କଥା କୁହା କଣ୍ଢେଇ

0

କାର କୁ ଗ୍ୟାରେଜ ରେ ପାର୍କିଂ କରିଦେଇ ଶୁଭେନ୍ଦୁ ବାବୁ ଡ୍ରଇଂ ରୁମ କୁ ପ୍ରବେଶ କରୁକରୁ ଲକି ମାଡାମ ପୁରାପୁରି ସଜେଇ ହୋଇ ଶୁଭେନ୍ଦୁ ବାବୁଙ୍କ ଆଗକୁ ଚାଲିଆସିଲେ । ଶୁଭେନ୍ଦୁ ବାବୁ ଭାବିଥିଲେ ଲକି ଙ୍କର ସ୍ମିତହାସ୍ୟ ତାଙ୍କ ହୃଦୟରେ ଆଣିଦେବ ଏକ ଅହେତୁକ ଆବେଗ। କିନ୍ତୁ ଏ କଣ? ଆହତ ନାଗୁଣୀ ପରି ଖାଲି ଫଁ ଫଁ ହେଉଛନ୍ତି । ମୁଖମଣ୍ଡଳ ରେ ଖେଳିଯାଇଛି ଶ୍ରାବଣ ମାସରେ ବାୟୁ କୋଣ ର କଳାହାଂଡିଆ ମେଘର ପ୍ରଭାବ । କିଛି କହିବା ପୂର୍ବରୁ ଲକି ମାଡାମ କହିଚାଲିଲେ,”ଛଅ ଝିଅ ରେ ଗୋଟିଏ ବୋଲି ପୁଅ, କେତେ ଦିଅଁ ଦେବତା ପୁଜି,ମନ୍ଦିର ରେ ଗୁଆ ବସାଇ ଡାଡି ଓ ମମି ପୁଅ ଟିଏ ପାଇଥିଲେ,ପାଠ ପଢ଼ାଇ ବଡ଼ କରିଥିଲେ, ସରକାରୀ ଚାକିରୀ ରୁ ନିଜେ ସ୍ବେଚ୍ଛାକୃତ ଅବସର ନେଇ ଚାକିରୀ ଦେଲେ, କିନ୍ତୁ ପାଇଲେ କଣ?”
                       ଶୁଭେନ୍ଦୁ ବାବୁ କହିଲେ,”ଆରେ ବାବା,ଏ ସବୁ କାହିଁକି ଗପିଚାଲିଛ? ତୁମେ ବଜାର ଯିବାକୁ ବୋଧେ ବାହାରିଛ, ଆସ ଯିବା,   ଖାଲି ଟାରେ ତୁମ ଘର କଥା ଗପି ଚାଲିଛ?”
କହିବି ନାହିଁ ବୋଲି କହୁ କହୁ ଲକି ମାଡାମ କହିଲେ, “ମୋ ମମି ଏବେ ଫୋନ କରି କହୁଥିଲେ,”ସେ କହ୍ନା ର ସ୍ତ୍ରୀ,ଛୋଟ ଘରର ଝିଅଟା,ମୋ ମମ ଓ ଡାଡି ଙ୍କୁ ଖାଇବାକୁ ଦେଉନାହିଁ,ଘରୁ ବହାରିଯିବାକୁ କହୁଛି।”ସେମାନଙ୍କର କଣ କେହିନାହାନ୍ତି?ମୁଁ ଥାଉଥାଉ ସେମାନେ ପୁଣି ଏ ବୟସ ରେ ଖାଇବାକୁ ପାଇବେ ନାହିଁ । ସୁପ୍ରିମକୋର୍ଟ ପରା ନିର୍ଦ୍ଦେଶ ଦେଇଛି,ଝିଅ ଘରେ ମଧ୍ୟ ବାପ ମାଆ ରହିପାରିବେ । କଣ କହୁଛ? ଶିଘ୍ର ଗାଡି ବାହାର କର,ଏବେ ଯାଇ ଡାଡି ଓ ମମି ଙ୍କୁ ଧରିଆସିବା ।ଯଦି ନାହିଁ କରୁଛ ତେବେ ମୁଁ ଏକା ଆମ ଘରକୁ ଯିବି ଓ ସେହିଠାରେ ସମ୍ପତ୍ତି ର ଅଧା ଭାଗ ଆଣି ମୁଁମୋ ଡାଡି ଓ ମମି ଙ୍କର କଥା ବୁଝିବି ।”
                  ଶୁଭେନ୍ଦୁ ବାବୁ କହିଲେ,”ମୁଁ ମନାକଲି କେତେବେଳେ,ତୁମ ବାପା, ମାଆ ମଧ୍ୟ ମୋର ବାପା ମାଆ।ସେମାନେ ଆମ ଘରେ ରହିଲେ ଆମ ବାବି ପାଇଁ ସାଥି ମିଳିଯିବ ଓ ତୁମର ଅଧା କାମ ବୋଝ ହାଲୁକା ହୋଇଯିବ । କିନ୍ତୁ—–! କିନ୍ତୁ ପୁଣି କଣ?
