ସାଇ ପଡିଶା ଲୋକେ କଥା ହେଉଥିଲେ ଅମରେଶ ବାବୁ ତାଙ୍କ ଘରକୁ ଜରାଶ୍ରମ ବନେଇ ଦେବେ ନା କଣ? ଭାବିବା ମଧ୍ୟ ଠିକ । କାରଣ ବାପ ଝିଅ ଦୁଇ ଜଣ। ସ୍ତ୍ରୀ କେବେ ଠାରୁ ତାଙ୍କୁ ଛାଡି ଅନ୍ୟ ପୁରୁଷ ସହିତ ଚାଲି ଯାଇଛନ୍ତି।ଏମିତି ପରିସ୍ଥିତିରେ ଯଦି ଘରେ ଅନ୍ୟ ତିନି ଚାରି ଜଣ ବୃଦ୍ଧ ବୃଦ୍ଧା ଆସି ରୁହନ୍ତି ତେବେ ଘରକୁ ଏକ ଜରାଶ୍ରମ କୁହାଯିବ ନାହିଁତ ଆଉ କଅଣ?
ଅମରେଶ ବାବୁ ଶିକ୍ଷା ବିଭାଗର ସେକ୍ରେଟାରୀ । ଭୁବନେଶ୍ୱର ର ରୂପାଲି ଛକରେ ସୁରମ୍ୟ ଅଟ୍ଟାଳିକା । ଅଭାବ କିଛି ନାହିଁ । ସ୍ତ୍ରୀ ଛାଡ଼ ପତ୍ର ଦେଇ ଚାଲିଯିବା ପରେ ଆଉ ଅମରେଶ ବାବୁ ବିବାହ କରି ଜଞ୍ଜାଳ ମଧ୍ୟରେ ପ୍ରବେଶ କରିବାକୁ ଚାହିଁ ନାହାନ୍ତି ।
ଶଶୀ କଳା ପରି ବଢୁଥିବା ଝିଅ କମଳା କେତେବେଳେ ଯେ ଡାକ୍ତରୀ ପାଠ ଶେଷକରି କଟକ ବଡ଼ ଡ଼ାକ୍ତରଖାନାରେ ଡାକ୍ତର ଭାବରେ ନିଯୁକ୍ତି ପାଇଲା ତାହା ଭାବିଲା ବେଳକୁ ଅମରେଶ ବାବୁ ଙ୍କୁ ପୁରାପୁରି ସ୍ୱପ୍ନ ପରି ଲାଗୁଥିଲା । ନିର୍ଦ୍ଦିଷ୍ଟ ବୟସରେ ତ ସାଥି ଟିଏ ନିହାତି ଦରକାର । କମଳା ର ତ କଣ ମାଆ ଅଛି ଯେ ତାହାର ମନ କଥା ଜାଣିବ?ଅମରେଶ ବାବୁ ତ କମଳା ର ମାଆ ଓ ବାପା । ଦିନେ ଅମରେଶ ବାବୁ କମଳା କୁ ପାଖକୁ ଡାକି କହିଲେ,”ମା’ କମଳା, ମୁଁ ତୋର ବାପା ଆଉ ମା’, ମୁଁ ତୋର ବାହାଘର କଥା ଚିନ୍ତା କରୁଛି ।ଯଦି ତୋର କେଉଁଠି କିଛି ପସନ୍ଦ ହୋଇଥାଏ କହ, ମୁଁ ସେ ପ୍ରସ୍ତାବ ରେ ରାଜି ।”କିଛି ସମୟ କମଳା ନୀରବ ରହିବାରୁ ଅମରେଶ ବାବୁ କମଳା ର ମୁଣ୍ଡ କୁ ଆଉଁଶି ଦେଉ ଦେଉ କହିଲେ,”କହ ମାଆ, ଯଦି କହିବୁ ତେବେ ମୁଁ ପୁଅର ବାପା ମାଆ ଙ୍କୁ ନେହୁରା ହୋଇ ତୋ ପାଇଁ ତୋ ରାଜକୁମାର କୁ ଆଣି ଦେବି।”କିଛି ସମୟ ନୀରବ ପରେ କମଳା ଟିକେ ଲାଜେଇ ଯାଇ ତଳକୁ ମୁହଁ ପୋତି କହିଲା,”ଆମ ସହିତ ପିଜି କରିଥିବା ଡାକ୍ତର କମଲେଶ ଆଣ୍ଠୋନୀ ମୋର ପସନ୍ଦ ।” ଅମରେଶ ବାବୁ କିଛି ସମୟ ନୀରବ ରହି ଡ଼ଃ ଆଣ୍ଠୋନୀ ଙ୍କ ବିଷୟରେ କିଛି ତଥ୍ୟ ସଂଗ୍ରହ କରି ତାପରଦିନ ଡ଼ଃ ଆଣ୍ଠୋନୀ ଙ୍କର ଘରେ ପହଁଚିଲେ ପ୍ରସ୍ତାବ ଧରି।କଟକ ର ପଟ୍ଟାପୋଲ ର ଏକ ବସ୍ତି ରେ ଡ଼ଃ ଆଣ୍ଠୋନୀ ଙ୍କର ଘର। ଏକ ପାଖିଆ ତିନୋଟି ସିମେଣ୍ଟ ଚାଦର ର ଘର ।ଘର ମୁଁହ ରେ ନଳିବତୀ ଲଗା ଗାଡି ଦେଖି ଡ଼ଃ ଆଣ୍ଠୋନୀ ଙ୍କର ବାପା ମାଆ ଓ ଡ଼ଃ ଆଣ୍ଠୋନୀ ଅଗଣା ବାହାରକୁ ଚାଲିଆସିଲେ । ଡ଼ଃ ଆଣ୍ଠୋନୀ ଯେପରି ଶୁଣିଛନ୍ତି ଡ଼ଃ କମଳା ପଟନାୟକ ଙ୍କର ବାପା ଅମରେଶ ପଟନାୟକ ବୋଲି ସଙ୍ଗେସଙ୍ଗେ ଘରକୁ ପାଛୋଟି ନେଲେ । ବିଭିନ୍ନ କଥା ବାର୍ତ୍ତା ପରେ ଯେତେବେଳେ ଅମରେଶ ବାବୁ ସେମାନଙ୍କ ଆଗରେ ପ୍ରସ୍ତାବ ପକାଇଲେ ସେମାନେ ବିନା ଦ୍ବିଧାରେ ରାଜି ହୋଇଗଲେ । ହେବାକଥା ମଧ୍ୟ । ରାଜ୍ୟର ମୁଖ୍ୟଶାସନ ସଚିବ ଙ୍କର ଏକ ମାତ୍ର ଝିଅ, ପୁଣି ଡାକ୍ତର ଓ ଏକା ବୃତ୍ତି । ଅମରେଶ ବାବୁ ପଚାରିଲେ ଆପଣଙ୍କ ର ଯୌତୁକ ଦାବୀ କଣ?