ସଂଗ୍ରାମ ପଥେ ସଂଗ୍ରାମୀ ବୈକୁଣ୍ଠ ସାହୁ ତାଳଚେର ପ୍ରଜାମଣ୍ଡଳ ଇତିହାସକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ଆଗଧାଡ଼ିର ସମସ୍ତ ନେତା ଓ କର୍ମୀ ଥିଲେ ଉଚ୍ଚ ଧନୀକ ଗୃହର ଓ ସୁଶିକ୍ଷିତ । ତେଣୁ ସମସ୍ତେ ଥିଲେ ବାବୁ ପଦବାଚ୍ୟ । କିନ୍ତୁ ସେହି ଆଗଧାଡ଼ିର ନେତା ( ବା ) କର୍ମୀ ମାନଙ୍କ ମଧ୍ୟରୁ ଜଣେ ଥିଲେ ମଧ୍ୟବିତ୍ତ ପରିବାରର ଲୋକ , ଶିକ୍ଷାଥିଲା ଗାଁ ଚାଟଶାଳୀ ପର୍ଯ୍ୟନ୍ତ , କିନ୍ତୁ ସମସ୍ତେ ତାଙ୍କୁ ବାବୁ ବୋଲି ସମ୍ବୋଧନ କରୁଥିଲେ । ତାଙ୍କ ଉପରେ ରାଜତନ୍ତ୍ର କରିଥିବା ଅତ୍ୟାଚାରକୁ ଦେଖି ଜଣେ ସୁଶିକ୍ଷିତ ଯୁବକ ସରକାରୀ ଚାକିରୀ ଛାଡ଼ି ବାଛି ନେଇଥିଲେ ସଂଗ୍ରାମର କଣ୍ଟକିତ ପଥ । ସେ ଏତେ ଭଦ୍ର , ନମ୍ର ଓ ଦେଶପ୍ରେମୀ ଥିଲେ ଯେ ବଣିଆଁ ସୁନାକୁ କଷଟି ପଥରରେ କଷିବା ପରି , ପବିତ୍ର ମୋହନ ତାଙ୍କୁ ବିଭିନ୍ନ ଦିଗରୁ ପରୀକ୍ଷା କରି ପ୍ରଜାମଣ୍ଡଳ ଗଠନ ପୂର୍ବରୁ ବହୁତ ଗୁରୁ ଦାୟିତ୍ବ ଦେଇଥିଲେ । ସେହି ସଂଗ୍ରାମୀ ହେଉଛନ୍ତି ବୈକୁଣ ସାହୁ । ସଂଗ୍ରାମୀ ବୈକୁଣ୍ଠ ସାହୁ କଣିହାଁ ବ୍ଲକ ସ୍ଥିତ କଂସମୁଣ୍ଡା ଗ୍ରାମର ଏକ ମଧ୍ୟବିତ୍ତ ଚଷା ପରିବାରରେ ୧୯୦୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତା ଆନନ୍ଦ ଚନ୍ଦ୍ର ସାହୁ ଓ ମାତା କଇରୀ ସାହୁଙ୍କର ସେ ଥିଲେ ଏକ ମାତ୍ର ପୁତ୍ର ସନ୍ତାନ । ଗାଁ ଚାଟଶାଳୀ ରେ ଶିକ୍ଷା ଗ୍ରହଣ ସମାପନ ରେ ପୋଥିରେ ଡୋରି ବନ୍ଧାଯାଇଥିଲା । ଭଲ ଚାଷ ଜମି ଥିଲେ ମଧ୍ୟ ରାଜାଙ୍କର ବିଭିନ୍ନ ପ୍ରକାର କରଭାର ରେ ପରିବାର ନିଷେଷିତ ହେଉଥିଲା । ତେଣୁ ବାଲ୍ୟକାଳରୁ ସେ ଥିଲେ ରାଜତନ୍ତ୍ର ବିରୋଧୀ ।
