ଅମଡ଼ା ବାଟ

0

ଆଗୋ କଣ କରୁଛ? ଦେହ ଭଲ ଲାଗୁନି କି?କାମ କୁ ଯିବ ନାହିଁକି ଆଜି? “କହି କହି ଘର ଭିତରକୁ ପଶି ଆସିଲେ ସ୍ତ୍ରୀ ମାଳତୀ।ଶୀତୁଆ ସକାଳ ର କନ୍ଥା ଭିତରେ ଥାଇ ନାନା କଥା ନାନା ବ୍ୟଥା ର ଚିନ୍ତା ଭିତରେ ଘାଣ୍ଟି ହେଉଥିବା ମାଧବ ଚିନ୍ତା ରାଜ୍ୟ ରୁ ଫେରି ଆସିଲେ ବାସ୍ତବ ଦୁନିଆଁ କୁ। ମାଧବ ଏପାଖ ସେପାଖ ଦୁଇ ଥର କଡ଼ ଲେଉଟାଇ, ଗୋଟାଏ ଲମ୍ବା ହାଇ ମାରି ମୋଡି ମକଚି ହୋଇ ବିଛଣା ରୁ ଉଠି ବସିଲେ ଓ କହିଲେ,”କାମ କୁ ନଗଲେ ଖାଇବା କଣ?ମୁଁ କଣ ଚାକିରି କରିଛି ଯେ ମାସ ଶେଷ ରେ ଦରମା ଟା ମିଳିଯିବ?”ମାଧବ ର କଥା ନ ସରୁଣୁ, ମାଳତୀ କହିଲା,”ଖାଇବା ଚିନ୍ତା ପରେ,ଆଗେ ଆମ ମୋହନ ପାଇଁ କିପରି ଏ ମାସ ରେ ଟଙ୍କା ପଠାଇବା ସେ କଥା ଚିନ୍ତା କର।”
             ମାଧବ  ସଅଳ ସଅଳ ନିଜର ନିତ୍ୟକର୍ମ ଶେଷ କରି କିଛି ବାସି ପଖାଳ,ଲୁଣ,ଲଙ୍କା,ଓଲି ପିଆଜ ସହିତ ଖାଇ ଦେଇ କିଛି ପଖାଳ ଧରି କାମ କୁ ବାହାରି ପଡ଼ିଲା।କାମ କହିଲେ ଠିକାଦାର ପାଖରେ ଦିନ ମଜୁରିଆ କାମ।କାମ ପାଇଁ ମାଧବ ତାର ଚିରାଚରିତ ପୋଷାକ ପରିଧାନ କଲା।ମୁଣ୍ଡରେ ନାଲି ରଙ୍ଗର ଟୋପି ମୁଣ୍ଡାଇ  କେନ ରେ ଭାତ ଥିବା ବ୍ୟାଗ ଟାକୁ ଉଠାଇଲା ବେଳେ ଗୋଟାଏ ସୁହାଗିଆ ଡାକରେ ମାଳତୀ କୁ ଡାକ ପକାଇ କହିଲା,”ମାଳ ମୁଁ କାମ କୁ ବାହାରିଲି,ସନ୍ଧ୍ୟା କୁ ଫେରିଲେ ଦେଖା”।ମାଳତୀ ତର ତର ହୋଇ ମାଧବ ପାଖରେ ପହଂଚି ପାଣି ବୋତଲ ଟାକୁ ମୁଣା ରେ ରଖୁ ରଖୁ କହିଲା,”ଭଲ ରେ ଭଲ ରେ ଫେରିବ।”
                   ଦାଣ୍ଡ ଦୁଆର ପର୍ଯ୍ୟନ୍ତ ମାଳତୀ ମାଧବ କୁ ବାଟେଇ ଦେଇ ଘରକୁ ଫେରିବା ବେଳେ ଦୁହେଁ ଦୁହିଁଙ୍କୁ ଚାହିଁ ଟିକେ ହସିଦେଇ ମାଳତୀ ଫେରି ଆସିଲା ଘରକୁ। ମାଧବ ମୁଁହ ତଳକୁ କରି ଆଗେଇ ଚାଲିଥାଏ ତାର ଗନ୍ତବ୍ୟ ସ୍ଥାନ କୁ।ଅଭ୍ୟସ୍ତ ପାଦ ଦୁଇଟା ସିନା ଆଗକୁ ଆଗକୁ ମାଡି ଚାଲିଥାଏ , କିନ୍ତୁ ମନ ତାର ଭାସି ବୁଲୁଥାଏ ସେହି ଭଙ୍ଗା ଅତୀତ ରେ ।ମାଧବ କୁ ଯେତେବେଳେ ୧୭/୧୮ବର୍ଷ ସେତେବେଳେ ମାଧବ ର ବାପା ମା ଡକାଡାକି ହୋଇ ଆଗ ପଛ ହୋଇ ଚାଲିଗଲେ ଆରପରିକି।