ଡ଼ଃ ଆଣ୍ଠୋନୀ ଙ୍କର ବାପା ଥରେ କପାଳ କୁ ଓ ଦୁଇଥର ଦୁଇ ପାଖ ଛାତି କୁ ଛୁଇଁ ଦେଇ କହିଲେ,”ନା, ନା ସେମିତି କୁହନ୍ତୁ ନାହିଁ ସାର,ଆମେ ଆପଣଙ୍କ ଘରେ ବନ୍ଧୁ ବାନ୍ଧିବୁ,ଏହା ଆମ ପାଇଁ ପ୍ରଭୁ ଯୀଶୁ ଙ୍କର ଆଶୀର୍ବାଦ ।” ତାଙ୍କ ପାଟିରୁ କଥା ଛଡାଇ ନେଇ ଅମରେଶ ବାବୁ କହିଲେ, ନୋ, ସାର, ସମୁଦି କୁହନ୍ତୁ ।”ଘର ଭିତରେ ସଙ୍ଗେସଙ୍ଗେ ହାସ୍ୟରୋଳ ସୃଷ୍ଟି ହେଲା ।ଅମରେଶ ବାବୁ ସମୁଦି ଙ୍କର ହାତ ଧରି କହିଲେ,”ସମୁଦି ମୋର ଏକ ଅନୁରୋଧ ଆପଣ ମାନେ ରଖିବେ।ଆପଣ ମାନେ ତ ଜାଣିଛନ୍ତି ଏ ସଂସାରରେ ମୋର ନିଜର କହିଲେ କେବଳ କମଳା, ତେଣୁ ବିବାହ ପରେ ଆପଣ ମାନେ ସମସ୍ତେ ଯାଇ ମୋ ଘରେ ରହିବେ। ଏହାହିଁ ମୋର ଆପଣ ମାନଙ୍କ ପ୍ରତି ବିନମ୍ର ନିବେଦନ । ଡ଼ଃ ଆଣ୍ଠୋନୀ ଙ୍କର ବାପା ମାଆ କିଛି କହିବା ପୂର୍ବରୁ ଅମରେଶ ବାବୁ କହିଲେ ,”ନା ମୁଁ କିଛି ଶୁଣିବି ନାହିଁ, ମୋ କମଳା ର ଖୁସି ପାଇଁ ଆପଣ ମାନେ ଯଦି କହିବେ ମୁଁ ଆପଣ ମାନଙ୍କର ପାଦ ଧରିବି ।
ଠିକ ସମୟରେ ଅମରେଶ ବାବୁ ଦୁଇ ଡାକ୍ତର ଙ୍କୁ କାର ରେ କଟକ ବଡ଼ ଡାକ୍ତରଖାନା କୁ ପଠାଇଦେଇ ନିଜେ ଅଫିସ କୁ ଚାଲିଯାନ୍ତି ପ୍ରତିଦିନ । ସନ୍ଧ୍ୟାକୁ ସମସ୍ତଙ୍କର ମିଳନ ପର୍ବ । କ୍ରୁଶବିଦ୍ଧ ଯୀଶୁ ଙ୍କର ଫଟୋ ତଳେ ଡ଼ଃ ଆଣ୍ଠୋନୀ ଓ ତାଙ୍କର ବାପା ମା ମହମ ବତୀ ଜାଳି ଭକ୍ତି ଅର୍ଘ୍ୟ ପ୍ରଦାନ କରୁଥିବା ବେଳେ, ଜଗତ ର ନାଥ ଜଗନ୍ନାଥ ଙ୍କର ବିଗ୍ରହ ତଳେ ଘୃତ ଦୀପ ଟିଏ ଜାଳି କମଳା ଓ ଅମରେଶ ବାବୁ ଭକ୍ତି ଅର୍ଘ୍ୟ ପ୍ରଦାନ କରନ୍ତି । ଡାଇନିଂ ଟେବୁଲ ପାଖରେ ପାଞ୍ଚ ଜଣ ଯାକ ଏକା ପଂକ୍ତି ରେ ଭୋଜନ କଲାବେଳେ ସମସ୍ତ ଙ୍କ ହସଖୁସିରେ ଘରଟି ଉଛୁଳି ପଡିଲା ପରି ଲାଗେ ।
ବୟସରେ ଛୋଟ ହେଲେ କଣ ହେବ,କମଳା ଙ୍କର କଟକ ବଡ଼ ଡ଼ାକ୍ତରଖାନାରେ ଗୋଟାଏ ଖାତିର ଥାଏ ।ଏ ସବୁ ଖାତିର ପଛରେ ନଥାଏ ବାପା ଅମରେଶ ପଟନାୟକ ଙ୍କର ପଦ ର ଝଲକ କିନ୍ତୁ ଥାଏ କମଳା ଙ୍କର ସେବା ମନୋଭାବ, ରୋଗୀଙ୍କ ପ୍ରତି ସ୍ନେହ, ଜ୍ୟେଷ୍ଠ ଡାକ୍ତର ମାନଙ୍କ ପ୍ରତି ସମ୍ମାନ ଓ କିଛି ନୂଆଁ ଜାଣିବାର ଆଗ୍ରହ ।