ପବିତ୍ର ମୋହନ ତାଳଚେର ରାଜ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସମୟରେ ବିଭିନ୍ନ ଛୁଟି ଦିନ ମାନଙ୍କରେ ସ୍ଵଗୃହ ପୋଇପାଳ କୁ ଫେରୁଥିବା ସମୟରେ ବିଭିନ୍ନ ଗ୍ରାମର ଲୋକମାନଙ୍କ ସଂସ୍ପର୍ଶରେ ଆସି ଯେଉଁମାନେ ରାଜତନ୍ତ୍ର ବିରୋଧୀ ଥିଲେ ସେମାନଙ୍କ ସହିତ ଆତ୍ମୀୟତା ବଢ଼ାଉଥାଆନ୍ତି । ଯଦିଓ ଲୋକମାନେ ରାଜତନ୍ତ୍ରରେ ଅତିଷ୍ଠ ହୋଇଯାଇଥାଆନ୍ତି କିନ୍ତୁ ପାଟି ଫିଟାଇ ପାରୁନଥାନ୍ତି । କାରଣ ଗାଁ ରେ ଯଦିଓ ଦୁଇଚାରି ଜଣ ରାଜପକ୍ଷୀୟ ଲୋକଥାଆନ୍ତି , କିନ୍ତୁ ସେମାନେ ରାଜାଙ୍କୁ ସମସ୍ତ ଖବର ଦେଇଦିଅନ୍ତି । ରାଜା ଜାଣିଗଲେ କଥା ସଲା । ଡ଼ମ ପୋଲିସ ମାଡ଼ରେ ପିଚା ଓ ପିଠିରୁ ଛାଲ ଛାଡ଼ିଯାଏ । କଂସମୁଣ୍ଡା ଗ୍ରାମରେ ରାଜାଙ୍କର ଜଣେ କୃତ୍ତିବାସ ଛାଟିଆ ଥିଲେ । ତାର କଥା ନମାନିଲେ ସେ କହନ୍ତି , “ ମୋରା ଗାଏଁ ପଳାଓ” । ଜଣେ ସାଧାରଣ ଗ୍ରାମରକ୍ଷୀ ଯଦି ଏପରି କଥା କହୁଥିଲା ରାଜଦଣ୍ଡ କିପରି ଥିବ ସହଜରେ ଅନୁମେୟ । ତତ୍କାଳୀନ ଏ ପ୍ରକାର ରାଜନୈତିକ ପରିବେଶ ମଧ୍ୟରେ ଲୋକମାନଙ୍କ ମନରେ ଜାଗରଣ ସୃଷ୍ଟିପାଇଁ ପବିତ୍ର ମୋହନ ଯେଉଁ କେତେ ଜଣଙ୍କୁ ନିଜର ବିଶ୍ୱସ୍ତ ଲୋକ ଭାବରେ ବାଛିଥିଲେ ସେମାନଙ୍କ ମଧ୍ୟରେ ପୋଇପାଳ ର ଅଧର ଚନ୍ଦ୍ର ପ୍ରଧାନ ଓ କଂସମୁଣ୍ଡାର ବୈକୁଣ୍ଠ ସାହୁ ସର୍ବାଗ୍ରେ ଥିଲେ । ରାଜତନ୍ତ୍ର ଯେତେବେଳେ ଏକଥା ଜାଣିଲେ ରାଜାଙ୍କ ଡ଼ମ ପୋଲିସ ମାନେ ବୈକୁଣ୍ଠ ସାହୁଙ୍କୁ ଅତି ଅମାନୁଷିକ ଭାବରେ ସର୍ବସମ୍ମୁଖ ରେ ବେତ୍ରାଘାତ କରିଥିଲେ । ବୈକୁଣ୍ଠ ସାହୁଙ୍କ ଉପରେ ହୋଇଥିବା ଅତ୍ୟାଚାର ର ଦୃଶ୍ୟକୁ ଦେଖି ଶିକ୍ଷିତ ଯୁବକ ବିଛନ୍ଦ ଚରଣ ପ୍ରଧାନ ନିଜ ଜୀବନର ଗତିପଥ ବଦଳାଇ ଦେଇଥିଲେ । ପୋଲିସ ଅଫିସର ପାଇଁ ମନୋନୀତ ଚାକିରୀକୁ ପଦାଘାତ କରି ବାଛି ନେଇଥିଲେ ବିପ୍ଳବର ପଥ ।
