ସମ୍ପର୍କ

0
      ସହର ର ଶେଷ କୋଠା ଟି ।ଏଠାରେ ଯୁବକ ଯୁବତୀ ମାନଙ୍କ ଗହଳି ଲାଗିନଥାଏ ।କିନ୍ତୁ ନୀରବତା ଭିତରେ ଗହଳି ଥାଏ ।କିଏ ରାମାୟଣ,ମହାଭାରତ, ଗୀତା, ବାଇବେଲ କିମ୍ବା କୋରାନ ପଢିବା ରେ ବ୍ୟସ୍ତ ତ କିଏ ବଗିଚାରେ ଆଉ କିଏ ହସ୍ତ ଶିଳ୍ପ ରେ।କିନ୍ତୁ ସମସ୍ତେ ବ୍ୟସ୍ତ ଥାନ୍ତି ଅନ୍ୟ ର ସେବା ରେ।ହଠାତ ସେହି କୋଠା ର ଫାଟକରେ ଗୋଟିଏ ଓଡ଼ି କାର ଅଟକି ଗଲା। ଏତେ ବଡ଼ ଦାମୀ କାର କୁ ଦେଖି ସମସ୍ତେ ନିଜ ନିଜର କାମ ଛାଡି ସେହି ଆଡକୁ ଚାହିଁ ରହିଲେ ।କିଏ କେତେ କଣ ଭାବି ନେଲେ।କିଏ ଭାବିଲେ ମନ୍ତ୍ରୀ, କିମ୍ବା ଶିଳ୍ପପତି ଆସିଛନ୍ତି ଲୁଗା,କମ୍ବଳ ଓ ସୁଖାଦ୍ୟ ଇତ୍ୟାଦି ମିଳିବ।
              ସମସ୍ତ ଆଶା କୁ ନିରାଶ ଭିତରକୁ ଠେଲି ଦେଇ ଦାମୀ କାର ରୁ ଓହ୍ଲାଇ ପଡିଲେ ଦମ୍ପତି। ଚାଳକ ଜଣେ ଅଶି ବର୍ଷୀୟା ବୃଦ୍ଧା ଙ୍କ ହାତ ଧରି ଚଲାଇ ଚଲାଇ ନେଉ ଥାନ୍ତି ଭିତରକୁ ।ସମସ୍ତେ ଚିନ୍ତାକଲେ ଆମର ଜଣେ ନୂଆଁ ସାଥି ଆଜି ଆମକୁ ମିଳି ଯାଇଛନ୍ତି ।
            ବୁଢ଼ୀ ମା ପାଦ ପରେ ପାଦ ଗଣି ଗଣି ଆଗକୁ ଚଳୁଥାନ୍ତି ନଇଁ ନଇଁ ସତେ ଯେପରି ଗୋଟିଏ ନୂଆଁ ବୋହୁ।ନୂଆଁ ବୋହୁ ନୁହେଁତ ତ ଆଉ କଣ? ଆଜି ତ ନୂଆଁ କରି ଏଠାରେ ପାଦ ଥାପଛନ୍ତି ।ଯେଉଁ ଘରୁ ତାଙ୍କର ଶେଷ ସଵାରୀ ଉଠିଥାନ୍ତା ସେ ଘର ଅଗଣା ତ ଆଜି ଠାରୁ ତାଙ୍କ ପାଇଁ ସ୍ୱପ୍ନ ହୋଇଯିବ।ଏହି କୋଠାରୁ ହିଁ ତାଙ୍କର ଶେଷ ସଵାରୀ ଉଠିବ।କେହି ନଥିବେ,ଥିବେ ଏହି ଅନ୍ତେବାସୀ ଗଣ ଯେଉଁମାନେ କହୁଥିବେ ରାମ ନାମ ସତ୍ୟ ହେ------।