ବହୁତ ଦିନ ର ଜଣେ ପୁରୁଣା ରୋଗୀ ଡ଼ଃ କମଳା ଙ୍କର ସେବା ରେ ସୁସ୍ଥ ହେବା ଅନୁଭବ କରିବାରୁ ସେ ଦିନେ ଡ଼ଃ କମଳା ଙ୍କୁ ହାତ ଯୋଡି କହିଲେ,”ମା, ତୁମ ହାତରେ କି ଯାଦୁ ଅଛି କେଜାଣି, ତୁମେ ମୋତେ ଚିକିତ୍ସା କଲା ଦିନରୁ ମୋ ଦେହ ଭଲ ହେବାକୁ ଲାଗୁଛି। ବହୁତ ମଦ୍ୟପାନ କରି ମୋ ଶରୀର ଉପରେ ମୁଁ ବହୁତ ଅତ୍ୟାଚାର କରିଛି । ଏ ସବୁ କହିଲା ବେଳକୁ ସେ ଲୋକଟି କିନ୍ତୁ ଏକ ଲୟରେ ଚାହିଁ ଥାଏ ଡ଼ଃ କମଳା ଙ୍କର ନାକ ଆଗରେ ଓ ଡାହାଣ ଓଠ ତଳେ ଥିବା ଛୋଟ କଳା ରାଶି ଦୁଇଟିକୁ । କମଳା ର ସେଇ ରାଶି ଦୁଇଟି ଡ଼ଃ କମଳା ଙ୍କର ଗୋରତକ ତକ ମୁହଁ କୁ ବେଶ ମାନେ ।
ଡ଼ଃ କମଳା ରୋଗୀ ଟିକୁ ପଚାରନ୍ତି, କଣ ଏପରି ଚାହୁଁଛ ମଉସା? ରୋଗୀଟି ଟିକେ ଲାଜେଇ ଯାଇ କହେ,”କିଛି ନାହିଁ ମାଆ । ମୁଁ ଭାବୁଛି ଡ଼ଃ କମଳା ଯଦି ମୋର ମାଆ ହୋଇଥାନ୍ତେ ତେବେ ମୁଁ କେଡେ ସୁନ୍ଦର ନ ହୋଇଥାନ୍ତି?” ଡ଼ଃ କମଳା ଟିକେ ହସିଦେଇ କହନ୍ତି,”ହଁ, ହଁ,ଆର ଜନ୍ମ ରେ ତୁମେ ମୋର ପୁଅ ହେବ ।
ଯେଉଁଦିନ ସେଇ ରୋଗୀଟି ସମ୍ପୂର୍ଣ୍ଣ ଭଲ ହୋଇଗଲା ଓ ଡାକ୍ତରଖାନା ରୁ ଚାଲିଯିବ ବୋଲି ଡ଼ଃ କମଳା କହିଲେ ସେଦିନ ରୋଗୀଟି କିଛି ସମୟ ଆନନ୍ଦିତ ହୋଇ ପରବର୍ତ୍ତୀ ମୁହୂର୍ତ୍ତରେ କାନ୍ଦି କାନ୍ଦି କହିଲେ,”ନା, ମୋର ଡାକ୍ତରଣୀ ମାଆ, ମୁଁ ଏଠାରେ ଭଲ ରେ ଅଛି। ଡାକ୍ତରଖାନା ଛାଡିଲା ପରେ ମୁଁ କେଉଁଆଡ଼େ ଯିବି ? କଣ ଖାଇବି?ପୁଣି କାଳେ ସେଇ ନର୍କ ରାଜ୍ୟ କୁ ଫେରିଯିବି ଟିକେ ଭୟ ଲାଗୁଛି।ମାଆ, ମୋ ଅନୁରୋଧ ଟିକେ ରଖିବ?” ଡ଼ଃ କମଳା ପଚାରିଲେ କଣ କୁହ?
ରୋଗୀଟି ହାତ ଯୋଡି କହିଲା,” ତୁମର ଘର କାମ କରିବାପାଇଁ ମତେ ସୁଯୋଗ ମିଳିଲେ ବହୁତ ଖୁସି ହୁଅନ୍ତି ।” ଡ଼ଃ କମଳା ପଚାରିଲେ,” କି କାମ କରିପାରିବେ ମଉସା ?” ରୋଗୀଟି କହିଲା,”ଏଇ ବଗିଚା କାମ, ଘର ଝାଡୁ, ଲୁଗାପଟା ସଫା, ବାସନ ଧୋଇବା ଇତ୍ୟାଦି କାମ।ଘର ବାହାରେ କେଉଁଠି ଟିକେ ଶୋଇପଡନ୍ତି । ମୋତେ କିଛି ଦରମା ଦେବା ଦରକାର ନାହିଁ, କେବଳ ପେଟ କୁ ମୁଠେ ଖାଇବି ଓ ଚିରା ଫଟା କିଛି ପୋଷାକ ଆଜ୍ଞା ।” ଡ଼ଃ କମଳା କହିଲେ,”ତୁମ ଘରେ କଣ କେହି ଲୋକ ନାଂହାନ୍ତି ।” ରୋଗୀଟି ଦୀର୍ଘଶ୍ଵାସ ଟାଏ ଛାଡି କହିଲା,”ସବୁ ଥିଲେ, କିନ୍ତୁ କେହିନାହାନ୍ତି ବର୍ତ୍ତମାନ ।” ଡ଼ଃ କମଳା କହିଲେ, “ଠିକ ଅଛି,ବାବା ଙ୍କ ସହିତ କଥା ହୋଇ କାଲିକି କହିବି।”
ପ୍ରତ୍ୟକ ଦିନ ପରି ସନ୍ଧ୍ୟାରେ oh! God, please forgive them, for…….. ଓ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ……… ଭଜନ ପରେ ଡ଼ଃ କମଳା ବାବାଙ୍କୁ ରୋଗୀ ଟି ବିଷୟରେ କହିଲେ । ଅମରେଶ ବାବୁ ତ ସାକ୍ଷାତ ଧର୍ମ ଦେବତା। ଶୁଣି ଖୁସି ହୋଇଗଲେ ଓ ବାହାର ଗ୍ୟାରେଜ ପାଖଘରେ ରହିବାକୁ ଅନୁମତି ଦେଲେ।
