ପାପୁଲି ବାହାରର ଆକାଶ

0

ତଳକୁ ଉପର ହେଉଥାଏ ସଞ୍ଜୁ । ଲୋକଟା ବଲବଲ କରି ଚାହିଁ ଥାଏ ତାକୁ । ସେ ଛାତ ଉପର ଦାଣ୍ଡବାଡି ସବୁଆଡେ ପରସ୍ତେ ଆଖି ବୁଲେଇ ଆଣିବା ପରେ ସାମାନ୍ୟ ଥକାପଣରେ ତା’ ଆଗରେ ଆସି ଲଥ୍ କରି ବସିପଡିଲା । ଲୋକଟା ସେମିତି ବଲବଲ କରି ଚାହିଁଥାଏ ତା’ ମୁହଁକୁ । ସଞ୍ଜୁ କହିଲା, ହଁ ହୋଇଗଲା ଏତିକି ହିଁ । ଏଥର ନଜର ହଟେଇ କାମରେ ଲାଗିଲା ସେ । ସଞ୍ଜୁ ଗୋଟେଇ ପୋଟେଇ ଆଣି ରଖିଥିବା ସବୁ ଜିନିଷକୁ ସେ ପରଖିଲା ନିଜ ବାଗରେ । କାଚକୁ ଅଲଗା, ପ୍ଲାଷ୍ଟିକକୁ ଅଲଗା, ଟିଣକୁ ଅଲଗା କରି ରଖୁଥାଏ ସେ । ଶାଶୁ ଆଜୀବନ ସାଇତି ଥିବା ଗଦାଏ ଆଲଫାଆଲଫା ବୋତଲ, କେଉଁ ଅମଳର ଟିଣ ବାର୍ଲି ଡବା,ଅମୁଲ୍ ଡବା,ଗୁଡାଖୁ ଡବା, ବୋରିକ୍ ପାଉଡର ଡବା,ସଙ୍ଗୀତାଙ୍କର ରାଜାରାଣୀ କଣ୍ଢେଇ , ସୁମିତଙ୍କର ସ୍କୁଲ ବେଳର ଟ୍ରଙ୍କ୍ , ସେ ସବୁକୁ ଅଳିଆ କହି ଆଜି ଘରୁ ବାହାର କରି ଦେବାର ବ୍ଯବସ୍ଥା କରୁଛି ସଞ୍ଜୁ,ଯାହାକୁ କେବେ ବି ବିକି ନାହାନ୍ତି କି ଫିଙ୍ଗିଦେଇ ନାହାନ୍ତି ଶାଶୁ । ତାଙ୍କ ଦେହାନ୍ତର ଚାରିମାସ ପରେ ଯେବେ ଅପହଞ୍ଚ ଇଲାକାରେ ସେ, ସେବେ ସଞ୍ଜୁ ସ୍ଥିର କରିଛି ସେସବୁ ଜିନିଷର ଭବିଷ୍ୟତ । ହେଲେ ପୁରୁଣା ଜିନିଷ ସହ କେଉଁଠି ନା କେଉଁଠି ଯୋଡି ହୋଇଥାଏ ସ୍ମୃତିର ଖିଅ ।ଏଇ ଯେମିତି ପୁପୁନ୍ ର ପ୍ଲାଷ୍ଟିକ ବ୍ଯାଟ୍ ଦେଖି ତା ଆଖିରେ ନାଚି ଯାଉଥିଲା କୁନି ପୁପୁନ୍ ର ଗୁଲଗୁଲିଆ ମୁହଁ ଆଉ ଅଦରକାରୀ ତେଲ ବୋତଲ ଗୁଡିକୁ ଦେଖିଲେ ମନେ ପଡୁଥିଲା ତେଲକୁ ନେଇ ଝଡ ଉଠୁଥିବା ତା ତେଲଲୁଣର ସଂସାର କଥା । ସୁମିତ୍ ଖାଇଲା ବେଳକୁ ହାତ ଚାଟି ଖାଇଦେବେ ହେଲେ ପରେ କହିବେ ସେ କାଳେ ବେଶି ତେଲ ଦେଇ ରାନ୍ଧିଦିଏ ।କେତେ ଥର ସେଥିପାଇଁ ଅଭିମାନରେ ଆଡ କରି ସେ ଥୋଇଦିଏ ତେଲ ବୋତଲକୁ ।
