ଟେନସନ

0

ପିଅନ କହୁଛି ପାଠ ମୋର କମ
ତେଣୁ ଖଟେ ଗଧ ପରି
ସମସ୍ତଙ୍କ କାମ କରିବାକୁ ହୁଏ
ଟେନସନ ମୋର ଭାରି (୧)
ଯଦି ପଢ଼ିଥାନ୍ତି କଲେଜରେ ବିଏ
ହୋଇଥିଲେ କିରାଣୀଟେ
ଟେନସନ ମୋର କିଛି ହୁଅନ୍ତା ନି
ରହିଥାନ୍ତି ଥାଟେ ବାଟେ (୨)

ଶୁଣି କିରାଣୀ ଟା ଚିହିଁକି ଉଠିଲା
କହେ କାମ ଗେଣ୍ଡା ଗେଣ୍ଡା
ଯେତେ କାମ କଲେ ସରୁନାହିଁ ମୋଟେ
ଟେବୁଲେ ଫାଇଲି ପେଣ୍ଡା(୩)
ଟେନସନ ମୋର କାମ କରିକରି
ପାଠ ମୋର ଏମ ଏ ନାହିଁ
କିରାଣୀ ଚାକିରି ଟେନସନ କେତେ
ବାବୁ ମାନଙ୍କର ପାଇଁ (୪)

ପାଠ ପଢ଼ିଛନ୍ତି ବାବୁ ହୋଇଛନ୍ତି
ଦରମା ମାସକୁ ଲକ୍ଷ
ଉପୁରି ମିଳୁଛି ପୁଣି ଏକ ଲକ୍ଷ
କେତେ କରିବୁରେ ଭକ୍ଷ (୫)
କଥା ଶୁଣି ବାବୁ ରାଗେ ଫଁଅ ଫଁଅ
ଲକ୍ଷେ ଟେନସନ ମୋର
ବଡ ବାବୁଙ୍କର ପ୍ରେସର ବହୁତ
ଇଟା କର ସେଟା କର (୬)

ବଡ଼ବାବୁ ଶୁଣି ପାଖକୁ ଆସିଲା
କହନା ରେ ମୋର ଦୁଃଖ
ନୁଆଁ ଜିଲ୍ଲାପାଳ ତାଗିଦି କରୁଛି
ଚାକିରୀରେ ନାହିଁ ସୁଖ (୭)
ଟେନସନ ମୋର ବଢ଼ି ବଢ଼ି ଯାଏ
କାମ ଉପରେ ପ୍ରେସର
ପିଲା ଛୁଆ କୁଟୁମ୍ବକୁ ଭୁଲିଗଲି
ଭୁଲିଗଲି ମୋର ଘର (୮)

ଜିଲ୍ଲାପାଳ ଶୁଣି ହୁଏ ଝୁଣି ଝାଣି
ସଚିବ ଖାଇଲା ମତେ
ପ୍ରେସର ଉପରେ ପ୍ରେସର ଦେଉଛି
ଟେନସନ ମୋର କେତେ (୯)
ଟାରଗେଟ କୁ ସେ ବଢ଼ାଇ ଦେଉଛି
କେତେ କରିବିରେ କାମ
ଚାପ ର ଉପରେ ଚାପ ପଡି ପଡି
ବୁଦ୍ଧି ହେଲା ମୋର ବାମ (୧୦)

ସଚିବ ଶୁଣିଲା ଚିହିଁକି ଉଠିଲା
ମନ୍ତ୍ରୀ ଙ୍କ ନିର୍ଦେଶ ପାଇ
କାମ କରି ମୋର ଟେନସନ ବଢେ
ପାରୁନାହିଁ ଖାଇ ପିଇ (୧୧)
ଲକ୍ଷ ଲକ୍ଷ ଟଙ୍କା ତୁଚ୍ଛ ଲାଗୁଅଛି
କାହିଁ ମୁଁ କଲି ଚାକିରି
ପିଅନ ଟିଏ ମୁଁ ହୋଇଥାନ୍ତି ପଛେ
ନାହିଁ ଟେନସନ ତାରି (୧୨)

ପିଅନ, କିରାଣୀ, ଶିକ୍ଷକ, ପୁଲିସି
ବିଡ଼ିଓ କି ତସିଲଦାର
ବିନା ଟେନସନେ ଦିନ ଯାଏ ନାହିଁ
ହେଲେ ମଧ୍ୟ ଅଫିସର (୧୩)
ଏଇମାନେ ଯେବେ ଭାଷଣ ଦିଅନ୍ତି
କହନ୍ତି ଚାଷୀ ର କଥା
ଚାଷ କରେ ଯିଏ କେତେ ସୁଖ ପାଏ
ନ ଥାଏ ତାର ଦୁଶ୍ଚିନ୍ତା (୧୪)

ଶୁଣୁଥିଲା ଚାଷୀ ଦଉଡି ଆସିଲା
ଦିନେ ପାଉଥିଲି ସୁଖ
ଆଜି କିନ୍ତୁ ତାହା ଓଲଟି ପଡିଛି
ଦୁଃଖ ପରେ ଖାଲି ଦୁଃଖ (୧୫)
ଚାକିରି ପାଇଲ ଚାଷୀଙ୍କୁ ଭୁଲିଲ
ପ୍ରତି କାମେ ଟେନସନ
ନାରୀଟିଏ ମତେ କରିଥାନ୍ତୁ ପ୍ରଭୁ
ସୁଖେ ଯାଇଥାନ୍ତା ଦିନ (୧୬)

ରନ୍ଧା କାମ ଟିକେ କରି ସାରିଦେଲେ
ଟେନସନ ତାଙ୍କ କାହିଁ
ଟିଭି ଦେଖା ଆଉ ଫୋନେ ଗପି ଗପି
ଦିନ ଯାଏ ଶୋଇ ଶୋଇ (୧୭)
ସ୍ତ୍ରୀ ରି ଶୁଣୁଥିଲା ଜବାବ ରଖିଲା
ଦିନେ ମାତ୍ର ହୁଅ ସ୍ତ୍ରୀ ରି
କାମ କରି କରି ଅଣ୍ଟା ଭାଙ୍ଗି ଯିବ
ଟେନସନ ମୋର ଭାରି (୧୮)

ଘର ଟେନସନ ତୁମ ଟେନସନ
ଛୁଆ ଟେନସନ କେତେ
ଶାଶୁ ଶଶୁର ନଣନ୍ଦ ଟେନସନ
ଅତିଷ୍ଟ କରୁଛି ମତେ (୧୯)
ଯେଉଁଠି କୁ ଯିବୁ ଟେନସନ ପାଇବୁ
ଭାବ ନାହିଁ ଆଉ ବେଶି
ଯେଉଁଠି ତୁ ଅଛୁଁ ଯେମିତି ବି ଅଛୁଁ
ରହି ଥାଆ ହସି ହସି (୨୦)

ଭବାନୀ ଶଙ୍କର ପଧାନ
କୁହିବାହାଲ, ବିନିକା, ସୁବର୍ଣ୍ଣପୁର

Leave A Reply

Your email address will not be published.

11 + 17 =