ତାପରଦିନ ଡ଼ଃ କମଳା ଡାକ୍ତରଖାନାରେ ପହଂଚି ରୋଗୀଟିକୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତରଖାନା ରୁ ବିଦାୟ ରିପୋର୍ଟ ତା ହାତକୁ ଧରାଇ ଦେଲେ ସେତେବେଳେ ରୋଗୀଟି ଲୁହ ଛଳ ଛଳ ଆଖିରେ ପଚାରିଲା,”ମା, ମୋ ବିଷୟରେ କଣ ବାବା ଙ୍କୁ କିଛି ପଚାରିଲେ?” ଡ଼ଃ କମଳା ହସ ହସ ମୁହଁ ରେ କହିଲେ ,”ହଁ,ଆକବର, ବାବା ତୁମ ଦରଖାସ୍ତ ମଞ୍ଜୁର କରିଛନ୍ତି। ଆଜି ଆମ ସହିତ ଆମ ଘରକୁ ଯିବ।”
ଲୋକଟିର କାମରେ ଅତ୍ୟନ୍ତ ଆନନ୍ଦିତ ଥିଲେ ଅମରେଶ ବାବୁ। ରୋଗରୁ ଭଲ ହୋଇଥିବା ଯୋଗୁଁ ଅମରେଶ ବାବୁ ତାଙ୍କୁ ବିଶେଷ କିଛି କାମ ଦିଅନ୍ତି ନାହିଁ । କେବଳ ଖବର କାଗଜ ଆଣିବା,କ୍ଷୀର ଆଣିବା ଓ ପୂଜା ପାଇଁ ଫୁଲ ତୋଳିବା ଇତ୍ୟାଦି କାର୍ଯ୍ୟରେ ଆକବର ବିନିଯୋଗ ହୋଇଥାଏ ।ଏକ ଛୁଟି ଦିନରେ ଅମରେଶବାବୁ ଖବରକାଗଜ ବଗିଚାରେ ବସି ପଢୁଥାନ୍ତି। କିଛି ଦୂରରେ ଆକବର ବସିଥାଏ । ଅମରେଶ ବାବୁ ପଚାରିଲେ, “ଆଛା, ଆକବର,ତୁମର ଘରେ କଣ କେହି ନାହାନ୍ତି?”ଆକବର ଗୋଟାଏ ଦୀର୍ଘଶ୍ଵାସ ପକାଇ କହିଲେ,”ସମସ୍ତେ ଥିଲେ,ଆଜି କିନ୍ତୁ କେହିନାହାନ୍ତି।”ଅମରେଶ ବାବୁ ଖବରକାଗଜ ଟିକୁ ଥୋଇଦେଇ ପଚାରିଲେ ତାମାନେ କଣ?”ଆକବର ମନ ଦୁଃଖରେ କହିଲା,”ଆଲ୍ଲା ଙ୍କ କସମ, ମୁଁ ସତ କହୁଛି ବାବୁ।ମୋର ପ୍ରଥମ ସ୍ତ୍ରୀ ମରିଗଲା ପରେ ମୁଁ ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କଲି।କିନ୍ତୁ ଦ୍ଵିତୀୟ ସ୍ତ୍ରୀର କଥାରେ ପଡି ପ୍ରଥମ ସ୍ତ୍ରୀ ର ଥିବା ଗୋଟିଏ ପାଞ୍ଚ ବର୍ଷର କୁନି ଝିଅ କୁ ଗୋଟେ ଦଲାଲ ହାତରେ ବିକିଦେଲି । ବହୁତ ସୁନ୍ଦର ଥିଲା ମୋ କମଲ ପରବିନି ।କମଳା ମା ଙ୍କ ପରି ମୋ କମଲ ର ନାକ ଅଗରେ ଓ ଓଠ ତଳର ଛୋଟ ରାଶି ଦୁଇଟି ବେଶ ମାନୁଥିଲା । ଦ୍ଵିତୀୟ ସ୍ତ୍ରୀ ଅନ୍ୟ ପୁରୁଷ ସହିତ ଚାଲିଗଲା।ତାପରେ ମୁଁ ଯାହା ରୋଜଗାର କଲି କେବଳ ମଦ ପିଇଲି ଓ ଦେହଟାକୁ ଖରାପ କଲି।”
ଆକବର ର କଥା ଶୁଣି ଅମରେଶ ବାବୁଙ୍କ ମୁହଁରେ ଏକ ଭାବାନ୍ତର ସୃଷ୍ଟି ହେଲା। ଆଖି ଆଗରେ ନାଚିଗଲା ପଚିଶ ବର୍ଷ ତଳର କଥା ।ନିଜର ବିବାହିତା ସ୍ତ୍ରୀ ତାଙ୍କ ପରି ଶିକ୍ଷା ବିଭାଗର ସେକ୍ରେଟାରୀ ଙ୍କୁ ଛାଡି ଚାଲିଯିବାପରେ ସେ ତାଙ୍କ ଜୀବନଚର୍ଯ୍ୟା କୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ।ରାତି ତିନି ରୁ ପ୍ରତ୍ୟହ ଉଠି ନିତ୍ୟକର୍ମ ଶେଷ କରି ଯୋଗ,ଆସନ ଓ ପ୍ରଣାୟମ ଇତ୍ୟାଦି ସମାପନ କରି ପ୍ରାତଃ ଭ୍ରମଣ ନାମରେ ପାଖ ଓମ୍ଫେଡ଼ କେନ୍ଦ୍ର କୁ ଯାଇ କ୍ଷୀର ଦୁଇ ପ୍ୟାକେଟ,ଦହି, ଖବରକାଗଜ ସହ ଚାହା ପିଇ ବଙ୍ଗଳା କୁ ଫେରନ୍ତି । କାହା ସହ ବିଶେଷ କଥାବାର୍ତ୍ତା ନାହିଁ । ଚୁପଚାପ ମଣିଷ ।ସବୁଦିନ ଚାହା ପିଇବା ଭିତରେ ଦୁଇଦିନ ହେଲାଣି ଅମରେଶ ବାବୁ ଦେଖୁଛନ୍ତି ଗୋଟିଏ ନିଷ୍ପାପ ଶିଶୁ କନ୍ୟା ପାଖ ସିମେଣ୍ଟ ତକ୍ତା ଉପରେ ବସୁଛି । ନୂଆଁ ଫ୍ରକ ପିନ୍ଧା ଝିଅଟି ବେଶ ସୁନ୍ଦର ।ଆଖି ଦୁଇଟି କହି ଦେଉଛି ଝିଅଟି କେଡେ ନିରୀହ।