ବିଲାତରେ ଗୋଲଟେବୁଲ ବୈଠକରେ ଗାନ୍ଧିଜୀ ଭାରତ ପାଇଁ ସ୍ବାଧୀନତାର ସନ୍ଧାନ ନ ପାଇ ହତାଶ ହୋଇ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ଭାରତର ରାଜା ମହାରାଜା ମାନେ ଇଂରେଜ ମାନଙ୍କ ଛତ୍ରଛାୟା ତଳେ ରହି ପ୍ରଜାମାନଙ୍କୁ ଶୋଷଣ କରୁଥାଆନ୍ତି । କଂଗ୍ରେସ ଅନୁଭବ କଲା ଯେ ରାଜା ମହାରାଜା ମାନେ ଭାରତର ସ୍ଵାଧୀନତା ପଥରେ ଗୋଟିଏ ଗୋଟିଏ କଣ୍ଟା । ତେଣୁ ଏହି ଗଡ଼ଜାତ ରାଜ୍ୟ ଗୁଡ଼ିକରେ ଜନଜାଗରଣ ସୃଷ୍ଟି ପାଇଁ ୧୯୩୬ ମସିହାରେ ବଳବନ୍ତରାୟ ମେହେଟ୍ଟାଙ୍କ ଅଧକ୍ଷତା ରେ ଗଡ଼ଜାତ ପ୍ରଜାସମ୍ମିଳନୀ ଅନୁଷ୍ଠିତ ହେଲା । ୧୯୩୬-୩୮ ମସିହାରେ ଡ଼.ହରେକୃଷ୍ଣ ମହତାବ , ସାରଙ୍ଗଧର ଦାସ ଓ ବଳବନ୍ତରାୟ ମେହେଟ୍ଟାଙ୍କୁ ନେଇ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି ଅନୁଷ୍ଠିତ ହେଲା । ତାଳଚେର ଗଡଜାତ ରାଜ୍ୟରେ ରାଜାଙ୍କ ଦ୍ଵାରା ହେଉଥିବା ସମସ୍ତ ଅତ୍ୟାଚାରର ବିବରଣୀ ର ଏକ ଦଲିଲ ପ୍ରସ୍ତୁତ କରି ଅନୁଗୋଳ ଠାରେ ଏହି ତଦନ୍ତ କମିଟି ଆଗରେ ବୈକୁଣ୍ଠ ସାହୁ ଅନ୍ୟ ନେତୃସ୍ଥାନୀୟ ବ୍ୟକ୍ତି ଯଥା ମାଗୁଣି ଚନ୍ଦ୍ର ପ୍ରଧାନ , ଦାଶରଥି ପାଣି , କୃତିବାସ ରଥ , କାଶୀନାଥ ସାନ୍ତରା , ଗୋପୀନାଥ ଗଡ଼ନାୟକ , ଅଧର ଚନ୍ଦ୍ର ପ୍ରଧାନ , କୁଞ୍ଜବିହାରୀ ପ୍ରଧାନ ଦୁର୍ଗାପୁରଙ୍କ ସହିତ ସମ୍ମିଳିତ ହୋଇ ଉପସ୍ଥାପନ କରିଥିଲେ । ଫଳରେ ରାଜାଙ୍କ କୋପଦୃଷ୍ଟି ଅଧିକ ବୈକୁଣ୍ଠ ସାହୁଙ୍କ ଉପରେ ପଡ଼ିଥିଲା । ଏହା ପୂର୍ବରୁ ବୈକୁଣ୍ଠ ସାହୁ ୧୯୩୨ ମସିହାରେ କଟକ ଠାରେ ବିଦେଶୀ ଲୁଗା , ଅଫିମ , ଗଞ୍ଜଇ ଆଦି ଦୋକାନ ଆଗରେ ପିକେଟିଂ କରି ଗିରଫ ହୋଇ କଟକ ଜେଲରେ ବନ୍ଦୀ ଜୀବନ ବିତାଇ ସାରିଥାଆନ୍ତି ।