ମୋହନ କୁ ସେତେବେଳେ ୧୦ବର୍ଷ।ମାଧବ ବାପାଙ୍କ ସହିତ ମିଶି ସେତେବେଳକୁ କୁଲି କାମ କରିଥାଏ ଓ ମୋହନ ଗାଁ ପାଖ ସ୍କୁଲ ରେ ଷଷ୍ଠ ଶ୍ରେଣୀ ରେ ପାଠ ପଢୁ ଥାଏ।ମାଧବ କିନ୍ତୁ ଭାଙ୍ଗି ପଡିନଥିଲା ।ପରିବାର ବୋଝ କୁ ନିଜ ମୁଣ୍ଡରେ ମୁଣ୍ଡାଇଲା।ଗାଁ ଲୋକ ମାନେ କହିଲେ,”ମୋହନ କୁ ପାଠ ଛଡାଇ ଦେଇ ଦୁଇ ଭାଇ କାମ କରନ୍ତୁ ଓ ହାତକୁ ଦି ହାତ ହୋଇ ଯାଇ ଅଲଗା ହୋଇ ଯାଆନ୍ତୁ ।”ମାଧବ ମୂର୍ଖ ହେଲେ କଣ ହେଲା,ତା ପାଖରେ ଥିଲା ନୈତିକତା ଓ ଭାଇ ପ୍ରତି ଭାଇ ର ସ୍ନେହ ।ସେ ସିନା ପାଠ ପଢିନି,ଗୋଟାଏ ମାଟି ଗଣେଶ କିନ୍ତୁ ସେ ଚିନ୍ତାକଲା ତା ଭାଇ କୁ ପାଠ ପଢ଼ାଇବ, ହାକିମ କରିବ। ଭାଗ୍ୟ କୁ ମାଧବ ମଧ୍ୟ ମାଳତୀ ପରି ସ୍ତ୍ରୀ ଟିଏ ପାଇଲା,ଯିଏକି ମୋହନ କୁ ନିଜର ପୁଅ ପରି ସ୍ନେହ କରେ।ନିଜ ହାତରେ ମାଳତୀ ମୋହନ କୁ ଗାଧୋଇ ପାଧୋଇ ପୋଷାକ ପିନ୍ଧାଇ ସ୍କୁଲ କୁ ପଠାଇ ଦେବା ର ଦୃଶ୍ୟକୁ ଦେଖିଲେ ମାଧବ ର ଖୁସି କହିଲେ ନ ସରେ । ମୋହନ ଏବେ ସହର ରେ ପଢୁଛି।
    ମୋହନ ମାଧବ ପାଖକୁ ଚିଠି ଲେଖିଛି ଯେ ସେ କୁଆଡେ ଗୋଟାଏ ବଡ଼ ଚାକିରି ପାଇଁ ପରକ୍ଷା ଦେବ , ତେଣୁ ଦଶ ହଜାର ଟଙ୍କା ଦରକାର ହେବ।ଟଙ୍କା ନପଠାଇଲେ ସେ ପରୀକ୍ଷା ଦେଇ ପାରିବ ନାହିଁ। କେଉଁଠୁ ଏତେ ଟଙ୍କା ଯୋଗାଡ କରିବ ଭାବି ଭାବି ମୋହନ କାମ କୁ ଯାଉଛି। ଚିନ୍ତାକଲା ଆଜି ଠିକାଦାର ଙ୍କୁ ଅନୁରୋଧ କରିବ ଟଙ୍କା ପାଇଁ। କାମ ଶେଷ କରି ଅପରାହ୍ନ ରେ ଘରକୁ ଫେରିବା ବେଳକୁ ମାଧବ ଠିକାଦାର ଙ୍କ ପାଖରେ ଗୋଟିଏ ବାଧ୍ୟ ଛାତ୍ର ପରି ଯାଇ ଛିଡାହେଲା । ମୁହଁ ତଳକୁ କରି ଥରିଲା ଥରିଲା କଣ୍ଠ ରେ କହିଲା,” ଆଜ୍ଞା, ଗୋଟେ କଥା ଥିଲା ।”ମାଧବ ଆଡକୁ ଠିକାଦାର ଟିକେ ଚାହିଁ ଦେଇ କହିଲେ,” କଣ କିରେ ମାଧବ, ସପ୍ତାହ ମଝିରେ କଣ ଟଙ୍କା ଦରକାର ପଡ଼ିଲାକି?” ମାଧବ ପୁଣି ଗୋଟିଏ ହାତ ପାପୁଲି ଉପରେ ଅନ୍ୟଏକ ହାତ ପାପୁଲି କୁ ମକଚି ମକଚି କହିଲା,”ଆଜ୍ଞା, ଆପଣଙ୍କ କୃପା ରୁ ଏ ମାଧବ କୁ କେବେ ଅନ୍ନ କଷ୍ଟ ପଡ଼ିନାହିଁ। କେବଳ ଗୋଟେ ଅନୁରୋଧ ଥିଲା।”
