ମୁଁ ଡୁବିଛି ତମାମ ଜଞ୍ଜାଳ ଭିତରେ
ବାନ୍ଧିଛି ମୁଠାମୁଠା ସୁଖ
କାନି ପଣତରେ
ତଥାପି କୀଟ ପରି କାଟିଚାଲେ
ମୋତେ ଏକ ଅଭେଦ୍ୟ ଅତୄପ୍ତି
ନିର୍ବୋଧ ଅବୁଝାପଣ
ଅସହାୟ ଅନ୍ଧକାର ।
ପାହାଡ ପ୍ରମାଣେ ବିଶ୍ୱାସକୁ
କେହି ବୋଧେ ଫୁଃ କରି
ଫୁଙ୍କିଦେଲା ଅଯତ୍ନରେ
ଭାଙ୍ଗି ଦେଲା କାଚଘର ନିଃଶବ୍ଦରେ
ପବନର କୋଳାହଳ କହି
କାଟିଦେଲା ନଟେଇରୁ ଗୁଡି
ସେଇ ତ ଯଥେଷ୍ଟ
ମୋ ଅନ୍ଯମନସ୍କତାର ।
ମୁଁ ମାଗିନି ଇନ୍ଦ୍ରପ୍ରସ୍ଥ
କୋଟି ଗଜମୁକ୍ତା
ଆକଣ୍ଠ ଆଲିଙ୍ଗନ କି
ସୀମାହୀନ ସମୟ
ଛଳନା କି ଅଭିସନ୍ଧିର
ଅନୁପ୍ରବେଶ ତ
ହୋଇନି ମୋ ଭିତରେ
ଡେଇଁନି ଲକ୍ଷଣରେଖା
ଛୁଇଁନି ବି ପାପ ଚଉହଦୀ
ତା’ ନିରବତାର ଅଣଚାଶରେ
ତଥାପି ମୁଁ ଏତେ କ୍ଷତାକ୍ତ କାହିଁକି ?
ହଁ, ମୋହଭଙ୍ଗ କଣ ଏତେ ସହଜ କି !
ଉତ୍ତରପର୍ବର ଯବନିକା ଯାଏଁ
ସିନ୍ଦୂରା ଫିଟିବା ଯାଏଁ
ମଲାଜହ୍ନ ପୁଣି ହସିବା ଯାଏଁ
ବିଶ୍ବାସର ନଈକୂଳେ ମୁଁ
ବସିଛି ,ବସିଥିବି ଅହଲ୍ଯା ପରି
ହୁଏତ ସେ ଫେରିପାରେ
ସେଇ ଉଛୁଳା ନଈର ଧାରେ ।
ଡ.ସୁଚିତ୍ରା ରଥ
ନୀଳଚକ୍ର ନଗର, ପୁରୀ