ସମୟକ୍ରମେ ପବିତ୍ର ମୋହନ ୧୯୩୮ ମସିହା ସେପ୍ଟେମ୍ବର ୬ ତାରିଖ ଦିନ କୋଶଳା ଠାରେ ପ୍ରଜାମଣ୍ଡଳ ଗଠନ କଲେ । ବୈକୁଣ୍ଠ ସାହୁ ଉକ୍ତ ପ୍ରଜାମଣ୍ଡଳରେ ଯୋଗଦାନ କରି ପ୍ରଜାମଣ୍ଡଳର କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ । ତାଳଚେର ରାଜା ବ୍ରିଟିଶ ପଲଟିକାଲ ଏଜେଣ୍ଟକୁ ସହାୟତାରେ ପ୍ରଜାମଣ୍ଡଳର ନେତା ଓ କର୍ମୀଙ୍କ ବିରୋଧରେ ଗିରଫ ପରୱାନା ଜାରିକଲେ । ଫଳରେ ୧୯୩୮ ମସିହା ନଭେମ୍ବର ଦୁଇ ତାରିଖ ଠାରୁ ପ୍ରଜାମଣ୍ଡଳର ନେତା ଓ କର୍ମୀ ମାନେ ଗିରଫ ହେଲେ । ପ୍ରଜାମଣ୍ଡଳ ର ଗିରଫ ୧୨ ଜଣ ନେତା ଓ କର୍ମୀଙ୍କ ମଧ୍ୟରେ ବୈକୁଣ୍ଠ ସାହୁ ଗିରଫ ହୋଇ କଟକ ଜେଲରେ ବନ୍ଦୀ ଜୀବନ ଅତିବାହିତ କଲେ । ବୈକୁଣ୍ଠ ସାହୁ କଟକ ଜେଲରେ ବନ୍ଦୀ ଜୀବନ ଯାପନ କରୁଥିବା ସମୟରେ ତାଙ୍କର ସହଧର୍ମିଣୀ ଗେଲ୍ହେଇ ସାହୁ ଅତିକଷ୍ଟରେ ତାଙ୍କର ଋଗୁଣ ଶାଶୁ ଶ୍ଵଶୁରଙ୍କର ସେବାଯତ୍ନ କରୁଥାନ୍ତି । କିନ୍ତୁ ସେ ସମୟରେ ରାଜାଙ୍କ ନବଗ୍ରହ ମଧ୍ୟରୁ ଅନ୍ୟତମ ପ୍ରଜାପୀଡ଼କ ପୋଡ଼ଶୀ ଗ୍ରାମର ମାଗୁଣି ସାମନ୍ତ ରାଜାଙ୍କ ନିକଟରେ ଯାଇ କହିଲେ , ” ବୈକୁଣ ସାହୁଙ୍କ ସ୍ତ୍ରୀ କୋଶଳା କ୍ୟାମ୍ପରେ ନାରୀ ମାନଙ୍କୁ ଭାଷଣ ଦେଇ ବିଦ୍ରୋହ ପାଇଁ ଉତ୍ସାହିତ କରୁଛନ୍ତି ” । ରାଜାଙ୍କ ନିକଟରୁ ହୁକୁମ ଆସିଲା ଗେହ୍ଲେଇ ସାହୁ ରାଜଦରବାର ରେ ଉପସ୍ଥିତ ହେବା ପାଇଁ । ତେଣୁ ବୈକୁଣ୍ଠ ସାହୁଙ୍କ ସହଧର୍ମିଣୀ ନିଜର ପିତୃଘର ହାଣ୍ଡିଧୂଆଁ ରୁ ନିଜର ବଡ଼ବାପା ( ବବା ) ସାନ୍ତରା ପ୍ରଧାନଙ୍କୁ ଧରି ରାଜଦରବାର ରେ ଉପସ୍ଥିତ ହେଲେ । ମାଗୁଣି ସାମନ୍ତଙ୍କର ଏତାଦୃଶ କାନକୁହା କଥା ପାଇଁ ରାଜତନ୍ତ୍ର