ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି
ଲୋକ କହୁଛନ୍ତି କେଉଁ ଯୁଗରୁ,
ଭବିଷ୍ୟତ ତୋର ବହୁତ ଉଜ୍ଜ୍ୱଳ
ଅତୀତ କୁ ହଟା ନିଜ ମନରୁ,,
ହିଂସା ଅଂହକାର ରାଗେ ଗରଗର
ଇନ୍ଦ୍ରୀୟକୁ ନ କରିକି ଆୟତ୍ତ,
ନିଜର ଭୁଲଟା ଦିଶେନି ଆମକୁ
ଅନ୍ୟ ଭୁଲ ପାଇଁ କଥା ବହୁତ,,
ବୁଝିଯା ଅବୁଝା ମନ
ଉଚ୍ଚ ରକ୍ତଚାପ ଡାକେ ଠାରି ହାତ
ଚିନ୍ତା ରୋଗ ମିଶେ ସୁଗର ସହିତ
ସାରିଦେବ ସବୁ ଧନ (୧)
ଏଣୁତେଣୁ କଥା ମନେ ଦିଏ ବ୍ୟଥା
କାହିଁକି ଭାବୁଛୁ ଦିନ ଓ ରାତି,
ପଛେ କିଏ କଣ କହିଦେଲା ବୋଲି
କାହିଁ ବଢ଼ାଉଛୁ ଦେହର ତାତି,,
କାହିଁକି ଧରୁଛୁ ଲୋକଙ୍କର କଥା
ଘର ଭଙ୍ଗା ଲୋକ କେତେ ବହୁତ,
ଏଣୁତେଣୁ ବିଷ ଭର୍ତି କରିଦେବେ
ଅହରହ କାନେ ଗାଇବେ ଗୀତ,,
ବୁଝିଯା ଅବୁଝା ମନ
ମୁଣ୍ଡେ କଲେ ଭର୍ତି ନିଜର ହିଁ କ୍ଷତି
ଉବାଟକୁ ଯାଏ ଆମ ମତି ଗତି
ନୀଚ ହୁଏ ଆମ ସ୍ଥାନ (୨)
ନିଜ ପରିବାର ଯଦି ହେବେ ଭଲ
ଦୁଃଖ ଚିନ୍ତା ରହେ ନାହିଁ ମନରେ,
ଅନ୍ୟ ଦୁଃଖେ କାହିଁ ଘାଣ୍ଟି ହେଉଅଛୁ
ଦୁଃଖ ବଢ଼ାଉଛୁ ନିଜ ଘରରେ,,
ନିଜ ପିଲାଛୁଆ ବଡ଼ ଲୋକ ହେବେ
ସେହି ଯତ୍ନେ ରହ କର୍ତବ୍ୟ କରି,
ଅନ୍ୟ କଥା ଶୁଣି ମୁଣ୍ଡେ ଦେଉ ଭରି
ସେଥିପାଇଁ ମୁଣ୍ଡ ସଦା ତୋ ଭାରି,,
ବୁଝିଯା ଅବୁଝା ମନ
ଗୀତା ରେ ଶ୍ରୀକୃଷ୍ଣ କହି ଯାଇଛନ୍ତି
କେତେ ନାରୀ ନର୍କ ସ୍ୱର୍ଗ କରିଛନ୍ତି
ବୁଦ୍ଧି ବଳେ ନିଜ ଜ୍ଞାନ (୩)
ଭବାନୀ ଶଙ୍କର ପଧାନ
କୁହିବାହାଲ, ବିନିକା, ସୁବର୍ଣ୍ଣପୁର