ବିରହେ ତୁମର ଯାଇଛି ମଉଳି
କାହ୍ନା ତୁମେ ଦେଲ ଧୋକ୍କା
କେମିତି ରହିଲ କେଉଁ ରାଇଜରେ
ଛାଡିଗଲ ମୋତେ ଏକା ।
ପଦୁଅଁ ପତରେ ଢଳ ଢଳ ପାଣି
ଏଇ ଅଛି ଏଇ ନାହିଁ
ତୁମ ପ୍ରତିଶ୍ରୁତି ମୋତେ ଲାଗେ ସତେ
ସେମିତି ଗଲା ଉଭେଇ ।
ଜାଣି ଶୁଣି ସବୁ କରୁଅଛ ତୁମେ
ମୋ ସାଥେ ପୀରତି କଲ
ଏବେ ପୁଣି ମୋତେ ଏକା କରିଦେଇ
ତୁମେତ ମଥୁରା ଗଲ ।
ତୁମପାଇଁ ଏଠି ଝୁରୁଛି ଯମୁନା
ଝୁରୁଛି କେଳି କଦମ୍ବ
କେବେ ଫେରିବେ ମୋ ମୋହନ ସୁନ୍ଦର
ଅପେକ୍ଷାର ଅନ୍ତ ହେବ ।
ସତେକି ଆସିବେ ସେ କଳା ରସିକ
ଶୁଭିବ ବଂଶୀର ସ୍ୱନ
ସପନ ମୋହର ହୋଇବ କି ସତ
ପଚାରେ ବିରହି ମନ ।
ତୁମପାଇଁ ନିନ୍ଦା ବାଜଣା ବାଜଇ
ଗୋପପୁର ସାରା ମୋର
କଳଙ୍କିନୀ ହେଲି ସତେ ମୁଁ ମାଧବ
ମୋତେ କରିଦେଲ ଦୂର..।
ପୁଷ୍ପାଞ୍ଜଳି ରାଉତ
ମହିଷାପାଟ, ଢେଙ୍କାନାଳ