ଚାରିପୁଅ ମୋର ମତେ କଣ ଡର
ବାପା କହେ ଯୌବନରେ
ସେଇ ବାପା ଯେବେ ବୃଦ୍ଧ ହୋଇଯାଏ
ପଡିଥାଏ ବାଡ଼ିଘରେ (୧)
ବାହା ହୋଇଗଲେ ଚାରି ପୁଅ ଯେବେ
ବୋହୁ ଆସିଲେ ଚାରୋଟି
ଭାଗ ହୋଇଯିବା ସୁଭିଧା ମଣିଲେ
ମିଶି କାହିଁ ହେବା ଘାଣ୍ଟି (୨)
ପ୍ରଥମେ ପ୍ରଥମେ ଭଲ ଲାଗୁଥିଲା
ଖାଇବାର ଭଲ ମଜା
ମିଶିକି ରହିଲେ କେମିତି ପାଇବୁ
ଛଅ ତୁଣ ନଅ ଭଜା (୩)
ବାପା ତିଆରିଛି ଚାରି ପକ୍କା ଘର
ନେଇଗଲେ ଭାଗ କରି
ବାରିପଟେ ଥିଲା ଟିଣ ଘର ଖଣ୍ଡେ
ବାପାଙ୍କୁ କହନ୍ତି ଠାରି (୪)
ଏହି ଘର ବାପା ତୁମର ହୋଇଲା
ଚଲାଇବ ବୃଦ୍ଧ କାଳେ
ଦୁଇ ଚାରି ବର୍ଷ ଯାହା ବି ବଞ୍ଚିବ
ରହିଥିବ କଲେ ବଳେ (୫)
ହଡ଼ା ବଳଦଟା କି ଉତ୍ତର ଦେବ
ଝରେ ଆଖିରୁ ଲୋତକ
ଆଖିର ଲୁହ ଟା ଆଖି ଶୁଖିଯାଏ
ସତ, ନୁହଁ ଏ କୌତୁକ (୬)
ପ୍ରତିବର୍ଷ ପଡେ ନୁଆଁଖାଇ ପର୍ବ
ପୂଜା ହୁଏ ଚାରି ଘରେ
ଏତେ ବଡ଼ ପର୍ବ ମିଶି ପାରନ୍ତିନି
ବର୍ଷକରେ ମାତ୍ର ଥରେ (୭)
କହିପାରେନାହିଁ ବୃଦ୍ଧ ବାପା ସିନା
ସିଏ ଦେଉଥାନ୍ତା ନୁଆଁ
ଚାରି ପୁଅ ଠାରୁ ଚାରି ଥର ଖାଇ
ଜଳେ ହୃଦୟର ନିଆଁ (୮)
ନୁଆଁଖାଇ ପର୍ବ ପୂର୍ବ ଦିନ ଥିଲା
ଗଣେଶ ପ୍ରଭୁ ଙ୍କ ପୂଜା
ସେଇ ଉପଲକ୍ଷେ ନାଚ ଗୀତ କେତେ
କେତେ ବାଜୁଥିଲା ବାଜା (୯)
ନାତି ଟୋକା ଚିତ୍ରାଙ୍କନେ ଭାଗ ନେଇ
ପାଇଅଛି ପୁରସ୍କାର
ଚିତ୍ର ଦେଖି ଚାରିଭାଇ ଙ୍କ ହୃଦୟ
ହୋଇଗଲା ଥର ଥର (୧୦)
ଡିଜାଇନି କରି ଘର ତିଆରିଛି
ରାଜା ର ଭବନ ପରି
ଘରର ପଛରେ ଛୋଟ ଘର ଟିଏ
ଅଛି ଝାଟି ମାଟି କରି (୧୧)
ଝାଟି ମାଟି ଘର ପଛେ ପଡିଆଟେ
ଲାଗିକି ନାଳ ନର୍ଦମା
ଚିତ୍ର କୁ ଦେଖିଲେ ମନ ମୋହିନିଏ
ଚାରିପଟେ ସବୁଜିମା (୧୨)
ରାଜ ପ୍ରାସାଦ ପରିକା ଘରେ ଏକା
ରହିବି ସ୍ତ୍ରୀ ରି କୁ ଧରି
ବାରି ପଟ ମାଟି ଘରରେ ରହିବେ
ବାପା ଓ ମାଆ ମୋହରି (୧୩)
ମାର୍ବଲ ପଡିବ ଗାଧୁଆ ଘରରେ
ବାପା ମାଆ ପାଇଁ ମନା
ପଡିଆ କୁ ଯାଇ ଝାଡା ଶୌଚ ହେବେ
ଯେଇସା କୁ ତେସା ସିନା (୧୪)
ପୁଅ ଆଙ୍କିଥିବା ଚିତ୍ର ଦେଖି ଚାରି
ଭାଇଙ୍କ ଆଖିରୁ ଲୁହ
ତାର ଆରଦିନ ନୁଆଁଖାଇ ଅଛି
ବାପା ଙ୍କୁ ଯାଇକି କୁହ (୧୫)
ବିରାଟ ଭୁଲ ଟେ କରିଅଛୁ ବାପା
ବାରି ପଟେ ସ୍ଥାନ ଦେଇ
ଟେକା ଫୋପାଡ଼ିଲେ ପଥର ଟେ ଆସି
ଆପେ ହୋଇଯାଏ ଥୋଇ (୧୬)
ଚାଲ ବାପା ଆଜି ନୁଆଁଖାଇ ଦିନ
ଆମକୁ ମିଶାଇ ଦିଅ
ଚାରି ଭାଇ ମିଶି ଏକରେ ଖାଇବୁ
ନୁଆଁ ଗୁଣ୍ଡା ତୁମେ ଦିଅ (୧୭)
ଅସୁବିଧା ଆଉ ସୁବିଧା ଲାଗିଛି
କଳହବି ଘରେ ଘରେ
ବାଦ ବିବାଦ କୁ ଭୁଲିଯିବା ଆଜି
ଥିବା ଯାଏ ମର୍ତ୍ୟ ପୁରେ (୧୮)
ପଶ୍ଚିମ ଓଡିଶା ଗଜ ଗଜଉଛି
ଆଜି ନୁଆଁଖାଇ ପର୍ବ
ରାଗ ରୁଷା ଛାଡି ସମସ୍ତେ ମିଶିବା
କେହି କରିବାନି ଗର୍ବ (୧୯)
ଆଶୀର୍ବାଦ ଦେବା ଯେତେ ଥିବେ ଛୋଟ
ବଡ଼ଙ୍କୁ ମୁଣ୍ଡିଆ ମାରି
ମିଳିମିଶି ନୁଆଁ ଖାଇ ପର୍ବ ପାଳି
କରୁଁ ପ୍ରଭୁଙ୍କୁ ଗୁହାରି (୨୦)
ଭବାନୀ ଶଙ୍କର ପଧାନ
କୁହିବାହାଲ, ବିନିକା, ସୁବର୍ଣ୍ଣପୁର