ମାଧବ କୁ ଅଭୟ ଦେଲା ପରି ଠିକାଦାର କହିଲେ,”ଆରେ କହ କଣ ହୋଇଛି?”ଆଜ୍ଞା ଟଙ୍କା ଟିକେ ଦରକାର ଥିଲା । ଠିକାଦାର ଟିକେ ଗମ୍ଭୀର ହୋଇ କହିଲେ,”କଣ ଟଙ୍କା କରିବୁ?ତୋ ସ୍ତ୍ରୀ ର ଦେହ ଭଲ ନାହିଁକି?” ମାଧବ ଟିକେ ଅସ୍ପଷ୍ଟ ଗଳା ରେ କହିଲା,”ନା ଆଜ୍ଞା, ଆମ ଗରିବ ଗୁରୁବା ଙ୍କୁ କାଳିଆ ସାଆନ୍ତ ହିଁ ଭରଷା।ତାଙ୍କ ଆଶୀର୍ବାଦ ରୁ ଭଲ ରେ ଅଛୁ।” ଠିକାଦାର ଟିକେ ରହିଯାଇ ପଚାରିଲେ,” ତେବେ ଟଙ୍କା କଅଣ କରିବୁ?”ଆଜ୍ଞା ମୋ ସାନଭାଇ ଟା କଣ ଗୋଟେ ପରୀକ୍ଷା ଦେବବୋଲି  ଟଙ୍କା ମାଗିଛି। ଆପଣ ମୋତେ ଟଙ୍କା ଦେଇଥିଲେ ମୁଁ ମଜୁରୀ ର ଅଧା ଟଙ୍କା ନେବି ଓ ଅନ୍ୟ ଅଧା କ କରଜ ସୁଝାରେ କାଟିଦେବି।” ଠିକାଦାର ପଚାରିଲେ,” ଆରେ କେତେ ଟଙ୍କା ଦରକାର?” ମାଧବ ଟିକେ ଶଙ୍କି ଯାଇ କହିଲା,”ଆଜ୍ଞା ଦଶ ହଜାର ଟଙ୍କା।” ଠିକାଦାର ଟିକେ ରହି ଯାଇ କହିଲେ,”ଆରେ ଏତେ ଟଙ୍କା ! କେଉଁ ଭାଇ କାହାର ଅଟେ? ତୋ ଭାଇ ଚାକିରୀ କଲେ କଣ ତୁମ ମାନଙ୍କୁ ନେଇ ପାଖ ରେ ରଖିବ?” ମାଧବ ର ଦୁଇ ନାକ ପୁଡ଼ାରେ ଖୁବ ଜୋରରେ ନିଶ୍ୱାସ ଛାଡି ଦେଉଦେଉ  କହିଲା,” ଆଜ୍ଞା, ମୋ କର୍ତ୍ତବ୍ୟ ମୁଁ କରିବି, ତା କର୍ତ୍ତବ୍ୟ ସେ କରିବ କି ନାହିଁ ସେ ଜାଣେ।” ଠିକାଦାର ଟିକେ ରହିଯାଇ କହିଲେ,”ଆରେ କେଉଁ ସର୍ତ୍ତ ରେ ମୁଁ ତୋତେ ଏତେ ଗୁଡ଼ାଏ ଟଙ୍କା ଦେବି?” ଠିକାଦାର ର ଗୋଡ଼ ଦୁଇଟା କୁ ଜାବୁଡି ଧରି ଅତି ଦୁଃଖରେ କହିଲା,”ଆଜ୍ଞା, ଏ ସଂସାରରେ ମୋର ସମ୍ପତ୍ତି କହିଲେ ମୋ ଵାପ ନାଁ ରେ ଥିବା ଦୁଇ ଗୁଣ୍ଠ ଘରଡ଼ିହ କୁ ଆପଣଙ୍କ ଠାରେ ବନ୍ଧକ ରହିବ ଓ ମଜୁରୀ ରୁ ଅର୍ଦ୍ଧେକ କରଜ ଶୁଝିବା ରେ ଯିବ। ମୋହନ ଟା କେଉଁ କୂଳ ରେ ଲାଗିଗଲେ ମୁଁ ସବୁ ଏକାବେଳକେ ଆପଣଙ୍କ କରଜ ଶୁଝିଦେବି ଯେ ।” ବହୁତ ନେହୁରା ହୋଇ କହିବାରୁ ଠିକାଦାର ଶେଷ କୁ ମୁଣ୍ଡ ହଲାଇ ସମ୍ମତି ଜଣାଇଲା।