ଲୋକଟାର ଅଖାଏ ଜିନିଷ ଗଦ୍ କରି ଢାଳିଦେବାରେ ଭାବନାରୁ ଫେରି ଆସିଲା ସଞ୍ଜୁ । ହେଲେ ଲୋକଟା ଏମିତି ବଲବଲ କରି ଚାହିଁବାଟା ବିବ୍ରତ କରୁଥିଲା ତାକୁ । ଆଜି କାଲି କାହାକୁ ବିଶ୍ବାସ ! ଚୋର କି ତସ୍କର, କାହାର କେତେ ଫିକର ଆଜି କାଲି !ନହେଲେ ହୋଇଥିବ କେଉଁ ରାସ୍ତାକଡର ରୋମିଓ ଯେ, ଏମିତି ଅଧା ବୁଢ଼ୀଟାକୁ ବଲବଲ କରି ଚାହିଁ ସ୍ବପ୍ନ ରଚୁଛି ଶୄଙ୍ଗାରର ।ଆଜିକାଲି ସମସ୍ତେ ତ ଅବୋଲକରା ମନର ଦାସ ! କାହାକୁ ଚିହ୍ନିବ !
” ମା ଦେଖ । ତିନି କିଲୋ ପାଁଶ ହେଲା ।” ବିଦ୍ବେଷରେ ତାତି ଉଠୁଥିବା ସଞ୍ଜୁର ମନଟା ହଠାତ୍ ଥଣ୍ଡା ପଡିଗଲା ଲୋକଟାର ମା’ ଡାକରେ । ଅଭଦ୍ର ଅଶିଷ୍ଟ ମନେ ହେଉଥିବା ଲୋକଟା ଏବେ ବେଶ୍ ନିରୀହ ଲାଗିଲା ତାକୁ ।ମମତାର ନିର୍ଝର ଟିଏ ବୋହି ଗଲା ଯେମିତି ତା ମା’ ଡାକରେ ।ଏମିତି ବାତ୍ସଲ୍ଯବୋଧଟିଏ ଆଚ୍ଛନ୍ନ କରି ରାଖିଥାଏ ବୋଲି ନାରୀ ମମତାମୟୀ ଚିରକାଳ। ଏଥର କାର୍ଯ୍ଯ ମନସ୍କ ହେଲା ସଞ୍ଜୁ । ଓଜନର ପରିମାଣ ସବୁକୁ ମନେରଖି ଲେଖି ନେବାରେ ଲାଗିଲା । ମନର ଅବସ୍ଥିତି ନେଇ ହିଁ କାର୍ଯ୍ୟ କରିଥାଏ ମସ୍ତିଷ୍କ ।ଶାଶୁଙ୍କ ଦେହାନ୍ତ ପରେ ଗୁଡାଏ ଜିନିଷ ଘରୁ ବାହାର କରିବାର ଥିଲା । ବେଳେବେଳେ ବୋଝ ଲାଗନ୍ତି ଅଦରକାରୀ ଜିନିଷ ସବୁ । ଭିଡି ଆଣି ଠିଆ କରନ୍ତି ସ୍ମୃତିକୁ । ଯାହା ହୁଏତ ପାଗଳ କରିପକାଏ ସଞ୍ଜୁକୁ ।
କାଗଜ ତକ ଓଜନ କରିବା ଭିତରେ ଅଟକି ଯାଇ ଲୋକଟି ପୁଣି ଚାହିଁଲା ସଞ୍ଜୁକୁ ।

ଦେଖିଲ ମା’ଏଇ ଡାକ୍ତରୀ କାଗଜ ତକ ରହିଯାଇନି ତ ଭୁଲରେ !