ରାସ୍ତା ଆଡକୁ ପଛ କରି ଚା’କୁ ଆସ୍ଵାଦନ କରୁଥାନ୍ତି ଅମରେଶ ବାବୁ ।ଏହି ସମୟରେ ଏକ ବିଳାସପୂର୍ଣ୍ଣ କାର ଆସି ଓମ୍ଫେଡ଼ କେନ୍ଦ୍ର ପାଖରେ ଅଟକିଲା । ଛୋଟ ଛୋଟ ଦୁଇ ପୁଅ ଝିଅ ଙ୍କ ସହିତ ବାବୁ ବାବୁଆଣି ଓହ୍ଲାଇଲେ କାର ରୁ ।ପୁଅ ଝିଅ ଙ୍କୁ ଥଣ୍ଡା ପାନୀୟ ପ୍ୟାକେଟ ଦୁଇଟି ଧରାଇଦେଇ କିଛି ଜିନିଷ କିଣିବାରେ ବ୍ୟସ୍ତ ରହିଲେ ।ଛୋଟ ଝିଅଟି ଥଣ୍ଡା ପ୍ୟାକେଟ ଟି ପିଇସାରି ଦୂରକୁ ଫୋପାଡ଼ି ଦେଲା। ତାହାରି ବୟସର ଛୋଟ ଝିଅଟି ଯେତେବେଳେ ଥଣ୍ଡା ପାନୀୟ ପିଇ ଆନନ୍ଦ ଅନୁଭବ କରୁଥିଲା,ସିମେଣ୍ଟ ତକ୍ତା ଉପରେ କୁନି ଝିଅଟି ବସି ନିଜର ଶୁଖିଲା ଓଠକୁ ଚାଟି ଚାଟି ଥଣ୍ଡା ପିଇବାର ଆନନ୍ଦ ଅନୁଭବ କରୁଥାଏ।କୁନି ଝିଅଟି ଯେପରି ଥଣ୍ଡା ପ୍ୟାକେଟ ଟି ଫୋପାଡ଼ି ଦେଇଛି ସିମେଣ୍ଟ ତକ୍ତା ଉପରେ ବସିଥିବା ଝିଅଟି ଧାଇଁ ଯାଇ ଥଣ୍ଡା ପ୍ୟାକେଟ ଟି ଉଠାଇନେଇଛି । କିଛି ନଭାବି ଲାଗିଥିବା ଷ୍ଟଡ଼ ଟିକୁ ପାଟିରେ ଲଗାଇ ଚେଷ୍ଟା କରିଛି ରହିଯାଇଥିବା ଥଣ୍ଡା କୁ ପିଇବା ପାଇଁ ।ଝିଅଟି ଥଣ୍ଡା ପାନୀୟ ପ୍ୟାକେଟ ଭିତରୁ ଥଣ୍ଡା ପାଇଲା କି ନାହିଁ ତାକୁ ହିଁ ଜଣା, କିନ୍ତୁ ତା ମୁଖ ମଣ୍ଡଳ ରେ ଏକ ଆନନ୍ଦ ର ଲହଡି ଖେଳିଗଲା ।ତାର ଆନନ୍ଦ ଦେଖି କୁନି ଝିଅଟି ବିଳାପୀ ଉଠିଲା ଥଣ୍ଡା ପାଇଁ । ବାବୁଆଣି ଭାବିଲେ ସେ ଝିଅଟି ବୋଧହୁଏ ଥଣ୍ଡା ପ୍ୟାକେଟ ଟି ତାଙ୍କ ଝିଅ ହାତରୁ ଛଡାଇ ନେଇଛି।ବୁଲିପଡ଼ି ଏପରି ଶକ୍ତ ଚାପୁଡ଼ା ଦେଲେଯେ ଝିଅଟି କିଛି ଦୂରକୁ ଛିଟିକି ପଡି ଅଚେତ ହୋଇ ପଡ଼ିରହିଲା ।
ଦୋକାନୀ ର ହା ହା ଚିତ୍କାର ଓ ଛୋଟ ଝିଅଟି ପଡି ଯାଇଥିବା ଶବ୍ଦ ରେ ଅମରେଶ ବାବୁ ବୁଲିପଡ଼ି ଦେଖନ୍ତି ତ ଛୋଟ ଝିଅଟି ନିସ୍ତେଜ ଭାବରେ ଭୂମିରେ ପଡିଛି। ଅମରେଶ ବାବୁ ସଂଗେ ସଂଗେ ଚା’ ଗ୍ଲାସ ଟାକୁ ଥୋଇଦେଇ ଝିଅଟିକୁ ଭୂମିରୁ କୋଳକୁ ଉଠାଇ ଆଣିଲେ । ମୁହଁ ରେ ପାଣି ଛାଟି, ଧରିଥିବା ଖବରକାଗଜ ରେ ବିଞ୍ଚି ଝିଅଟିର ଚେତା ଫେରାଇବାକୁ ଚେଷ୍ଟା କଲେ। ଦୋକାନୀ ଟିକେ ଚଢା ଗଳା ରେ କହିଲେ,”ନା ମାଡାମ, ଆପଣଙ୍କ ଝିଅ ଥଣ୍ଡା ପ୍ୟାକେଟ ଟି ପକାଇ ଦେବାପରେ ସେ କୁନି ଝିଅଟି ତଳୁ ଓଠାଇ ଆଣିଛି, ତାକୁ ଏପରି ବାଡ଼େଇବା ଠିକ ନୁହେଁ।” କିଛି ଅଘଟଣ ଘଟିବା ଆଶଙ୍କାରେ ବାବୁ ବାବୁଆଣି ସେ ସ୍ଥାନ ଛାଡି ପଳାୟନ କଲେ ।