ଧ୍ୱଂସ ହୋଇଯିବା ପାଇଁ ବବା ଝିଆରୀ ଅଭିଶାପ ଦେଇ ରାଜବାଟୀରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ରାଜାଙ୍କର ଲାଲ ଆଖିରୁ ବର୍ତ୍ତିବା କଷ୍ଟ । ତେଣୁ ରାଜତନ୍ତ୍ର ବୈକୁଣ୍ଠ ସାହୁଙ୍କର ଘରେ ଥିବା ସମସ୍ତ ସମ୍ପତ୍ତି ବାର୍ଯ୍ୟାପ୍ତ କରିଦେଇଥିଲେ । କଟକର ଯୁବ ଓକିଲ ଦୀନବନ୍ଧୁ ସାହୁ ଓ ଡ଼ଃ.ହରେକୃଷ୍ଣ ମହତାବଙ୍କ ଯୋଗୁଁ ସାଥୀ ବନ୍ଦୀ ମାନଙ୍କ ସହିତ ବୈକୁଣ୍ଡ ସାହୁ ୧୯୩୯ ମସିହା ମେ ୧୭ ତାରିଖ ଦିନ ଜେଲରୁ ମୁକ୍ତ ହୋଇ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନରେ ପୁଣି ସକ୍ରିୟ ହୋଇଉଠିଲେ । ଗ୍ରାମ ପଞ୍ଚାୟତ ମାଧ୍ୟମରେ ଲୋକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନରେ ନିଜକୁ ନିୟୋଜିତ କଲେ । ତାଳଚେର ଜନଗଣ ପୃଥିବୀ ପ୍ରସିଦ୍ଧ ହିଜରାତ ଶେଷ କରିସାରିଥାନ୍ତି ।
୧୯୪୦ ମସିହାରେ ଅନାବୃଷ୍ଟି ଯୋଗୁଁ ହୋଇଥିବା ଫସଲ ହାନୀର ଆକଳନ ପାଇଁ ପ୍ରଜାମଣ୍ଡଳ ଏକ କମିଟି ଗଠନ କରିଥାଏ । ବ୍ରିଟିଶ ସରକାର ମଧ୍ୟ ଏକ କମିଟି ଗଠନ କରି କ୍ଷୟକ୍ଷତିର ଆକଳନ କରୁଥାଏ । କ୍ଷୟକ୍ଷତିର ପରିମାଣକୁ ନେଇ ଦୁଇ କମିଟି ମଧ୍ୟରେ ମତପାର୍ଥକ୍ୟ ଦେଖାଦେଲା । ତେଣୁ ତାଳଚେର ରାଜା ବ୍ରିଟିଶ ପଲଟିକାଲ ବିଭାଗକୁ ପ୍ରବର୍ତ୍ତାଇ ପ୍ରଜାମଣ୍ଡଳର ନେତା ଓ କର୍ମୀ ମାନଙ୍କୁ ଗିରଫ ପାଇଁ ଗିରଫ ପରୱାନା ଜାରିକଲେ । ଏହି Extradiction Warrant ବଳରେ ପ୍ରଜାମଣ୍ଡଳ ର ଦାଶରଥି ପାଣି , ପବିତ୍ର ମୋହନ ପ୍ରଧାନ , ମାଗୁଣି ଚନ୍ଦ୍ର ପ୍ରଧାନ , ପବିତ୍ର ବେହେରା , ଦୟାନିଧି ରଥ , ମଦନ ମୋହନ ପ୍ରଧାନଙ୍କ ସହିତ ବୈକୁଣ୍ଠ ସାହୁ ଗିରଫ ହୋଇ ତାଳଚେର ଜେଲରେ ବନ୍ଦୀ ଜୀବନ ଯାପନ ଅତିବାହିତ କରିଥିଲେ । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହେବାପାଇଁ ପ୍ରଜାମଣ୍ଡଳିର ସଭାପତି ପବିତ୍ର ମୋହନ ପ୍ରଧାନ ଜେଲରୁ ପଳାୟନ ପାଇଁ ଉପାୟ ଚିନ୍ତା କଲେ । ପବିତ୍ର ମୋହନ ପ୍ରଧାନଙ୍କ ସହିତ ତାଙ୍କର ଅତ୍ୟନ୍ତ ବିଶ୍ୱସ୍ତ ବୈକୁଣ୍ଠ ସାହୁ ଓ ପବିତ୍ର ବେହେରା ( ସନ୍ତରାବନ୍ଧ) ମଧ୍ୟ ପଳାୟନ ପାଇଁ ସ୍ଥିରୀକୃତ ହେଲା । କିନ୍ତୁ ଏକା ସାଙ୍ଗରେ ତିନି ଜଣ ପଳାୟନ କଲେ ଧରାପଡ଼ିଯିବା ଭୟରେ ବୈକୁଣ୍ଠ ସାହୁ ଓ ପବିତ୍ର ଦେହେରାଙ୍କ ପଳାୟନକୁ ସ୍ଥଗିତ ରଖାଗଲା । ପବିତ୍ର ମୋହନ ପ୍ରଧାନଙ୍କ ଲିଖିତ ଆତ୍ମଜୀବନୀ ପୁସ୍ତକ ମୁକ୍ତିପଥେ ସୈନିକ ପୁସ୍ତକରେ ଏହା ବର୍ଣ୍ଣିତ ହୋଇଅଛି । ସାଥୀ ରାଜନୈତିକ ବନ୍ଦୀ ମାନଙ୍କ ସହାୟତରେ ନିର୍ମିତ ପିରାମିଡ ରେ ପବିତ୍ର ମୋହନ ୧୯୪୨ ଅଗଷ୍ଟ ୩୧ ତାରିଖ ଦିନ ତାଳଚେର ଜେଲ ପାଚେରୀ ଡେଇଁ ପଳାୟନ କଲେ । ପବିତ୍ର ମୋହନ ପଳାୟନ ପରେ ସାଥୀ ରାଜନୈତିକ ବନ୍ଦୀ ମାନଙ୍କ ଉପରେ ରାଜତନ୍ତ୍ର ଅର୍ଥନୀୟ ଅତ୍ୟାଚାର କଲା । ସେଦିନର ଅନୁଭୂତିକୁ ନେଇ ବିପ୍ଳବୀ ବୈକୁଣ ସାହୁ କହନ୍ତି , “ ଡ଼ମ ପୋଲିସଙ୍କ ଠିଆ ଗୋଇଠା ମାଡ଼ରେ ଆମେ ମୁହଁମାଡ଼ି ତଳେ ପଡ଼ିଯାଉ । ଆମ ପିଠି ଓ ଗୋଡ଼ରେ ଡ଼ମ ପୋଲିସ ମାନେ ଛିଡ଼ା ହୋଇଯାଆନ୍ତି । ଦେହରୁ ଲୁଗାକୁ କାଢ଼ି ନିଆଯାଏ ।
ଉଲଗ୍ନ ନିତମ୍ବ ଉପରେ ନିର୍ଘାତ ବେତମାଡ଼ ଦିଆଯାଏ । ପ୍ରଥମ ଦୁଇତିନି ବେତ ପ୍ରହାର ଜଣାପଡ଼େ । ତାପରେ ଚମଡ଼ା ସ୍ପର୍ଶ ଶକ୍ତି ହରାଏ । ଝରି ପଡୁଥିବା ରକ୍ତ ଉପରେ ଢ଼ାଳିଦିଅନ୍ତି ଟିଙ୍କଚର । ମରଣ ଦାୟକ ଯନ୍ତ୍ରଣା । ଜେଲ ବଦଳରେ ସେଲରେ ରହିବାକୁ ଦିଆଗଲା । ପିନ୍ଧିବାକୁ ଦିଆଗଲା ଲୁଗା ବଦଳରେ ଛଣପଟ ତିଆରି ଅଖା ” | ତାଳଚେର ଜେଲରେ ଥିବା ବୈକୁଣ୍ଠ ସାହୁଙ୍କ ସମେତ ସମସ୍ତ ରାଜନୈତିକ ବନ୍ଦୀ ମାନଙ୍କ ବିରୋଧରେ ରାଜଦ୍ରୋହ ଓ ଷଡଯନ୍ତ୍ର ଇତ୍ୟାଦି ମାମଲା ରଜୁହେଲା । କିନ୍ତୁ କଟକର ଯୁବ ଓକିଲ ଦୀନବନ୍ଧୁ ସାହୁ ଓ ଅନୁଗୋଳର ଅବସରପ୍ରାପ୍ତ ବିଚାରପତି ତଥା କିନ ତ୍ରିଲୋଚନ ମିଶ୍ରଙ୍କ ଓକିଲାତି ଫଳରେ ପ୍ରମାଣ ଅଭାବରୁ ରାଜତନ୍ତ୍ରର ସମସ୍ତ ତଥ୍ୟ ମିଥ୍ୟା ବୋଲି ପ୍ରମାଣିତ ହେଲା । ତାଳଚେର ଜେଲରେ ବୈକୁଣ୍ଠ ସାହୁ ୧ ବର୍ଷ ୨୦ ଦିନ ଜେଲ ଜୀବନ ଯାପନ ଅତିବାହିତ କରି ମୁକ୍ତି ଲାଭ କଲେ । ଜେଲରୁ ମୁକ୍ତ ହେବାପରେ ବୈକୁଣ୍ଠ ସାହୁ ପୁଣି ପ୍ରଜାମଣ୍ଡଳକୁ ସକ୍ରିୟ କରିବା ପାଇଁ ଗାଁ କୁ ଗାଁ ବୁଲି ସତ୍ୟାଗ୍ରହୀ ମାନଙ୍କୁ ଏକଜୁଟ କଲେ।
ଗ୍ରାମ୍ୟ ସ୍ୱରାଜ କଥା କହିଲେ । ରାଜାଙ୍କ ହୁକୁମ କୁ ଅମାନ୍ୟ କରି ବେଠି , ବେଗାରୀ ନ ଖଟିବାକୁ କର , ଖଜଣା ନ ଦେବା ପାଇଁ ଲୋକ ମାନଙ୍କୁ ପ୍ରବର୍ତ୍ତାଇଲେ । ଭାରତ ସ୍ୱାଧୀନତା ଲାଭ କଲା ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ । ତାଳଚେର ଗଡ଼ଜାତ ରାଜ୍ୟ ବୈକୁଣ୍ଠ ସାହୁଙ୍କ ପରି ନିଷ୍ଠାପର କର୍ମୀ , ନେତା , ଓ ଜନସାଧାରଣଙ୍କ ଉଦ୍ୟମରେ ୧୯୪୮ ଜାନୁୟାରୀ ଏକ ତାରିଖ ଦିନ ସ୍ଵାଧୀନତା ଲାଭକଲା ।
ସ୍ୱାଧୀନତା ସମାଜରେ ବୈକୁଣ୍ଠ ସାହୁ :
ସ୍ୱାଧୀନତାର ସମାଜ ପାଇଁ ବୈକୁଣ୍ଠ ସାହୁଙ୍କ ଅବଦାନ ଅତୁଳନୀୟ । ବିଭିନ୍ନ ପଞ୍ଚାୟତ ଗୁଡ଼ିକରେ ସୁଚିନ୍ତିତ ମତାମତ ପ୍ରଦାନ କରି ବିଭିନ୍ନ ଗ୍ରାମ୍ୟ ବିବାଦ ଓ ପାରିବାରିକ ବିବାଦ ଗୁଡ଼ିକର ସେ ସୁସମାଧାନ କରିପାରୁଥିଲେ । ବିଭିନ୍ନ ସାମାଜିକ କାର୍ଯ୍ୟରେ ସେ ନିଜକୁ ସର୍ବଦା ନିୟୋଜିତ କରି ରଖିଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସଦା-ସର୍ବଦା ଖଦଡ଼ ବସ୍ତ୍ର ପରିଧାନ କରୁଥିଲେ ଓ କ୍ଷମତା ରାଜନୀତି ଠାରୁ ସଦା ସର୍ବଦା ଦୂରେଇ ରହୁଥିଲେ । ଯେତେବେଳେ ନୂତନ ଭାବରେ କଣିହାଁ ଗ୍ରାମ ପଞ୍ଚାୟତ ଗଠିତ ହେଲା ପବିତ୍ର ମୋହନ ପ୍ରଧାନ ତାଙ୍କୁ ସରପଞ୍ଚ ପ୍ରାର୍ଥୀ ପାଇଁ ପ୍ରସ୍ତାବ ଦେଲେ । କିନ୍ତୁ ସେ ଏହାକୁ ସବିନୟ ସହିତ ଅଗ୍ରାହ୍ୟ କରି ଯୁବକ ମାନଙ୍କ ପାଇଁ ପ୍ରସ୍ତାବ ଦେଲେ । ୧୯୫୦ ମସିହାରେ କଣିହାଁ ଠାରେ ସ୍ଥାପିତ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟ ପାଇଁ ବୈକୁଣ୍ଠ ସାହୁ ତାଙ୍କର ସମସ୍ତ ସମୟ ଗୃହ ନିର୍ମାଣ , ଛାତ୍ରାବାସ , ନିର୍ମାଣରେ ବିନିଯୋଗ କରିଥିଲେ । ତେଣୁ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସ୍ଥାପିତ ଫଳକରେ ତେଲିସିଂହାର ଭାସ୍କର ପ୍ରଧାନ , ଜମାନିଆ ର ନସ୍କର ସାମଲ , କଣିହାଁର ନରେନ୍ଦ୍ର ପ୍ରଧାନ ଓ ଜରଡ଼ାର ବାସୁଦେବ ସାହୁଙ୍କ ନାମ ଉଲ୍ଲେଖ କରାଯାଇଅଛି ।
ଶେଷ ଜୀବନ :
ଜୀବନ ସାରା ଦେଶମାତୃକା ପାଇଁ ନିଜକୁ ଉତ୍ସର୍ଗ କରିଥିବା ବୈକୁଣ ସାହୁ ଅନ୍ତିମ ସମୟ ପର୍ଯ୍ୟନ୍ତ କର୍ମଠ ଥିଲେ । ବିନା ଚଷମାରେ ପ୍ରତ୍ୟେକ ଦିନ ଭାଗବତ ପାଠ ତାଙ୍କ ଜୀବନର ଅନ୍ୟ ଏକ ଆଦର୍ଶ ଥିଲା । ତିନି ପୁତ୍ର , ତିନି କନ୍ୟା ଓ ନାତି ନାତୁଣୀ ମାନଙ୍କ ଗହଣରେ ହସି ହସି ୧୯୯୯ ଜାନୁୟାରୀ ୨୦ ତାରିଖ ଦିନ ସେ ଇହଲୀଳା ସାଙ୍ଗକଲେ । ଏ ଜାତି ମଧ୍ୟ ତାଙ୍କ ସମ୍ମାନ ଦେବାରେ ହେଳା କରିନାହିଁ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ତାଙ୍କୁ ତାମ୍ରଫଳକ ଦେଇ ସମ୍ମାନିତ କରିଥିଲେ ।
ସିଦ୍ଧି ପ୍ରସାଦ ସାହୁ, ସମ୍ପାଦକ ପ୍ରତିବିମ୍ବ