ଶ୍ରୀପଞ୍ଚମୀ

0

ମନେପଡେ ମୋର ଶ୍ରୀପଞ୍ଚମୀ କଥା
ଆମ ଗାଆଁ ଚାହାଳିରେ
ଖଡି ଛୁଆଁ ଵେଳେ ନୂଆ ସିଲଟରେ
ଗୁରୁ “ଶ୍ରୀ” ଲେଖିଥିଲେ ।
ଶ୍ରୀ ଲେଖା ପରେ ମଡାଇ ମଡାଇ
ତିନି ଥର ଗାରେଇଲି
ସେହି ଦିନ ଠାରୁ ଗାଁ ଚାହାଳିର
ଛାତ୍ର ମଧ୍ୟେ ଗଣାହେଲି ।


ଯେଉଁଦିନ ଠାରୁ ଏଇ ହାତ ମୋର
ପ୍ରଥମେ ଖଡି ଛୁଇଁଲା
ସେଦିନ ପାଖରୁ ସିଲଟ ଖଡ଼ି ମୋ
ଵିଦ୍ୟା ଶିକ୍ଷା ଅସ୍ତ୍ର ହେଲା ।
ଅଟକିନି ହାତ କେଵେ ଆଉ ମୋର
କେତେ ଖଡ଼ି ଗଲା ସରି
ସେଦିନ ସିଲଟ ଭାଙ୍ଗିଗଲା କେଵେ
ଯାଇଛି ମନୁ ପାଶୋରି ।


କେତେ ଖଡି ଗଲା ସିଲଟ ଵି ଗଲା
ଦୁଆତ କଲମ ଧରି
ଉଡ଼ନ ପେନସିଲ ଵଟିକା କାଳିରେ
କିଛି ଦିନ ଗଲା ଚାଲି ।
କଲମ ଯାଇଣ ଫାଉଣ୍ଟେନ୍ ଆସିଲା
ତାପରେ ଡ଼ଟ୍ ଧରିଲି
କାଗଜଖାତାରେଫର୍ଦ୍ଦ ପରେ ଫର୍ଦ୍ଦ
କେତେ ଯେ ଲେଖା ଲେଖିଲି ।


ଯାହା ମୁଁ ହୋଇଛି ଯେତେମୁଁ ଲେଖିଛି
ଖଡ଼ିଛୁଆଁ ପୂଜା ଦିନୁ
ମା ସରସ୍ଵତୀ ପୂଜା ଆସିଗଲେ
କୋହ ଆସିଯାଏ ମନୁ ।
ଶିକ୍ଷା ଆରମ୍ଭରୁ ମା ସରସ୍ବତୀ
ଅଛନ୍ତି ଜୀଵନେ ମୋର
ଆଜି ଶ୍ରୀପଞ୍ଚମୀ ଦିନରେ ସେକଥା
ଭାଵୁଅଛି ଵାରମ୍ଵାର ।

ଧନେଶ୍ବର ସାହୁ , ନାଲକୋନଗର

Leave A Reply

Your email address will not be published.

20 − fifteen =