ଅମରେଶ ବାବୁ ଝିଅଟିକୁ ସାଷ୍ଟାଙ୍ଗ କରିବାକୁ ଚେଷ୍ଟା କରି ବିଫଳ ହେବାରୁ ଏକ ଟ୍ୟାକ୍ସି କୁ ଫୋନ କଲେ ଓ କମିଶନରେଟ ପୋଲିସ କୁ ଫୋନ ରେ ଜଣାଇ ରାଜଧାନୀ ଡାକ୍ତରଖାନା କୁ ନେଇଗଲେ ।
ଦୁଇ ଦିନ ପରେ ଝିଅଟିର ଚେତା ଫେରିଆସିଲା ।ଅମରେଶ ବାବୁ ଛୁଟି ନେଇ ଡାକ୍ତରଖାନା ରେ ରହି ଝିଅଟିର ସେବା ରେ ଲାଗିଥାନ୍ତି ।ଝିଅଟିର ଚେତା ଆସିବାପରେ ପୋଲିସ ର ଉପସ୍ଥିତ ରେ ତାହାର ସମସ୍ତ ତଥ୍ୟ ରେକର୍ଡ କରିବାକୁ ଚେଷ୍ଟା କରାଗଲା।କିନ୍ତୁ ଝିଅଟି କିଛି କହି ପାରୁନଥାଏ ।ଡାକ୍ତର ମାନେ ବହୁତ ପରୀକ୍ଷା ନିରୀକ୍ଷା କରି କହିଲେ,” ସମ୍ଭବତଃ ଝିଅଟି ଭୟ ରେ କିଛି କହୁନାହିଁ, କିମ୍ବା ଝିଅଟି ଉଭୟ ଭୟ ଓ ଆଘାତରେ ନିଜର ସ୍ମୃତି ଶକ୍ତି ହରାଇଛି ।ଯଦି କିଛିଦିନ ସେ ସ୍ନେହ ଓ ଶ୍ରଦ୍ଧା ରେ ବଢିବ,ତେବେ ତାର ପୂର୍ବ ସ୍ମୃତି ଶକ୍ତି କିଛିକିଛି ଫେରିପାରେ ।”
ପୋଲିସ ଉପସ୍ଥିତ ରେ ସମସ୍ତ ବିଧି ବ୍ୟବସ୍ଥା ଅନୁଯାୟୀ ଅମରେଶ ବାବୁ ନିଜ ବାସ ଭବନ କୁ ଝିଅ ଟିକୁ ଆଣିଲେ । ଝିଅଟିର ସେବା ଯତ୍ନ ଅମରେଶ ବାବୁ ନିଜ ହାତରେ ଏପରି କଲେ ଯେ ସତେଯେପରି ଅମରେଶ ବାବୁ ନିଜ କନ୍ୟା ରତ୍ନ କୁ ପାଇଛନ୍ତି ଓ ଝିଅଟି ତାର ବାପା କୁ ଫେରିପାଇଛି।ବହୁତ ଦିନ ପରେ ଝିଅଟି ନିଜର ନାମ କୁ ମନେ ପକାଇ ପକାଇ କେବଳ ‘କମଲ ପରବିନ’ ବୋଲି କହିଲା। ଝିଅଟି ମୁସଲିମ ସମ୍ପ୍ରଦାୟର ବୋଲି ଜାଣିଲା ପରେ ମଧ୍ୟ ଅମରେଶ ବାବୁ ଙ୍କ ହୃଦୟରେ ଏପରି ପିତୃତ୍ୱ ଜଗିଉଠିଥାଏ ଯେ ଅମରେଶ ବାବୁ ଝିଅ ଟିକୁ ଦଣ୍ଡେ ଛାଡିବାକୁ ବି ନାରାଜ ।ବାପା, ମାଆ, ଘର ବିଷୟରେ ପଚାରିଲେ ଝିଅଟି ଭୟରେ କାନ୍ଦି ମୁଁହ ଲୁଚାଇ କହୁଥାଏ,”ନା ଆବଜାନ ନା, ମତେ ବିକିଦିଅ ନାହିଁ,ମତେ ସେ ମାରିଦେଵ, ମତେ ସେ ଲୋକ କୁ ଦିଅ ନାହିଁ।ଏଇ ସେ ଆସୁଛି,ମତେ ଟ୍ରେନ ରେ ବସାଇ ପୁଣି ନେଇଯିବ। ମତେ ମୋ ଆମ୍ମା ପାଖକୁ ପଠାଇ ଦିଅ ।”
ଅମରେଶ ବାବୁ ଅନୁମାନ କଲେ ଯେ ଝିଅଟି ନିଶ୍ଚିତ ଭାବେ ମାତୃହୀନା ଓ ବାପା ଟଙ୍କା ଲୋଭରେ ଝିଅଟିକୁ ବିକ୍ରି କରିଦେଇଛନ୍ତି।ଝିଅଟି ସମ୍ଭବତଃ ଦଲାଲ ପାଖରୁ କୌଣସି ପ୍ରକାରେ ଖସି ଆସିଛି ।ଅମରେଶ ବାବୁ ପୋଲିସ କୁ ଡକାଇ ସମସ୍ତ ବିଷୟ ଅବଗତ କରାଇ ଝିଅଟିକୁ ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରିବାକୁ ଇଛା ପ୍ରକାଶ କଲେ ।ସମସ୍ତ କାଗଜପତ୍ର ରେ ଦସ୍ତଖତ କଲାବେଳେ ଟିଭି ର ହେଡ ଲାଇନ ରେ ଖବର ଆସୁଥାଏ,”ଅମରେଶ ପଟ୍ଟନାୟକ ହେବେ ରାଜ୍ୟ ର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ।”