           ବୁଢ଼ୀ ମା କେତେ କଣ ଭାବି ଭାବି ଯାଉଛନ୍ତି। ଭାବୁଛନ୍ତି,"ମୋର ଭୁଲ ରହିଲା କେଉଁଠି? ଡୁନ ସ୍କୁଲ ରେ ପାଠ ପଢ଼ାଇଲି । ପୁଅକୁ ଉଚ୍ଚ ଚାକିରୀ କରାଇଲି।କେଉଁ ଅପରାଧ ରେ ଶେଷ ଜୀବନ ଏ ଜରାଶ୍ରମ ରେ।" ହେଉ ଭଗବାନଙ୍କ ଇଛା କହି ଆଗେଇ ଯାଉ ଯାଉ ବୁଢ଼ୀ ମା ର ପାଦ ଅଟକି ଗଲା ଜଣେ ଅନ୍ତେବାସିନୀ କୁ ଦେଖି। ଚିହ୍ନା ଚିହ୍ନା ଲାଗିଲା ମୁଂହଟି ।କଣ ପଚାରିବି ନପଚାରିବି ଭାବୁ ଭାବୁ ଅନ୍ତେବାସିନୀ ଙ୍କ ଡାହାଣ ହାତ କହୁଣୀ ତଳକୁ ଯାଇ ମନ୍ଦା ଟିକୁ ଦେଖି ବୁଢ଼ୀ ମା ନିଶ୍ଚିତ ହୋଇଗଲେ ଯେ ଇଏ ହେଉଛନ୍ତି ଯଶୋଦା। ଯଶୋଦା କୁ ଦେଖି ବୁଢ଼ୀ ମା ଙ୍କର ମନ ରେ ଟିକେ ଆନନ୍ଦ ଖେଳିଗଲା।କିଛି ନ ହେଲେ ସାଥି ଟିଏ ତ ମିଳିଗଲା।ନିଜ ଦୁଃଖ କୁ ତ ବାଣ୍ଟିବା ପାଇଁ ଅତି ଆପଣାର ସାଥି ଟିଏ ମିଳିଗଲା।ଆଗକୁ ବାଣ୍ଟିବେ କଣ?ଦୁଇ ଜଣ ସେଇ ମାଟି ଉପରେ ବସି ପଡ଼ି ଅତୀତ ର ବେଳା ଭୂମି ରେ ହଜି ଯାଇଥିବା ସ୍ମୃତିର ଶାମୁକା ଗୁଡିକୁ ଖୋଜିବାକୁ ଲାଗିଲେ।
           ପୁତ୍ର ଅର୍ଣ୍ଣିମେଶ ଓ ବୋହୁ ଅନ୍ୱେଶା ଜରାନିବାସ ରେ ସମସ୍ତ କାଗଜପତ୍ର ଠିକ କରି ପଛରୁ ଆସି କହିଲେ,"ମମ ତୁମ୍ଭର 11 ନମ୍ବର ପ୍ରକୋଷ୍ଟ ରେ ରହିବା ପାଇଁ ଠିକ ହୋଇଛି। ତୁମ କୁ ସେଠାରେ ଛାଡି ଦେଇ ମୁଁ ଚାଲିଯିବି ।"ଏହି କଥା ବୁଢ଼ୀ ମା କୁ ବହୁତ ବାଧିଲା। କିନ୍ତୁ ଯଶୋଦା 11 ନମ୍ବର ପ୍ରକୋଷ୍ଟ କଥା ଶୁଣି ଖୁସି ହୋଇଗଲା, କାରଣ ସେହି କୋଠରୀ ରେ ସେ ହିଁ ରହିଅଛି।ଏକାଠି ରହିବେ ବାକି ଜୀବନ ।
             ଅର୍ଣ୍ଣିମେଶ ଓ ଅନ୍ୱେଶା ଆଡକୁ ଦୃଷ୍ଟିପାତ କରି ଯଶୋଦା କେମିତି କାହିଁକି ଏକ ଭିନ୍ନ ରାଜ୍ୟରେ ପ୍ରବେଶ କରିଗଲେ।କେତେ କଣ ଭାବି ବସିଲେ।ହୃଦୟ ଭିତରେ ବାତ୍ସଲ୍ୟ ମମତା ଟିକ କ କାହିଁକି କେଜାଣି ଯଶୋଦା ଙ୍କୁ ଆନ୍ଦୋଳିତ କରି ପକେଇଲା। ତାଙ୍କୁ ଲାଗୁଥିଲା ସତେ ଯେପରି ଅର୍ଣ୍ଣିମେଶ ଙ୍କୁ କୋଳରେ ବସାଇ ଆଙ୍କି ଦେବେ ଚୁମ୍ବନ ଉପରେ ଚୁମ୍ବନ।