ଶୁଭେନ୍ଦୁ ବାବୁ ଲକି ମାଡାମ ଙ୍କୁ ବୁଝାଇବା ଢଙ୍ଗରେ କହିଲେ, “ତାଙ୍କ ଘର କଥା,ସେମାନେ ବୁଝିବେ । ଆମେ ତୁମ କହ୍ନା ଭାଇ ଓ ଭାଉଜ ଙ୍କୁ ବୁଝାଇଦେବା । ଯଦି ନ ବୁଝିବେ ତେବେ ଅନ୍ୟକଥା ଚିନ୍ତା କରିବା ।”
କିନ୍ତୁ ଏ କଥା ଶୁଣି ଲକି ମାଡାମ ପୁଣି ଗର୍ଜନ କରି କହିଲେ,” ମୁଁ କହୁଛି ମାନେ ତୁମେ ବାହାର ଓ ଡାଡି ମମି ଙ୍କୁ ଧରି ଆସିବା ।” ରାଗ ଶାନ୍ତ କର ଡାର୍ଲିଂଗ କହି ସୋଫା ଉପରୁ ଉଠିଲା ବେଳକୁ ବାବି ଧାଇଁ ଆସି ବାବା ଙ୍କ କୋଳ ରେ ବସି ପଡ଼ି କହିଲା,”ବାବା ବାବା,ଆଜା ଓ ଆଈ ଙ୍କୁ ଆମ ଘରକୁ ଆଣ, ମୁଁ ସେମାନଙ୍କ ସହିତ ଖେଳିବି, ଭାରି ମଜା ହେବ ।” ହଁ ବାବା ସେମାନଙ୍କୁ ନିଶ୍ଚିତ ଆଣିବା କହି ଶୁଭେନ୍ଦୁ ବାବୁ ବାବି କୁ ପଚାରିଲେ,” ଆଉ କଣ ଆଣିବା ?” ବାବି କହିଲା,”ବାବା ଆଉ କଣ୍ଡେଇ ଆଣିବା ।” ଠିକ ଅଛି ବାବା,”କେତେଟା କଣ୍ଢେଇ ଆଣିବା ଓ କି ପ୍ରକାର କଣ୍ଢେଇ ଆଣିବା?”ବାବି ତାର ସ୍ଵଭାଵ ସୁଲଭ ଢଙ୍ଗରେ କହିଲା,”ଚାରିଟା କିନ୍ତୁ ସବୁ କଣ୍ଢେଇ କଥା କହୁଥିବେ ।” ବାବି କୁ ଟିକେ ଗେଲ କରି ଦେଉ ଦେଉ ଶୁଭେନ୍ଦୁ ବାବୁ କହିଲେ,”ହଁ ବାବା, ମୋ ଧନ ପାଇଁ ଚାରିଟା ରାଜା ରାଣୀ କଥା କୁହା କଣ୍ଢେଇ ଆଣିଦେବି ।ଏଥର ଖୁସି ତ?”
ଘର ଭିତରେ ଡ୍ରେସିଂ ଟେବୁଲ ସାମ୍ନା ରେ ନିଜକୁ ସଜାଡୁଥିବା ବେଳେ ଶୁଭେନ୍ଦୁ ବାବୁ ମାଡାମ ଙ୍କୁ ଡାକି କହିଲେ,”ଲକି ଆସ ଯିବା,ଫେରିବା ବେଳେ ରାତି ହୋଇଯିବ ।” ଲକି ଙ୍କ ମୁଖରେ ସ୍ମିତ ହାସ୍ୟଦେଖି ଶୁଭେନ୍ଦୁ ବାବୁ ମନେମନେ ଭାବୁଥିଲେ,”ଲକି ବାସ୍ତବିକ ତୁମେ ଲକି, କାରଣ ତୁମ ହାତରେ ମୁଁ ଏକ ଚାବିଦିଆ କଣ୍ଢେଇ ।ମୁଁ ତୁମର ବିଚରା ସ୍ୱାମୀ ଦେବତା ।”
ଗାଡିକୁ ପାହାଳ ଠାରେ ବ୍ରେକ ଦେଉଦେଉ ଲକି ମାଡାମ ଶୁଭେନ୍ଦୁ ବାବୁ ଙ୍କ ଆଡକୁ ଟିକେ ଅନାଇ ଭୃକୁଞ୍ଚନ କରି କହିଲେ,” ଗାଡି କାହିଁକି ଏଠାରେ ରଖିଲେ?”
କିଛି ମିଠା ନେଇଥାନ୍ତେ।
“କାହିଁକି—–? ଡାଡି ମମି ତ ଆମ ସହିତ ଆସିବେ, କଣ ସେ ଚଣ୍ଡୀ ଓ ମେଣ୍ଢା ଟା ପାଇଁ ମିଠା ନେବା ।” ଗାଡି ଚଲାଅ ପରି ଆଦେଶାତ୍ମକ ବାକ୍ୟ ଶୁଣି ଶୁଭେନ୍ଦୁ ବାବୁ ଙ୍କର ହାତ ପାପୁଲି ଟା ଆପେଆପେ ଗିଅର ବାର ଉପର କୁ ଚାଲିଗଲା ଓ ଶୁଭେନ୍ଦୁ ବାବୁ ମଧ୍ୟ ଜଣେ ଯନ୍ତ୍ରଚାଳିତ ମାନବ ପାଲଟିଗଲେ । ଗାଡିର ପଛ ସିଟ ରେ ବସିଥିବା ବାବି ମଧ୍ୟ ମିଠା ଖାଇବାର ଲୋଭ ସମ୍ବରଣ କରିନପାରି କିଛି କହିବାକୁ ଉଦ୍ୟତ ହେବାବେଳେ ଲକି ମାଡାମ ମଧ୍ୟ ତାକୁ ନାଲି ଆଖି ଦେଖାଇ ଚୁପ କରିଦେଲେ ।
        କାର ଟା ଯାଇ ଯଥା ଜାଗାରେ ଅଟକି ଯାଉ ଯାଉ ଲକି ମାଡାମ ଆଗେ ଗାଡି ରୁ ଓହ୍ଲାଇ ଖୁବ ଜୋରରେ ଗାଡି ର କବାଟ ଟାକୁ ବନ୍ଦ କରି, ଏପରି ଦୁମ ଦୁମ କରି ଗେଟ ଖୋଲି ଘର ଭିତରକୁ ପ୍ରବେଶ କଲେ ଯେ, ଶୁଭେନ୍ଦୁ ବାବୁ ଭାବୁଥିଲେ,” ଭାଗ୍ୟ ଭଲ ମୁଁ ଆଗେ ଗାଡି ଖୋଲି ଲକି ଙ୍କର କାଳୀ ରୂପ ଆଗକୁ ଆସିନାହିଁ, ନଚେତ ମୋର ଅବସ୍ଥା ଶଙ୍କର ଭଗବାନ ଙ୍କ ପରି ହୋଇଥାନ୍ତା।”