ସେ ଜାଣି ଜାଣି ବାହାର କରି ଦେଇଥିଲା ସେସବୁକୁ, ଯାହା ଦିନେ ଫାଇଲରେ ସାଇତା ହୋଇ ହୁଏତ ବୁହା ଯାଉଥିଲା ଡାକ୍ତରଙ୍କ ପାଖକୁ । ହେଲେ ମଣିଷ ଯେବେ ଫାଇଲରେ ଫଟୋ ହୋଇ ରହିଯାଏ , ସେତେବେଳେ ପ୍ରେସ୍କ୍ରିପସନ୍ ହରାଇ ଦିଏ ଫାଇଲରେ ରହିବାର ଯୋଗ୍ଯତା । ଲୋକଟିର ଦାୟିତ୍ୱସମ୍ପର୍ଣ୍ଣତା ଦେଖି ଖୁସି ହେଲା ସଞ୍ଜୁ ।ପ୍ରକାଶ୍ଯରେ କହିଲା, ଯାହା ହେଉ ଏଗୁଡିକ ପ୍ରେସ୍କ୍ରିପସନ୍ ବୋଲି ଚିହ୍ନି ପାରିଲ ତମେ । ନିଜ କାମ ଏମିତି ନିଷ୍ଠାର ସହ କରିବା ଭଲ । ମୁହଁର ରେଖା ବଦଳି ଗଲା ଲୋକଟିର । କହିଲା,” ଏମିତି ଗଦା ଗଦା ଡାକ୍ତରୀ ରିପୋର୍ଟ ଧରି ମୁଁ କେତେ ଧାଇଁଥିଲି ଡାକ୍ତରଖାନା ।ରୋଗରେ ପଡିଥିଲା ମା’। ଡାକ୍ତର କହିଲେ ପେଟରେ କ୍ଯାନସର୍ ହୋଇଛି । ମୋତେ ସେତେବେଳେ ସତର ବର୍ଷ । ଅଭାବ ଥିଲେ ବି ପର ଘରେ ଖଟି ମା’ ପାଠ ପଢଉଥିଲା ମୋତେ । କଲେଜରେ ନାଁ ଲେଖେଇଥିଲି । ହେଲେ ରୋଗ ହେବାରୁ ଆଉ ଖଟି ପାରିଲନି ମା’। ବାପା ଥିଲା ଘୋଡ଼ା ମଦୁଆ । ଭାଇ ଶ୍ବଶୁର ଘରେ ଘରଜୋଇଁଆ ରହିଲା ଯେ ମୁହଁ ଚାହିଁଲାନି କାହାର । ମୁଁ କେତେ ଡାକ୍ତରଙ୍କ ଗୋଡ ଧରିଲି ମା’କୁ ଭଲ କରିଦେବା ପାଇଁ ।ହେଲେ ଗରିବର ଅନୁନୟ ତକ ଚୂଲି ମୁହଁରେ ପୋତି ହେଲା ପରି ସିନା !ଘରେ ଗଡୁଥିଲା ହାଣ୍ଡି ଆଟିକା। ମୁହଁରେ ଦାନା ଗଣ୍ଡେ ଦେବାକୁ ସକ୍ଷମତା ନଥିଲା । ସେତିକିବେଳେ ପଡିଶା ବାଲି ଦୋକାନୀ ମଉସା କବାଡିଖାନାରେ ମୋ ପାଇଁ ବୁଝିଦେଲେ ଏଇ କାମ। ମା’ କୁ ହୋମିଓପ୍ୟାଥିକ ଚିକିତ୍ସା ଦେଇ ବଞ୍ଚାଇ ପାରିଲି ଛଅ ମାସ। ହେଲେ ଆଉ ହାତ ପାଇଲାନି ।ମାଆ ଚାଲି ଗଲା ଆରପାରିକି ।”
ଭାଗ୍ୟର ପାହାର ଖାଇ ଦବି ଯାଉଥିବା ଆଉ ଏକ ଚରିତ୍ରକୁ ଭେଟୁଥିଲା ସଞ୍ଜୁ ।ଓଜନ ସବୁ ପ୍ରାୟ ସରିଲା ।ଏଥର ହିସାବ କରି ଦୁଇ ଶହ ସତୁରୀ ଟଙ୍କା ଦେବ ବୋଲି କହିଲା ସେ । ସଞ୍ଜୁ ଦେଖୁଥିଲା ସେହି ଜିନିଷ ଗୁଡିକ ସହ କିଛି ସ୍ବପ୍ନ, କିଛି ସ୍ମୃତି ବାନ୍ଧି ହୋଇ ଯାଉଛି ଲୋକଟିର ଅଖାବସ୍ତା ଭିତରେ ।ଲୋକଟି ତଥାପି ଅନ୍ଯମନସ୍କ ଥିଲା ।।ସଞ୍ଜୁ ହାତକୁ ଟଙ୍କା ବଢେଇ ଦଲା ବେଳକୁ ପୁଣି ବଲ ବଲ କରି ଚାହିଁ ପଚାରିଲା, ଛୋଟ ମୁହଁରେ କଥାଟିଏ ପଚାରିବି ମା’ ? ଆପଣ କଣ ମୋତେ ଚିହ୍ନି ପାରୁଛନ୍ତି ?