ସତେ ଯେପରି ତାଙ୍କର ମାତୃ ସ୍ତନ ଯୁଗଳ ବ୍ୟସ୍ତ ହୋଇପଡୁଛି ଅର୍ଣ୍ଣିମେଶଙ୍କୁ କୋଳ ରେ ବସାଇ ଦୁଗ୍ଧ ପାନ କରାଇବାକୁ।ତାହାହିଁ ହେଲା।କେତେ ଦୃଢ଼ ସେ ବନ୍ଧନ,ସେ ସମ୍ପର୍କ। ଯଶୋଦା ର ଅମାନିଆ ହାତ ଦୁଇଟି ଲମ୍ବିଗଲା ଅର୍ଣ୍ଣିମେଶ ର ମୁଣ୍ଡ ପର୍ଯ୍ୟନ୍ତ।ଦୁଇ ହସ୍ତ ରେ ମୁଣ୍ଡକୁ ନିଜ ଓଠରେ ଲଗେଇ ଦେଇ ଆଙ୍କି ଦେଲେ କେତେ ଚୁମ୍ବନ।ଏ ଦୃଶ୍ୟ କୁ ଦେଖି ଆନନ୍ଦ ରେ ନାଚି ଉଠୁଥିଲେ ଅର୍ଣ୍ଣିମେଶ ର ମମ,କିନ୍ତୁ ଅନ୍ୱେଶା ଦେବୀ ଏହାକୁ ସହ୍ୟ କରି ପାରିଲେ ନାହିଁ, କାଳୀ ନାଗୁଣୀ  ପରି ଫଁ ଫଁ ହୋଇ ଝପଟି ଆସି ଯଶୋଦା ଙ୍କ ଗାଲ ରେ ଢୋ କରି ଦୁଇ ଚାପଡ଼ କଷି ଦେଲେ।ଜରାନିବାସ ର ଅନ୍ତେବାସୀ ଗଣ ଙ୍କ ମଧ୍ୟରେ ଏକ ଚାପା ଗୁଞ୍ଜରଣ ଖେଳି ଗଲା।କିଏ, କାହିଁକି କଣ ପାଇଁ ଏମିତି କେତେ କଣ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ବେଳେ ଅନ୍ୱେଶା ଙ୍କ ମାଡ଼ ରେ ତଳେବସି ଥାନ୍ତି ଯଶୋଦା ଦେବୀ।କାହିଁକି କେଜାଣି ଅର୍ଣ୍ଣିମେଶ ଙ୍କ ହୃଦୟ କିନ୍ତୁ ସତେ ଯେପରି ଆନନ୍ଦ ରେ ନାଚିଉଠୁଥାଏ ।ସତେ ଯେପରି ପୁତ୍ର ଆଜି ପାଇଛି ମାତୃତ୍ୱ ର ସନ୍ଧାନ।ଅର୍ଣ୍ଣିମେଶ ଙ୍କ ଠାରେ କି ଭାବାନ୍ତର ଆସିଲା କେଜାଣି ଯଶୋଦା ଙ୍କ କୋଳ ରେ ମୁଣ୍ଡ ରଖି ଶୋଇ ପଡିଲେ।କୋଳ ରେ ମୁଣ୍ଡ ରଖି ଅର୍ଣ୍ଣିମେଶ ସତେ ଯେପରି କହୁଛନ୍ତି,"ନା ମା, ତୁମେ ସେହିପରି ବସିଥାଅ, ମୁଁ ତୁମ କୋଳ ରେ ମୁଣ୍ଡ ରଖି ସେମିତି ଶୋଇଥାଏ,ଆଉ ତୁମେ ମୋତେ ଶୁଣାଇ ଦିଅ ସେହି ଗୀତ,"ଧୋ ରେ ବାୟା ଧୋ----"।
       କେହି କେହି କହୁଥାନ୍ତି, କେତେ ବହପ ଦେଖ ଏହାର, ଗୋଟାଏ ସ୍ତ୍ରୀ ଲୋକ କୁ ସାମାନ୍ୟ କଥାରେ ଏପରି ବାଡେଇବା କଥା। ପୋଲିସ କୁ ଡାକ। କିନ୍ତୁ ଯଶୋଦା ଦେବୀ କହୁଥାନ୍ତି ଛାଡ଼ ସେ କଥା। ଛୋଟ ଝିଅ ଟିର କଥା କଣ ଧରାଯାଏ।କିନ୍ତୁ ବାବୁ ରେ ତୋ ମମ ଯେଉଁ 11 ନମ୍ବର ରୋମ ରେ ରହିବେ ସେହି ରୋମ ର ପଙ୍ଖା ଟା ଭଲ ପବନ ଦେଉ ନାହିଁ।ଗରମ ରେ କିପରି ରହିବେ?।ପଙ୍ଖା ଟା ବଦଳାଇ ଦେବ ବାପା। ଯେତେ ହେଲେ ସେ ଗର୍ଭ ଧାରୀ ମା। 