ଏ ଖବର ଶୁଣି ଡି.ସି.ପି ମହାଶୟ କହୁଥାନ୍ତି,”ସାର,ଆପଣଙ୍କ ଘରକୁ ସ୍ଵୟଂ ଲକ୍ଷ୍ମୀ ଆସିଛନ୍ତି।” ଦୀର୍ଘଶ୍ଵାସ ଟାଏ ଛାଡି ଅମରେଶ ବାବୁ କହିଲେ,”ହଁ, ଜଣେ ତ ଅଧା ବାଟ ରୁ ହାତ ଛାଡି ଧୋକା ଦେଇ ଚାଲିଗଲା।ଠିକ ଅଛି,ଏ ତ ମୋ ପାଇଁ ଲକ୍ଷ୍ମୀ ଭାବରେ ବିରାଜମାନ ।ଏ ଆଉ କମଲ ପରବିନ ଭାବରେ ନୁହେଁ, ଆଜିଠାରୁ ଏ ହେଉଛି କମଳା ପଟନାୟକ, ପିତା ଅମରେଶ ପଟ୍ଟନାୟକ ।
ବିଗତ କଥା ଭୁଲି ଯାଇଥିବା କମଳା ଅମରେଶଙ୍କୁ ନିଜର ବାପା ଭାବରେ ପାଇ କେତେ ଯେ ଆନନ୍ଦରେ ତାର ଦିନ ଗୁଡିକ କଟିଯାଉଥିଲା ନ କହିଲେ ଭଲ।ଅମରେଶ ବାବୁ ମଧ୍ୟ କମଳା କୁ ଏତେ ସ୍ନେହ କରୁଥିଲେ ଯେ ଦୁଇ ଜଣ ଗୋଟିଏ ଥାଳି ରେ ଏକାଠି ଖାଆନ୍ତି ।ରାତିରେ କମଳା ର ଏକା ଜିଦ,”ବାବା, ତୁମ ପେଟ ଉପରେ ଶୋଇବି। ଧ୍ରୁବ, ପ୍ରହ୍ଲାଦ, ରାଣୀ ଲକ୍ଷ୍ମୀ ବାଇ ଙ୍କ ବିଷୟରେ ଗପ ଶୁଣିବି।”ଅମରେଶ ବାବୁ ମଧ୍ୟ କମଳା କୁ ଗପ ଶୁଣାଉଥାନ୍ତି,କମଳା ମଧ୍ୟ ବାବା ଙ୍କ ପେଟ ଉପରେ ଶୋଇ ତାର କୁନି କୁନି ହାତରେ ବାବା ଙ୍କର ମୁଣ୍ଡ କୁ ଆଉଁଶି ଦେଉଥାଏ ।ତାର କୁନି କୁନି ହାତର ସ୍ପର୍ଶ ରେ କି ଯାଦୁ ଥାଏ କେଜାଣି, ଅମରେଶ ବାବୁ ଙ୍କୁ କେତେବେଳେ ନିଦ ମାଉସୀ ଆସି ଆଲିଙ୍ଗନ କରି ନିଅନ୍ତି ତାହା ଜାଣି ପାରନ୍ତି ନାହିଁ ।
ଅମରେଶ ବାବୁ ଙ୍କର ମନେ ପଡି ଯାଉଛି ସେ ଦିନର ଏକ କଥା। କାମଳା ପଢ଼ୁଥିବା ଭୁବନେଶ୍ୱର ର ଏକ ନାମୀ ସ୍କୁଲର ଦ୍ଵିତୀୟ ଶ୍ରେଣୀ ର କୃତ୍ତି ଛାତ୍ରୀ ଭାବରେ ବାର୍ଷିକ ଉତ୍ସବ ରେ ମଞ୍ଚ ରୁ ରାଜ୍ୟପାଳଙ୍କ ହସ୍ତରୁ ପୁରସ୍କାର କୁ ଗ୍ରହଣ କରି ଯେତେବେଳେ ଅମରେଶ ବାବୁ କମଳା କୁ ଛାତିରେ ଜାବୁଡି ଧରି ତଳକୁ ଓହ୍ଲାଇ ଆସୁଥାନ୍ତି ଖୁସିରେ ଅମରେଶ ବାବୁ ଙ୍କ ଆଖିରୁ ଦୁଇ ଧାର ଲୁହ ଗଡି ଆସିଲା।କମଳା ର ଦେହରେ ଯେତେବେଳେ ଲୁହ ଖସି ପଡ଼ିଲା, କମଳା ବାବା ଙ୍କର ଲୁହ କୁ ପୋଛିଦେଇ କହିଲେ,”ନା ବାବା, ମୁଁ ଆଉ ଭଲ ପଢିବିନାହିଁ କି ଆଉ ପୁରସ୍କାର ଆଣିବି ନାହିଁ ।”ଅମରେଶ ବାବୁ ପଚାରିଲେ ,”କାହିଁକି ମାମା?” କମଳା କହିଲା,”ମୁଁ ପୁରସ୍କାର ପାଇଲେ ତୁମେ କାନ୍ଦୁଛ ଯେ”। କିନ୍ତୁ ଅମରେଶ ସେଦିନ କମଳା କୁ ଆହୁରି ସ୍ନେହ ରେ ବକ୍ଷ ରେ ଚାପି ଧରି କହିଲେ,”ନା ରେ ମାଆ, ଏ ଲୁହ ଆନନ୍ଦ ର ଲୁହ ।”ଅନ୍ୟ ସାଙ୍ଗ ମାନେ ସେମାନଙ୍କ ବାପା ମାଆ ଙ୍କ ସହିତ ପୁରସ୍କାର ଆଣିବା ବେଳେ କମଳା କେବଳ ବାବା ଙ୍କ ସହିତ ପୁରସ୍କାର ଆଣୁଥିବାରୁ ସେଦିନ କମଳା ବାବା ଙ୍କୁ ବହୁତ ପ୍ରଶ୍ନ କରିଥିଲା,”ବାବା, ଆମ ମାମା ଙ୍କୁ କାହିଁକି ଏଠାକୁ ଆମ ସହିତ ଆଣୁ ନାହାନ୍ତି?ସେ କେଉଁଠି ଅଛନ୍ତି?”ଅମରେଶ ବାବୁ ଆକାଶ ରେ ମିଞ୍ଜି ମିଞ୍ଜି ହୋଇ ତାରା ଗୁଡିକୁ ଦେଖାଇ କହିଥିଲେ,”ତୋ ମମି ସେଠାରେ ତାରା ଫୁଲ ହୋଇ ତୋତେ ଆଶୀର୍ବାଦ କରୁଛି।ସେ କେବେ ଆଉ ତୋ ପାଖ କୁ ଫେରିବ ନାହିଁ।”