ଆଶ୍ଚର୍ଯ୍ୟ ଓ ପ୍ରଶ୍ନ ପ୍ରଶ୍ନ ହୋଇ ଚାହିଁଲା ସଞ୍ଜୁ । କିଛି ସମୟର ନିରବତା ପରେ ଲୋକଟି କହିଲା ,” ମୁଁ ବୁଝିସାରିଲିଣି ଘାଟୀ ରାସ୍ତାରେ ସେହି ଅପରାହ୍ନରେ ସାହାଯ୍ୟ କରିଥିବା ବାବୁଆଣୀ ଆପଣ ନୁହନ୍ତି । ତଥାପି ମନ ମାନିଲାନି ବୋଲି ପଚାରିଦେଲି । ଅବିକଳ ସମାନ ଚେହେରାରେ ଦୁଇଟା ମଣିଷ ଥାଇ ପାରନ୍ତି ! ହଉ , ବିଧାତାର ସୄଷ୍ଟିରେ ଅସମ୍ଭବ ଗୋଟେ କଣ ! ଜ୍ୟେଷ୍ଠ ମାସର ଖରା ପାଣି ମୁନ୍ଦେ ଦିଅ ମା’ ।” ସଞ୍ଜୁ ମନରେ ଆଗ୍ରହ । ସେ ବୁଝିଲାଣି ଲୋକଟା ତାକୁ ବଲବଲ କରି ଚାହୁଁଥିଲା କାହିଁକି । ପାଣି ଗିଲାସେ ଆଣି ଦେଇ ପଚାରିଲା । କି ପ୍ରକାର ସାହାଯ୍ୟ ପାଇଥିଲ ତୁମେ ସେହି ମହିଳାଙ୍କ ଠାରୁ ? ଏଥର ଆରମ୍ଭ କଲା ଲୋକଟି ।

କେଶପୁରର ଘାଟୀରାସ୍ତାରେ ମୁଁ ଭେଟିଥିଲି ଯାହାଙ୍କୁ ଏତେ ବର୍ଷ ପରେ ବି ଆଖିରେ ରହିଯାଇଛି ସେହି ଛବି । ଅବିକଳ ତୁମରି ପରି ଚେହେରା। ସିନ୍ଦୂର ଟୋପାଟା ଯାହା ଆଠେଣି ପରି ଜକଜକ ହୋଇ ଦିଶୁଥିଲା ତାଙ୍କ ମଥାରେ । ବୈଶାଖ ମାସର ମୁଣ୍ଡଫଟା ଖରା ତାତିକୁ ଖାତିରି ନକରି ଘାଟୀରାସ୍ତାରେ ମୁଁ ନିଇତି ବଜାରକୁ ଯାଏ ଟ୍ରଲିରେ ଜିନିଷ ଧରି ।ଲକ୍ଷ୍ମୀ ନାରାୟଣ ମନ୍ଦିରଠାରୁ ପ୍ରାୟ ଶହେ ହାତ ଦୂରରେ ମାଲିକର ଗୋଦାମ । ଜିନିଷ ତକ ସେଇଠି ପଇଠ କରିଦେଲେ କାମ ଶେଷ ମୋର। ଯାହା ଦୁଇଶ,ଚାରିଶ ରୋଜଗାର ହୁଏ ସେଇତକରେ ପରିବା ସଉଦା ଦିଇଟା ଧରି ଘରକୁ ଫେରେ ।ସେଦିନ ବଜାର ପାଖରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ବାକି ଥାଏ ।