                ଆଗରୁ ତ ମାଡାମ ଫୋନ କରି ଡାଡି ମମି ଙ୍କୁ ପ୍ରସ୍ତୁତି ହେବା ପାଇଁ କହିଥିଲେ, ସେମାନେ ଲକି କୁ ଦେଖି ଟିକେ ହସିଦେଇ ଆଖିରୁ ଟିକେ ଲୁହ ଗଡାଇ ଦେଲେ । ଲକି ମାଡାମ ଗର୍ଜନ ତର୍ଜନ କରି କିଛି କହୁଥିବା ସମୟରେ ଶୁଭେନ୍ଦୁ ବାବୁ ଶାଶୁ ଓ ଶ୍ୱଶୁର ଙ୍କର ପାଦଛୁଇଁ ପ୍ରଣାମ କଲେ ଓ ଲକି ମାଡାମ ଙ୍କୁ ଚୁପ ରହିବାକୁ ଇସାରା ଦେଇ ବାବି କୁ ଶାଶୁ ମାଆ ଙ୍କ କୋଳ କୁ ଟେକି ବ୍ୟାଗ ଦୁଇଟା ଧରି ଘରୁ ବହାରିଆସିଲେ ।
                  ପଛେପଛେ ସମସ୍ତେ ବାହାରି ଆସିବାବେଳେ ଲକି ମାଡାମ ଙ୍କର ଶେଷ ବାକ୍ୟ ଥିଲା,”ଡାଡି ମମି ଶେଷ ପର୍ଯ୍ୟନ୍ତ ମୋ ପାଖରେ ରହିବେ,ଆଉ ତୁମ୍ଭମାନଙ୍କର ଅବସ୍ଥା ମୁଁ କଣ କରୁଛି ଦେଖିବ।”ଗାଡି ଟା ଆଗକୁ ଆଗକୁ ଯେତିକି ଯେତିକି ଗଡୁଥାଏ ଲକି ମାଡାମ ଙ୍କର ମୁହଁରୁ ସ୍ମିତହାସ୍ୟ ଟା ସେତିକି ସେତିକ ଉକୁଟି ଉଠୁଥାଏ । ଶୁଭେନ୍ଦୁ ଙ୍କୁ କହିବାବେଳେ ପାଟିରୁ ବାହାରୁନଥାଏ ବଜ୍ର ଗମ୍ଭୀର ଧ୍ୱନି । ଦୁଇ ଓଠ ଫାଙ୍କରୁ ସ୍ମିତହାସ୍ୟ ଓ କୋମଳ ବଚନ । ବାବି ମଧ୍ୟ ଅଜା ଆଈ ଙ୍କର ମଝିରେ ବସି ଖୁସି ବ୍ୟକ୍ତ କରୁଥାଏ ।
             ମଝିରେ ମଝିରେ ଲକି ଦେବୀ ଙ୍କର ଆଖିପତା ଲାଗିଯାଉଥାଏ । ଆଖିପତା ଲାଗିଯିବା କଥା । କାରଣ ମନ ଶାନ୍ତି ଓ ହୃଦୟ ଶାନ୍ତି । ଗାଡି ଟା ଯେତେବେଳେ ଅଚାନକ ବ୍ରେକ ରେ ଅଟକିଗଲା ଲକି ଦେବୀ ଟିକେ ଆଗକୁ ଝୁଙ୍କି ପଡି ପ୍ରକୃତିସ୍ଥ ହୋଇପଡିଲେ । ରାସ୍ତାଟି ନୂଆଁ ନୂଆଁ ଲାଗିଲେ ମଧ୍ୟ ଝାପ୍ସା ଝାପ୍ସା କିଛି ମନେପଡ଼ିଗଲା । ବାଁ ପାଖକୁ ଆଖି ଖେଳାଇ ଦେଲାବେଳକୁ ଦେଖିଲେ କାନ୍ଥରେ ଲେଖାଅଛି “ଜରାଶ୍ରମ” । ପାଦତଳୁ ସତେଯେମିତି ପୃଥିବୀ ବିଦୀର୍ଣ୍ଣ ହୋଇଯାଉଛି।କେବଳ ପାଦତଳୁ ନୁହେଁ ସତେଯେମିତି ଛାତି ଭିତରଟା ବିଦୀର୍ଣ୍ଣ ହୋଇଯାଇ ଅଭିଯୋଗ,ଅଭିମାନ ଓ ଦୁଃଖର ଲାଭା ଗୁଡାକ ଉଦ୍ଗିରଣ ହୋଇ ଶୁଭେନ୍ଦୁ ବାବୁ ଙ୍କ ଉପରେ ଅଜାଡି ହୋଇପଡୁଛି ।