                ସେଦିନ ସନ୍ଧ୍ୟାରେ କାମରୁ ଫେରି ମାଧବ ଦାଣ୍ଡ ପିଣ୍ଡା ରେ ବସିଛି,ସାହୀ ର ଗୋଟାଏ ବଗୁଲିଆ ଟୋକା ଧାଇଁ ଆସି କହିଲା,”ମାଧବ ଭାଇ, ମାଧବ ଭାଇ,ଆସ ଆସ ଦେଖିବ, ତୁମ ମୋହନ ଭାଇ ର ନାମ ଓ ଫୋଟୋ କଣ ଟିଭି ରେ ବାରମ୍ବାର ଦେଉଛି ଓ କଣ କହୁଛି ମୋହନ ଜାମୁଡ଼ା କଣ ଆଇସ ପାଇଛି?” ମାଧବ ଆଶ୍ଚର୍ଯ୍ୟ ହୋଇ ପଚାରିଲା ଆରେ,”ଆଇସ କଣ?”ଚାକିରୀ ସିନା ପାଇଥିଲେ ଆମ କରମା ସାଇଁ ଙ୍କ ଠାରେ ଯାଇ ମାଦଲ ବଜାଇ ଥାନ୍ତି । ହଉ ମୋ ମୋହନ ଯାହା ପାଇଥାଉ ଭଲ ହେଉ । ତାପର ଦିନ ସକାଳୁ ସକାଳୁ ଠିକାଦାର ବାବୁ ମାଧବ ଘର ମୁହଁ ରେ ଆସି ହାଜର ହୋଇଯାଇ ବଡ଼ ପାଟିରେ ଡାକ ପକାଇ କହିଲେ,”ମାଧବ ବାବୁ,ତୁମ ଭାଇ ଆଇ.ଏ.ଏସ.ପାଇଛନ୍ତି।ତୁମ ଦୁଃଖ ଗଲ।”ମୁଣ୍ଡ ନୁଆଁଣିଆ ଚାଳ ଘର ଭିତରୁ ବାହାରି ଆସୁ ଆସୁ, ମାଧବ ଠିକାଦାର ବାବୁ ଙ୍କୁ ଭକ୍ତିପୂତ ପ୍ରଣାମ କରି କହିଲା,”ଆଜ୍ଞା, ଏ ମାଧବ ଆପଣଙ୍କ ଚାକର, ମାଧବ କେବେ ଠାରୁ ବାବୁ ହେଲା?” ଠିକାଦାର ବାବୁ କହିଲେ,” ହଁ ମାଧବ,ତୁମ ଭାଇ ଭାରତ ର ସବୁଠାରୁ ବଡ଼ ଚାକିରୀ ପାଇଛନ୍ତି।ଟିଭି ରେ କାଲି କହୁଥିଲା।” ହଁ ଆଜ୍ଞା ସେ ସବୁ ଆପଣଙ୍କ ଦୟାରୁ ସମ୍ଭବ ବୋଲି କହି ମାଧବ ଖୁବ ଜୋର ରେ ମାଳ, ମାଳ ବୋଲି ଚିତ୍କାର କରି ଘର ଭିତରକୁ ପ୍ରବେଶ କରିଯାଇ କହିଲା,” ମାଳ, ଆମ ମୋହନ କଣ ଆଇସ ପାଇଛି। ସେହିଟା କେଉଁଆଡ଼େ ଭାରତ ର ବଡ଼ ଚାକିରି।କରମା ସାଇଁ ଓ ଆମ କଳା ଠାକୁର ଆମ ଡାକ ଶୁଣିଛନ୍ତି।” ଦୁହିଁଙ୍କ ଆନନ୍ଦ ର ସୀମା ରହୁନଥାଏ ।
                 କେତେବେଳେ କେମିତି ମୋହନ ଥରେ ଅଧେ ଘରକୁ ବୁଲି ଆସିବା ବେଳେ ମାଧବ ଓ ମାଳ କାମ କୁ ଚାଲି ଯାଇଥାନ୍ତି। କାମ କୁ ନଗଲେ ଘର ଡ଼ିହ ଟା ଠିକାଦାର ହାତ ରୁ ମୁକୁଳାଇବେ କେମିତି? ଦିନେ ମାଳ କଥା ମାନି  ମାଧବ ସହର କୁ ଗଲା ମୋହନ ବାବୁ ଙ୍କ ପାଖକୁ। ତାପରଦିନ ସକାଳୁ ସକାଳୁ ମାଧବ କୁ ଦେଖି ମାଳତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା,  “ଯେତେହେଲେ ତୁମେ ଘର ମୋହ ତୁଟାଇ ପାରିବ ନାହିଁ। ଆମ ମୋହନ ପାଖରେ ଦୁଇ ଦିନ ରହିଲ ନାହିଁ କାହିଁକି? ଦୁଇ ଭାଇ ମିଶି କଥା ହୋଇଥାନ୍ତ ଆମ ଘର ଡ଼ିହ କିପରି ମୁକୁଳାଇବା, ତାର ବିଭାଘର କଥା ଇତ୍ୟାଦି। ଏଠାରେ ପଖାଳ ରେ ପେଟ ପୁରାଉ ଥିଲ । ସେଠାରେ କେତେ ରକମ ଭଲ ଖାନା ଖାଇଥାନ୍ତ। ମୋ କଥା ମୋହନ କଣ କହୁଥିଲେ?”