ଟ୍ରଲିରେ ମାଲ୍ ଭର୍ତ୍ତି ହୋଇଥିଲା ବୋଲି ମୁଁ ମନେମନେ ଖୁସି ଥାଏ ।ମା’ ପାଇଁ ଫଳ କିଛି କିଣି ନେଇ ପାରିବି ଆଜି ।ହେଲେ କେଉଁଠି ଥିଲା କାଳବୈଶାଖୀ ମୋରି ଉପରେ ଯେମିତି ଛିଡି ପଡିଲା ଦୁର୍ଭାଗ୍ୟ ହୋଇ ।ମାଡିଆସିଲା ଘୂର୍ଣ୍ଣିର ଆବର୍ତ୍ତ । ନଇଁ ଆସିଲା କଳା ମେଘ ବିଜୁଳି ରେଖାରେ ଗଣ୍ଠେଇ ହୋଇ ।ଅସ୍ତବ୍ଯସ୍ତ ପରିବେଶ, ଶୂନଶାନ ରାସ୍ତାଘଟ ।କେବଳ ଆରମ୍ଭ ହୋଇଥାଏ ପବନର ତାଣ୍ଡବ ।ମୋର ପଛକୁ ଫେରିବାକୁ ଗତି ନଥାଏ କି ଆଗକୁ ବଢ଼ିବାର ବଳ ନଥାଏ ।ଆଶ୍ରୟ ନେବା ପାଇଁ ସ୍ଥାନ ବି ନଥାଏ । ପରାଜିତ ସୈନିକର ଶେଷ ବଳ ପରି ମୋ ଦୁର୍ବଳ ବାହୁରେ ମୁଁ ଭିଡି ଧରିଥାଏ ଭାରୀ ଟ୍ରଲିର ହ୍ଯାଣ୍ଡେଲକୁ।କଣ୍ଟା ପରି ଫୋଡି ହେଉଥାଏ ଧୂଳି ଯାକ । କେତେ ସମୟ ବା ତିଷ୍ଠି ପାରି ଥାଆନ୍ତି ପବନର ପରାକ୍ରମ ଆଗରେ ।ଶେଷରେ ଭାରସାମ୍ୟ ହରାଇ ଟ୍ରଲି ଗଡିଲା ପଛକୁ ପଛକୁ । ଗଳି ପଡୁଥାଏ ଜିନିଷ ସବୁ ।ଶେଷରେ ଟ୍ରଲିଟି ଓଲଟି ପଡି ରାସ୍ତା ତଳକୁ ଖସିଯାଉଥାଏ ଚକା ।ସେତେବେଳକୁ ବର୍ଷା ଆରମ୍ଭ ହୋଇ ଗଲାଣି ।ଠିଆ ଠିଆ ଭିଜୁଥାଏ ମୁଁ ।ଦରିଦ୍ରର ପସରା ପରି ଏଇ ଟ୍ରଲିଟି ବିନା ଗତି ନାହିଁ ମୋର । ଯେମିତି ହେଲେ ଉଦ୍ଧାର କରିବାକୁ ପଡିବ ତାକୁ ।ଗୋଟାଏ ଚାକୁଣ୍ଡାଗଛର ଗଣ୍ଡି ପାଖରେ ଅଟକି ଥାଏ ଟ୍ରଲି ।ହେଲେ ତଳକୁ ଯିବାକୁ ଡର ଲାଗୁଥାଏ ।ଗୋଡ ଖସିଗଲେ ହୁଏତ ଖସିଯିବି ଆଉ ଶହେ ଫୁଟ ତଳକୁ ।ପ୍ରାୟ ଦେଢଘଣ୍ଟା ପରେ ଥମିଲା ବର୍ଷା । କାଁ ଭାଁ ଗାଡିମଟର ଯିବା ଆସିବା କରିଲା ।ହେଲେ ଏଇ ମଳିମୁଣ୍ଡିଆ ଲୋକଟାକୁ ସାହାଯ୍ୟ କରିବାକୁ କାହାକୁ ବା ସମୟ ।