                ଲକି ଦେବୀଙ୍କ ମୁଖମଣ୍ଡଳ କୁ ଠିକ ଅଧ୍ୟୟନ କରିପାରୁଥିଲେ ଶୁଭେନ୍ଦୁ ବାବୁ।ଟିକେ ହସିଦେଇ ଶୁଭେନ୍ଦୁ ବାବୁ କହିଲେ,”ନା ମ ଲକି,ଏମାନେ ପରା ଆମ ବାପ ମା, ଏମାନ ଙ୍କୁ ଜରାଶ୍ରମ ରେ ରଖାଇ ପାପ କରିବି । ଆମ ବାବି କେତେ ସୁନ୍ଦର ତାର ଅଜା ଆଈ ଙ୍କ ସହିତ ଗେଲ ହେଉଛି ଦେଖିଲ। ତାକୁ କଥା ଦେଇଥିଲି ତା ପାଇଁ ଚାରୋଟି କଥାକୁହା ରାଜା ରାଣୀ କଣ୍ଢେଇ ଆଣିଦେବି ବୋଲି। ସେ କେବେ ଦେଖିନଥିବା ତା ଜନ୍ମ ପୂର୍ବରୁ ଆମ ବାହାଘରର ଦୁଇ ମାସ ପରେ ବାବି ର ଯେଉଁ କଥାକୁହା କଣ୍ଢେଇ ଦୁଇଟି କୁ ଆମେ ଛାଡି ଦେଇଥିଲେ ସେ ଦୁଇଟିକୁ ଆସ ଆମେ ବାବି ପାଇଁ ଓ ସୁପ୍ରିମକୋର୍ଟ ଙ୍କର ନିର୍ଦ୍ଦେଶ ମାନି ଆଣିବା ।
               ଲକି ଦେବୀ କିଛି କହିବା ପୂର୍ବରୁ ଶୁଭେନ୍ଦୁ ବାବୁ ଗାଡିର କବାଟ ଖୋଲି ବାହାରକୁ ଯିବା ସମୟରେ କହୁଥାନ୍ତି ମୋର,ଲକି ଓ ବାବି ର ଆଜି ବଡ଼ ସୌଭାଗ୍ୟ ର ଦିନ। ଆମ ଦୁଇ ଜଣଙ୍କର ଆଜି ଠାରୁ ଚାରି ଚାରି ବାପା ମାଆ ଓ ବାବି ର  ଚାରି ଚାରି କଥା କୁହା କଣ୍ଢେଇ । ବାବି ମଧ୍ୟ ମହାନନ୍ଦରେ ଗାଡି ରୁ ବାହାରି ବାବା ଙ୍କର ପଛେପଛେ କହି ଦୌଡୁଥାଏ,” ବାବା ଶିଘ୍ର ଚାଲ ଆଉ ଦୁଇଟା କଥା କୁହା କଣ୍ଢେଇ ଆଣିବା ।’ ପଛେ ପଛେ ଚାଲିଥିବା ଲକି ଦେବୀ ଙ୍କର ମଧ୍ୟ ସମସ୍ତ ରାଗ ଓ ଅଭିମାନ ଆଖି ଲୁହ ରେ ଧୋଇ ହୋଇଯାଇ କରିଥିବା ପାପ ପାଇଁ ପ୍ରାୟଶ୍ଚିତ ଲୋଡୁଥିଲେ ।

 ସିଦ୍ଧି ପ୍ରସାଦ ସାହୁ,ସମ୍ପାଦକ ପ୍ରତିବିମ୍ବ

Leave A Reply

Your email address will not be published.

1 + thirteen =