ଏମିତି ବିଗତ ଦିନର ସ୍ମୃତିରେ ନିଜକୁ ଅବଗାହନ କରାଉଥିବା ବେଳେ କାହାର କରସ୍ପର୍ଶ ରେ ଅମରେଶ ବାବୁ ଚମକି ପଡି ପଛ କୁ ଫେରି ଚାହିଁ ଦେଖନ୍ତି ତ କମଳା ଆସି କହୁଛି “ବାବା ସନ୍ଧ୍ୟା ଗଡି ଯାଉଛି, ମୋ ଶାଶୁ ମା’ ଶ୍ୱଶୁର ଓ ତୁମ ଜ୍ୱାଇଁ ଅପେକ୍ଷା କରିଛନ୍ତି ଆସନ୍ତୁ ପ୍ରାର୍ଥନା କରିବା।” ଅମରେଶ ବାବୁ ପ୍ରକୃତିସ୍ଥ ହୋଇ ଉଠପଡି କହିଲେ,”ହଁ ମାମା, ଆଜି ଆମ ସହିତ ଆକବର ଜି ମଧ୍ୟ ପ୍ରାର୍ଥନା କରିବେ।”ଅତ୍ୟନ୍ତ ଆନନ୍ଦିତ ହୋଇ କମଳା କହିଲେ ,”ଏତ ଅତ୍ୟନ୍ତ ଆନନ୍ଦ ର କଥା।” ସମସ୍ତ ଙ୍କ ଗହଣ ରେ କମଳା ବସି କହିଲେ,”ନିଜ ନିଜର ପ୍ରାର୍ଥନା ପରେ ଆଜି ଠାରୁ ଆମେ ସମସ୍ତେ ଗାନ୍ଧିଜୀ ଙ୍କର ଅତି ପ୍ରିୟ ଭଜନ, “ବୈଷ୍ଣବ ଜନ କୋ…….,ଓ “ଈଶ୍ୱର ଆଲ୍ଲା ତେର ନାମ…….”ଗାନ କରିବା । ସମସ୍ତେ ଏହାକୁ ସମ୍ମତି ଜଣାଇ ଭଜନ ଗାନ ପରେ ଅମରେଶ ବାବୁ କହିଲେ,”ମୁଁ ଆଜି ଏକ ସତ୍ୟ ର ଉନ୍ମୋଚିତ କରିବାକୁ ଯାଉଛି। ଏ ସତ୍ୟ ବହୁତ ନିଷ୍ଠୁର ହେଲେ ମଧ୍ୟ ସତ୍ୟ।ମା କମଳା ,”ମୁଁ ତୋ ନାମରେ ମୋର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ର ଅର୍ଦ୍ଧେକ ତୋ ନାଁ ରେ ଉଇଲ କରିଦେଇଅଛି ଓ ଅନ୍ୟ ଅର୍ଦ୍ଧେକ ଏକ ଜରାଶ୍ରମ ନାମରେ ଉଇଲ କରିଦେଇଛି ।ସମସ୍ତ କାଗଜ ପତ୍ର କୁ ସମସ୍ତ ଙ୍କ ସାମ୍ନା ରେ ପେଶ କରୁ କରୁ ଅମରେଶ ବାବୁ କହିଲେ,”ଝିଅ କମଳା ମୁଁ ତୋ ପାଇଁ ଗୋପପୁର ର ନନ୍ଦ, କିନ୍ତୁ ଆକବର ହେଉଛନ୍ତି ତୋର ବସୁଦେବ ।” ଦୁଇ ପାଖରେ ଆକବର ଓ ସମୁଦି ଆଣ୍ଠୋନୀ ଙ୍କୁ ଅମରେଶ ବାବୁ ଛିଡା ହୋଇଥିବା ବେଳେ ପାଖ ଫିଲ୍ମ ହଲ ରୁ ଭାସି ଆସୁଥିଲା”ମେ ଅମର,ମେ ଆକବର, ମେ ଆଣ୍ଠୋନୀ….ଓ କମଳା ଓ ଜ୍ୱାଇଁ ଡ଼ଃ ଆଣ୍ଠୋନୀ ସମସ୍ତଙ୍କ ପାଦ ଛୁଇଁ ଆଶୀର୍ବାଦ ନେବାବେଳେ କିନ୍ତୁ ଆକବର ନିଜର କୃତ କର୍ମ ପାଇଁ ଲଜ୍ଜିତ ଅନୁଭବ କରୁଥିଲେ । ସମସ୍ତେ ଏକାଠି ବସି ଭୋଜନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆକବର କିନ୍ତୁ ଅନ୍ଧକାର ମଧ୍ୟରେ କେଉଁଆଡ଼େ ଅଦୃଶ୍ୟ ହୋଇ ଯାଇଥିଲେ ।କମଳା କିନ୍ତୁ ବାପା ବାପା ବୋଲି ଡାକି କହୁଥାନ୍ତି,” ନା ବାପା, ବାପା ଙ୍କର ଭୁଲ କୁ ପୁଅ ଝିଅ ଧରନ୍ତି ନାହିଁ ବୋଲି ମୋ ବାପା ମୋତେ ଏହି ସୁଶିକ୍ଷା ଦେଇଛନ୍ତି। ଆପଣ ଫେରି ଆସନ୍ତୁ।”କିନ୍ତୁ କମଳା ର ଡାକ ଅନ୍ଧାର ରେ କେଉଁଆଡ଼େ ଅଦୃଶ୍ୟ ହୋଇଯାଉଥିଲା।