ସେତେବେଳେ କଳାରଙ୍ଗର ବୁଲେଟରେ ସ୍ବାମୀ ସ୍ତ୍ରୀ ଦୁହେଁ ଯାଉଥିଲେ । ସ୍ତ୍ରୀ ଲୋକ ଜଣକ ହିଁ ଦେଖି ପାରିଲେ ମୋର ଅସହାୟତା । ତାଙ୍କ କଥାରେ ଗାଡି ଅଟକାଇ ବାବୁ ଜଣକ ଆଗେଇ ଆସିଲେ ମୋତେ ସାହାଯ୍ୟ କରିବାକୁ ।ପାଦ ଚିପି ଚିପି ତଳକୁ ଓହ୍ଲେଇ ଗଛରେ ଢିରା ଦେଇ ମୁଁ ଟ୍ରଲି ଉପରକୁ ଠେଲିଲି ଓ ସେ ଦୁହେଁ ଉପରେ ରହି ଟାଣିବାକୁ ଚେଷ୍ଟା କରିଲେ ।ସେମାନଙ୍କର ସହଯୋଗରେ ଟ୍ରଲିଟି ଉଦ୍ଧାର ହୋଇ ଯିବାରୁ କୄତଜ୍ଞତା ଭରା ପ୍ରଣାମ ଜଣାଇଲି ତାଙ୍କୁ । ଏଥର ସେମାନେ ଚାଲିଗଲେ ନିଜ ଗନ୍ତବ୍ଯରେ ।


ବର୍ଷା ଛାଡି ଯାଇଥିଲା । ଥମିଯାଇଥିଲା କାଳ ବୈଶାଖୀ ।ଇତସ୍ତତଃ ଜିନିଷପତ୍ରକୁ ଯଥା ସମ୍ଭବ ଏକାଠି କରି ଟ୍ରଲିରେ ଲଦିବା ବେଳକୁ ଦେଖିଲି, ଚକା ପାଖରେ ଚକ୍ ଚକ୍ କରୁଛି କିଛି ଗୋଟାଏ । ନଇଁ ପଡି ଦେଖିଲି । ସୁନାହାର ପରି ଲାଗିଲା ।ନାଲି ପଥର ବସା ଲକେଟ ବି ଝୁଲୁଛି । ହୁଏତ ନକଲି ହାରଟାଏ ବ୍ଯବହାର ପରେ କେହି ଫିଙ୍ଗି ଦେଇଛି ରଦ୍ଦି ଜିନିଷ ସହ ।ତଥାପି ମାୟା ଜାଗିଲା ମନରେ ।କେବେ ବିଭା ହେଲେ ମୋ ସ୍ତ୍ରୀ ଗଳାରେ ହାରଟି କେତେ ସୁନ୍ଦର ଲାଗିବ ଭାବି ଉଲୁସି ଉଠିଲି ।ମୋ ମଳିଛିଆ ସାର୍ଟର ଛାତି ପକେଟରେ ସାଇତି ନେଲି ସେଇଟି ।ତେଣେ ମା’ପାଇଁ ଔଷଧ ନେବା ଡେରି ହୋଇ ଯିବ ବୋଲି ଚଞ୍ଚଳ ପାଦରେ ପ୍ଯାଡେଲ୍ ମାରିଲି ବେଗ ବେଗ କରି ।ବଜାର ପାଖ ହେଲା ବେଳକୁ ପୁଣି ଫେରୁଥିଲେ ସେହି ଦମ୍ପତି । ସେମାନଙ୍କୁ ଦେଖି ହସହସ ହେଲି ମୁଁ , ସେମାନେ ବି ଧୀର କଲେ ଗାଡି । ବ୍ଯସ୍ତତା ଭରା କଣ୍ଠରେ ବାବୁଆଣୀ କହିଲେ, ଭାଗ୍ୟ ଖରାପ ଆଜି ଆମର ।