        ମାଳ ର କୋଳ ରେ ମୁଣ୍ଡ ରଖି ମାଧବ କଷ୍ଟ ମେଣ୍ଟାଉଥିବା ବେଳେ,”ମାଧବ କହିଲା, ତୁମ ଭଲ ମନ୍ଦ ଓ କାହିଁକି ତୁମ କୁ ସାଥିରେ ନେଲି ନାହିଁ ବୋଲି ମୋ ଉପରେ ମୋହନ ଟିକେ ରାଗ କଲା। ମାଳତୀ ଟିକେ ହସିଦେଇ କହିଲା,”ମୁଁ ଜାଣିଛି ପରା ଏଇ ହାତରେ ମୁଁ ତାକୁ ମିଛଟାରେ କଣ ପୁଅ ପରି ପାଳିଥିଲି?” ଠିକାଦାର ପାଖରୁ ଆମ ଘର ଡ଼ିହ ମୁକୁଳାଇବା କଥା ମୋହନ କଣ କହିଲେ? ମାଧବ ଟିକେ ରହିଯାଇ ଛାପ ଢ଼ୋକି କହିଲେ,”ଏଇ ମାସରେ କଣ ଖର୍ଚ୍ଚ ତାର ଟିକେ ଅଧିକ ହୋଇ ଯାଇଛି ତ, ତେଣୁ ଦେଖିବା ।” ମାଳ ସବୁ ବୁଝିଗଲା ପରି କହିଲେ, “ହଁ, ସତ ରେ ମ ଜେତିକି ବାଉଁଶ, ସେତିକି ପୋଲା। ହଉ ଆମେ ଦୁଇଜଣ କାମ କରି ସେ ଟଙ୍କା ଶୁଝିବା । ଜନ୍ମ ରୁ ତ ଛେଉଣ୍ଡ ପାଳିଥିଲେ, ତାକୁ ହାତରୁ ଦି ହାତ କରିଦେଲେ ଆମ ଚିନ୍ତା ସରିଥାନ୍ତା । ତାଙ୍କର ବାହାଘର କଥା କହିଲ ନାହିଁ କାହିଁକି ତାଙ୍କୁ।” ମାଧବ ଦୀର୍ଘଶ୍ଵାସ ଟିଏ ପକାଇ କହିଲେ,”କିପରି କହିଥାନ୍ତି, ମୋହନ ର ବଙ୍ଗଳା ଭିତରୁ ଏକ ମହୁ ପରି ମିଠା ମିଠା ସ୍ୱର ମୋତେ ଶୁଣାଇ ଦେଲା,”ମୋହନ ର ବାଟ ଓ ମୋ ବାଟ ପୁରା ପୁରି ଅଲଗା।”
             ସବୁ କଥା ମାଳତୀ ବୁଝିସାରି କହିଲେ,”ହଁ, ମୋହନ ର ବଙ୍ଗଳା ର ବାଟ ସବୁଦିନ ପାଇଁ ଆମ ପାଇଁ ସତରେ ଅମଡା ବାଟ।”

ସିଦ୍ଧି ପ୍ରସାଦ ସାହୁ,ସମ୍ପାଦକ ପ୍ରତିବିମ୍ବ

Leave A Reply

Your email address will not be published.

11 + 16 =