ଗର୍ଭର ସେ ରୁଦ୍ଧ କାରା ଡେଇଁ
କୁଆଁରବ କୁହୁକ ଖେଳାଇ
ନୂଆ ଏକ କାୟାର ସ୍ପନ୍ଦନେ
ଜୀବନ ଗବାକ୍ଷେ ଦିଶେ
ନିଷ୍କଳଙ୍କ ଜହ୍ନଟିଏ ହୋଇ
ମାଟିକୁ ଛୁଇଁଲା ପରେ
ଭୋକକୁ ଚିହ୍ନିବା ପରେ
ସୁଖକୁ ଆପଣା କରେ
ଶୋକକୁ ଘୁଞ୍ଚାଏ ଦୂରେ
ଅସ୍ତିତ୍ବର ଇଲାକାରେ
ସେ ନିଜ ପରିବା ପଣରେ ।
ସେ କେବେ ଝରାଇ ଦିଏ
ସେନେହ ଉଛୁଳା ନଦୀ
ରାଗରେ ଜଳାଇ ଦିଏ
ଚେତନାର ଚୌହଦୀ
ଅନୁତାପ ଅନୁରାଗ
ଅନେକ ଆବେଗ ଭେଦି
ଗାଇ ଗାଇ ଚାଲୁଥାଏ
ଅନ୍ଵେଷାର ସିକ୍ତ ସପ୍ତପଦୀ ।
ଆଶାର କିରଣ ପାଇଁ
ଯାତନାର ମରୁଭୂଇଁ
ସାହସେ ପାରଇ ଜିଣି
ହାରିବା ତା ଅସ୍ବୀକୄତ
ବିଡମ୍ବିତ ଭାଗ୍ୟର ଲେଖନୀ
କେବେ ପୁଣି ଯାଇ ହାରି
ହସିପାରେ ମନ ଖୋଲି
ଜିତି ବି ଯାତନା ଭୋଗେ
କିମାଶ୍ଚର୍ଯ୍ୟ ଜୀବନ ଦେହଳୀ
କଥା ଆଉ ଗାଥା ଯେତେ
ବାକି ରହେ ଏଇ ମହୀ ତଳେ
ଆତ୍ମା ପକ୍ଷୀ ଅପସରେ
ମିଶିଯାଏ ଅନନ୍ତ ଆକାଶର
ନୀଳ ନୀଳିମାରେ ।
ଡକ୍ଟର ସୁଚିତ୍ରା ରଥ
ନୀଳଚକ୍ର ନଗର , ପୁରୀ