ପଦ୍ମକଢି ଲକେଟ ସହ ଚାରି ଭରିର ହାର କେଉଁଠି ହଜେଇ ଦେଲି ମୁଁ । ଘରୁ ବାହାରିଲା ବେଳେ ତ ଥିଲା ହେଲେ,ରମ୍ଭା ଯାଏଁ ହେଉଣୁ ହଠାତ୍ ନଜର ପଡିଲା ବେକରେ ହାର ନାହିଁ । ଆଉ କଣ ମିଳିବ ? ତଥାପି ଫେରୁଛୁ ….।


ଆଖି ଖୋସି ହୋଇ ଯାଉଥାଏ ମୋର । ସେଇଟା ସତରେ ସୁନା !! ନଜାଣିଲା ପରି ରହିଗଲେ ହୁଏତ ଆଭାବ ରହନ୍ତାନି ମା’ର ଚିକିତ୍ସାରେ ।ଅନେକ ସ୍ବପ୍ନ ପୂରା କରି ପାରନ୍ତା ଏଇ ନିଉଛୁଣା ଜୀବନ । ହେଲେ ହାତଟା ଛାଏଁ ଚାଲିଗଲା ଛାତି ପକେଟକୁ ।”ଏଇଟା ଦେଖିଲେ ମା’ ।” ଉଭୟଙ୍କ ଆଖିରେ ଖେଳିଗଲା ଅସରାଏ ଚମକ । ଖୁସିରେ କୁଣ୍ଢେଇ ପକେଇଲେ ବାବୁ । ବାବୁଆଣୀ ପୋତି ପକେଇଲେ ଆଶୀର୍ବାଦରେ ।ମୋ ନାଁ ଗାଁ ଠିକଣା ବୁଝିଲେ ।ତାଙ୍କ ମସଲା କମ୍ପାନୀରେ କାମ କରିବା ପାଇଁ ନିମନ୍ତ୍ରଣ ଦେଇ କାର୍ଡ(ଭିଜିଟିଂ କାର୍ଡ)ଟିଏ ଧରାଇ ଦେଲେ ।ବିଦାୟ ନେଲା ବେଳକୁ ନିଶ୍ଚୟ ଆସିବ ପରମାନନ୍ଦ ବୋଲି କହି କହି ଯାଉଥାଆନ୍ତି ।ମୋ ସଚୋଟପଣ ମୋତେ ଭେଟି ଦେଲା ଏକ ନୂଆ ରାସ୍ତା ।ଲାଗିଲା, ଯେମିତି କେହି ପକ୍ଷ ଯୋଡି ଦେଇଛି ମୋ ଡେଣାରେ ଆଉ ମୁଁ ଉଡିଚାଲୁଛି ଏକ ସୁନେଲି ସକାଳ ଆଡକୁ ।ଆଶା ମାନେ ଏମିତି ସନ୍ଧିକ୍ଷଣରେ ଧାରେ ରଞ୍ଜକ ପରି ଆଲୁଅକୁ ଭେଟିବାର ଖୋରାକ୍ ।
ସଞ୍ଜୁ ଅବାକ୍ ହୋଇ ଶୁଣୁଥାଏ ପରମାନନ୍ଦର କଥା ।ହେଲେ ସୁଯୋକୁ ହାତଛଡା କରି ଆଜି ବି ଲୋକଟା ସେହି ଭଙ୍ଗା ପୁରୁଣା ଜିନିଷର ଆବର୍ଜନା ଭିତରେ ! ସେ ପଚାରି ପକେଇଲା, ତଥାପି ଏଇ ଧନ୍ଦା ଛାଡି ତମେ ଗଲନି କାହିଁକି ?