       ଏକଥା ଶୁଣି ଅର୍ଣ୍ଣିମେଶ ର ମମ କହିଲେ,"ନା ରେ ବାବା, ମୁଁ ନୁହେଁ, ଯେଉଁ ଗର୍ଭ ନିକଟରେ ତୁ ତୋ ମୁଣ୍ଡ ଦେଇ ଶୋଇଛୁ, ସେହି ଗର୍ଭ ହିଁ ତୋର ପ୍ରକୃତ ଗର୍ଭ,ଯେଉଁ ଗର୍ଭ କି ତୁ ସଂସାର କୁ ଆସିବାର ମାଧ୍ୟମ ଅଟେ।ମୁଁ ଡାକିନି ନିଜର ସୌନ୍ଦର୍ଯ୍ୟ କୁ ବଜାୟ ରଖିବା ପାଇଁ ଯଶୋଦା ର ଗର୍ଭ କୁ ଭଡାରେ ଆଣିଥିଲି।ସେ ହିଁ ତୋତେ ଦଶ ମାସ ଦଶ ଦିନ ଗର୍ଭ ରେ ଧାରଣ କରିଥିଲା। ତାହାର ସ୍ତନ୍ୟପାନ ରେ ତୋ ଶରୀର ଶୈଷ୍ଟବ।
              ସମସ୍ତ ଙ୍କ ବାକ୍ୟ ବାଣ ରେ ଲାଜ ରେ ଝାଉଁଳି ପଡ଼ିଥାନ୍ତି ଅନ୍ୱେଶା ଦେବୀ।କିଏ କହୁଥାଏ ଓଡ଼ି କାର ଚଢିଲେ କଣ ହେବ, ମା କୁ ତ ଘରେ ରଖିବାକୁ ଜାଗା ନାହିଁ ।ଦୁଇ ମା ଙ୍କ ପାଦ ଧରି ଭୁଲ ମାଗୁଥାନ୍ତି ଅନ୍ୱେଶା ଓ ଅର୍ଣ୍ଣିମେଶ। ମମ ଙ୍କୁ ନେହୁରା ହେଉଥାନ୍ତି ଅର୍ଣ୍ଣିମେଶ ଘର କୁ ଫେରିଯିବା ପାଇଁ। କିନ୍ତୁ ମମ କହୁଥାନ୍ତି, ନା କେବେହେଲେ ମୁଁ ଏକା ଯିବି ନାହିଁ, ଯଦି ଘରକୁ ଫେରିବି ତେବେ ତୋର ଗର୍ଭ ଧାରୀ ଯଶୋଦା ସହିତ ଫେରିବି, ନଚେତ ସେହି 11ନମ୍ବର ରୁମ ରେ ମୁଁ ଯଶୋଦା ସହିତ କଟାଇବି।
          ଦୁଇ ମାତା ଙ୍କୁ ଚାରି ବାହୁ ବନ୍ଧନ ରେ ରଖି ଘରକୁ ବାଟ କଢେଇ ନେଉଥିବା ସମୟରେ ଅନ୍ତେବାସୀ ଗଣ ଏ ଅପୂର୍ବ ଦୃଶ୍ୟ କୁ ଉପଭୋଗ କରି କହୁଥାନ୍ତି,"ସମ୍ପର୍କ ର ବନ୍ଧନ କୁ କିଏ କାଟିବ?"

ସିଦ୍ଧି ପ୍ରସାଦ ସାହୁ ସମ୍ପାଦକ ପ୍ରତିବିମ୍ବ

Leave A Reply

Your email address will not be published.

four × 1 =