟଙ୍କା ପାଇଛନ୍ତି ସେତେବେଳେ ସୁଲୋଚନା ଦୀର୍ଘଶ୍ଵାସ ଟାଏ ପକାଇ କହିଲେ,”ତୁମର ଭାଗ୍ୟ ରେ ଥିଲାବୋଲି ପାଇଲ,ତୁମେ ଭାଗ୍ୟବତୀ।”
ପ୍ରାଣବାୟୁ ଚାଲିଯିବା ପୂର୍ବରୁ ଆର୍ତ୍ତତ୍ରାଣ କହିଲେ,ତୁମେ ହରିଶ୍ଚନ୍ଦ୍ର ଯୋଜନା ରେ ସରକାର ଙ୍କ ଠାରୁ କିଛି ପାଇଲେ ନିଶ୍ଚିତ ସୌଭାଗ୍ୟବତୀ ହୋଇପାରିବ।ସମସ୍ତେ ପରସ୍ପର କୁ ଦେଖୁଥିବା ସମୟରେ ଆର୍ତ୍ତତ୍ରାଣ ଙ୍କର ଆର୍ତ୍ତ ବଢିଯାଇଥିଲା ।

ସିଦ୍ଧି ପ୍ରସାଦ ସାହୁ,ସମ୍ପାଦକ ପ୍ରତିବିମ୍ବ

Leave A Reply

Your email address will not be published.

four × one =