ଦୀର୍ଘଶ୍ବାସ ଛାଡିଲା ପରମାନନ୍ଦ ।

ଆଖିରେ ଭରି ଆସିଥିବା ଚମକ ପୁଣି ମୋ ମସିଆ ଜୀବନ ଭିତରେ ମଳିନ ପଡିଗଲା ମା’। ଅଳ୍ପ ଦିନରେ ମୋ ମା’ର ଅବସ୍ଥା ଖୁବ୍ ବିଗିଡି ଗଲା ।ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଲି । ସେ କିନ୍ତୁ ଚାଲି ଗଲା ସେହି ଅଭାବୀ ଜୀବନର ଅବସୋସ ଭିତରେ ।ହାତ ପାଇଲାନି କି ରାହା ପାଇଲାନି । ମା’ର ଶୁଦ୍ଧ ଶ୍ରାଦ୍ଧ ସରିବା ପରେ ଭାବିଲି ସେହି ବାବୁଙ୍କ ପାଖକୁ ଯାଇ କାମ କରିବି । ସେତେବେଳକୁ ସେ ଦେଇଥିବା କାର୍ଡ ଖଣ୍ଡକ ଆଉ ନଥିଲା ମୋ ପାଖରେ । ଅନେକ ଖୋଜିଲି, ପାଇଲିନି ।ତଥାପି ଆଶା ନ ହାରି ସଂଯୁକ୍ତା
ମସଲା କମ୍ପାନୀ ଠିକଣା ପଚାରି ପଚାରି ପହଞ୍ଚିଲି ଠିକଣା ଯାଗାରେ ।ହେଲେ ପାଦ ତଳୁ ମାଟି ଖସିଗଲା ମୋର ।ବିଶ୍ୱାସ କରି ପାରୁ ନଥିଲି କାନକୁ । ସଡକ ଦୁର୍ଘଟଣାରେ ଗୁରୁତର ହୋଇ କିଛି ଦିନ ଚିକିତ୍ସା ହେବା ପରେ ମୄତ୍ଯୁ ହୋଇ ସାରିଛି ସେହି ବାବୁଙ୍କର। ବାବୁଆଣୀଙ୍କର ବଡସିନ୍ଦୂର ଟୋପାଟା ଯେମିତି ରକ୍ତାକ୍ତ କରୁଥିଲା ମୋର ସାରା ଶରୀର । ମା’ ତାରାତାରିଣୀଙ୍କ ପାଖେ ଲାଗି ଶଙ୍ଖା ସିନ୍ଦୂର ନେଇ ଥିଲି ତାଙ୍କ ପାଇଁ । ହେଲେ ମୁଁ ବହିର ଗପ ପରି ନିଜେ ବୁଢା ଶଙ୍ଖାରୀ ପାଲଟି ଗଲି ଯେମିତି ସେଦିନ । ବାବୁଆଣୀଙ୍କୁ ଦେଖା କରିବାର ସାହସଟେ ଜୁଟେଇ ନପାରି ସେଇଠୁ ଫେରି ଆସିଲି ମୁଁ । ଆଉ ଆଜି ତମକୁ ଦେଖି …..। ନିଜ ହାତ ପାହାନ୍ତାର ଜୀବନକୁ ଏଥର ଫେରିଯାଉଥିଲା ପରମାନନ୍ଦ ।


ସବୁରି ଛାତିତଳେ ଲଟେଇଛି ଦୁଃଖର ଅଦଉତି ।ଓଦା ଓଦା ଅନ୍ତର୍ଦାହ, ଅପହଞ୍ଚ ଓରିମାନା ସବୁଠି ସବୁରି ହୃଦୟରେ । ସଞ୍ଜୁ ଘର ଭିତରକୁ ଯାଇ ଭାବି ହେଉଥିଲା ପରମାନନ୍ଦ କଥା । ଦ୍ବନ୍ଦରେ ଦଉଡି ଯାଇ ସୁମିତଙ୍କର ଫଟୋକୁ ଚାହିଁ ପଚାରିଲା , “ଆଚ୍ଛା କହିଲ, ଆମେ ଭେଟିଛେ କି ଏଇ ପରମାନନ୍ଦକୁ ?”ଉତ୍ତର ଅପେକ୍ଷାରେ କିଛି ସମୟ ଏକଲୟରେ ଚାହିଁବା ପରେ , କହିଲା , “ଧେତ୍ ଖାଲି ମୁରୁକି ହସିବା ଛଡା ତମେ ଆଜିକାଲି କୋଉ କଥାର ଉତ୍ତର ଦଉଛ ଯେ ! ହେଲେ ମୁଁ ଆଉ କଣ ତମ ସହ ଅପଡ କରୁଛି କେବେ ! ” ଆର୍ଦ୍ର ହୋଇ ଆସୁଥିଲା ସଞ୍ଜୁର କଣ୍ଠ । ନିଜ ଦୁର୍ଘଟଣା ଗ୍ରସ୍ତ ମସ୍ତିଷ୍କ ଉପରେ ଆହୁରି ଜୋର ଦେବାକୁ ଚେଷ୍ଟା କରୁଥିଲା ସେ ।

ଡ. ସୁଚିତ୍ରା ରଥ
ନୀଳଚକ୍ର ନଗର, ପୁରୀ

Leave A Reply

Your email address will not be published.

nineteen − eleven =