ଦେଲ ନାହଁ ମୋତେ ଦୁଇପଟ ଶଙ୍ଖା
ଟୋପାଏ ସିନ୍ଦୂର ଗାର
ତଥାପି ହେଲି ମୁଁ ତୁମସାଥେ ବନ୍ଧା
ସମ୍ପର୍କ ଆମ ନିବିଡ…।
ଦେଲ ନାହଁ କୁଳବଧୂର ମର୍ଯ୍ୟାଦା
ହୋମ ଅଗ୍ନି କୁ ସାଖୀରଖି
ତଥାପି ହେଲି ମୁଁ ତୁମ ସାଥେ ବନ୍ଧା
ମନରେ ମନକୁ ଯୋଖି…..।
ସାତ ଜନ୍ମ ପାଇଁ ରଖିଲନି ସାଥେ
ଗୋପରୁ ଦୂରେଇ ଗଲ
ଯୁଗଯୁଗ ପାଇଁ ମୋର ସାଥେ କାହ୍ନୁ
ତୁମେତ ପୂଜା ପାଇଲ….।
ପ୍ରେମିକ ରସିକ ମୋ ନଟ ନାଗର
ଏ,କି ଛଳ ତୁମେ କଲ
ମୋତେ ମନଦେଇ ରୁକ୍ମଣୀ ସାଥିରେ
କେମିତି ସଂସାର କଲ….।
ତୁମ ଅପେକ୍ଷାରେ ମୋର ଏ ଜୀବନ
ରହିଅଛି ରହିଥିବ
କଥା ଦିଅ କାହ୍ନା ତୁମର ବଇଁଶୀ
ରାଧା ବିନା ନ ବାଜିବ…।
ସେତିକିରେ ତୁମ ସରୁନାହିଁ କଥା
ମୀରାକୁ ପ୍ରେମେ ବାନ୍ଧିଲ
ତୁମପାଇଁ ଛାଡିଲା ସେ ଘରଦ୍ୱାର
କେତେଯେ ପରିକ୍ଷା ନେଲ….।
ତୁମକୁ ମାଧବ ରହିବ ମୋ ପ୍ରଶ୍ନ
ତୁମେ କ,ଣ ଠିକ୍ କଲ
ଜଗତ ଠାକୁର ବୋଲାଇ କହ୍ନେଇ
ପ୍ରୀତିରେ କଳଙ୍କ ଦେଲ….।
ପୁଷ୍ପାଞ୍ଜଳି ରାଉତ
ମହିଷାପାଟ, ଢେଙ୍କାନାଳ