କର୍ମ ହିଁ ଭଗବାନ

0

ଏକଦା  ଫ୍ରାନ୍ସ ଦେଶରେ ଜଣେ ରାଣୀ ଥିଲେ । ସେ’ ସବୁବେଳେ ବହୁତ ଗର୍ବ କରନ୍ତି । ଗରିବ ଖଟିଖିଆ ଲୋକ ଦେଖିଲେ ଆହୁରି ଅଧିକ ଘୃଣାକରନ୍ତି । ତାଙ୍କ ମହଲକୁ ସଫା କରିବା ପାଇଁ ଫନିଆଁ ନାମେଣ ଜଣେ ନାରୀ ସବୁଦିନ ଝାଡୁ କରିବାକୁ ଆସନ୍ତି । ଫନିଆଁ ସବୁକିଛି ଅତି ଯତ୍ନର ସହିତ କାମ କରନ୍ତି ।ତାଙ୍କୁ ଦେଖି ରାଣୀ ସବୁବେଳେ କହନ୍ତି ‐” ତମେସବୁ ଏତେ ଛୋଟକାମ କରୁଛ , ଦେଖ, ଭଗବାନ ମୋତେ କେମିତି ରାଣୀ କରିଦେଇଛନ୍ତି । ମୁଁ’ ପୂର୍ବଜନ୍ମରେ ବହୁତ ପୁଣ୍ୟକାମ କରିଥିଲି ବୋଲି ରାଣୀ ହୋଇଛି । ତମେସବୁ କୁକର୍ମ,ପାପ କରିଥିଲ ବୋଲି ନୀଚ ଘରେ ଜନ୍ମହୋଇ ନୀଚକାମ କରୁଛ ।”ଫନିଆଁଙ୍କୁ ଏସବୁ କଥା ବହୁତ ବାଧେ । ସେ’ ହାତ ଯୋଡି କହନ୍ତି ‐”ରାଜମାତା  ! କାମ ତ କାମ ଛୋଟ କ’ଣ ଆଉ ବଡ କ’ଣ ? ମୁଁ’ କର୍ମକୁ ଭଗବାନ ବୋଲି ଭାବେ ,ଆମ କର୍ମରେ ଆମ ପରିବାର ବେଶ୍ ହସଖୁସିରେ ଅଛୁ । ତେଣୁ ମୁଁ’ କେବେ ବି ଦୁଃଖିତ ନୁହେଁ । ମନର ସୁଖ ଆଗରେ ଧନ,ସମ୍ପତ୍ତି କ’ଣ ହେବ ?”
ରାଣୀଙ୍କୁ ଏକଥା ବହୁତ ବାଧେ ।ଛାର ଚାକରାଣୀ ,ଝାଡୁବାଲୀ ପୁଣି ବହୁତ ସୁଖରେ ଅଛି ? ଏ କଥା ତାଙ୍କୁ ବିଶ୍ବାସ ଲାଗେନାହିଁ ।ଏଥର ରାଣୀ ଦିନକୁ ଦିନ ଅଧିକ ଅଧିକ ବାଧିଲା କଥା ସବୁ କହିବାରେ ଲାଗିଲେ ।
ଫନିଆଁ ଏଥର ସହି ନପାରି କାନ୍ଦିକାନ୍ଦି ସ୍ବାମୀଙ୍କୁ ରାତିରେ ସବୁକଥା କହିଲା । ଫନିଆଁର ସ୍ବାମୀ ମଧ୍ୟ ମନଦୁଃଖ କଲେ ଓ ଦୁହେଁ ମିଶି ରାଜାଙ୍କୁ ଏକଥା ସବୁ କହିଲେ ।ରାଜା କିନ୍ତୁ ବହୁତ ଭଲ । ରାଣୀଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରନ୍ତି ।
“କୁକୁର ଲାଞ୍ଜ ବଙ୍କା” ପରି ସବୁବେଳେ ରାଜାଙ୍କର କଥାକୁ ଏ କାନରେ ପୂରାଇ ସେ’ କାନରେ ବାହାର କରିଦିଅନ୍ତି ରାଣୀ । ରାଜା ବଡଚିନ୍ତାରେ ପଡିଗଲେ ରାଣୀଙ୍କର ଏଇ ଉଦ୍ଧତ ବ୍ୟବହାରକୁ ନେଇ ।ଫନିଆଁ ଓ ତାଙ୍କ ସ୍ବାମୀଙ୍କର ସବୁକଥା ମନଦେଇ ଶୁଣିଲେ ଓ  ଧୈର୍ଯ୍ୟହରା ନହେବାପାଇଁ ପରାମର୍ଶ ଦେଲେ । ରାଜାଙ୍କ କଥାମାନି ଦୁଇ ପତିପତ୍ନୀ ଘରକୁ ଫେରିଗଲେ ।

ଦିନେ ଜଣେ ବିଚକ୍ଷଣ ଜ୍ଞାନୀ ପଣ୍ତିତ ରାଜ ଦରବାରକୁ ଆସିଲେ। ସେ’ ଅଦ୍ଭୁତ ବିଦ୍ୟା ଶିକ୍ଷାଲାଭ କରିଥାନ୍ତି । ସେ’ ଏକ ଅଦ୍ଭୁତବାଡି ରଖିଥିଲେ । ସେଇ ବାଡିକୁ ଥରେ ହଲାଇଦେଇ ହାତଯୋଡି ଯାହା ମାଗିଲେ ଦେଇ ଦେଉଥିଲେ । ରାଜା ସୌଭାଗ୍ୟ ବଶତଃ ଏପରି ଜଣେ ଜ୍ଞାନୀ ଓ ଅଦ୍ଭୁତ ଶକ୍ତିଶାଳୀ ପଣ୍ତିତଙ୍କୁ ପାଇ ନିଜକୁ ଧନ୍ୟ ମନେକଲେ ।
ସମସ୍ତ ଆତିଥ୍ୟ ସେବା ପରେ ପଣ୍ତିତ ଜଣକ ଦେଶର ସମସ୍ତ କୁଶଳ ବାର୍ତ୍ତା ପଚାରିଲେ ।ରାଜା ମୌନହୋଇ ଟିକିଏ ବସିଲେ ଓ ଦେଶର ସମସ୍ତ କଥା କହୁ କହୁ ରାଣୀଙ୍କର ବ୍ୟବହାର ବିଷୟରେ କହିଲେ ।

ପଣ୍ତିତେ ରାଜାଙ୍କୁ ଅଦ୍ଭୁତ ବାଡିଟିକୁ ଦେଇ ତାର ଚମତ୍କାରିତା ଗୁଣ ବିଷୟରେ କହିଲେ  ଓ ବିଦାୟ ନେଲେ । ରାଜା ଆବଶ୍ୟକ ସ୍ଥଳେ ବାଡିଟିକୁ ବ୍ୟବହାର କରି ଖୁବ ପ୍ରଶଂସିତ ହେଲେ । ରାଣୀ ଏସବୁ କଥା ଜାଣିପାରି ବାଡିର ଚମତ୍କାରିତା ବିଷୟରେ ପରୀକ୍ଷା କରିବାରେ ଲାଗିଲେ । ଯାହା ଯେତେବେଳେ ଆବଶ୍ୟକ ହେଉଥିଲା ବାଡିକୁ ହଲାଇ ମାଗି ଆନନ୍ଦରେ ରହୁଥିଲେ ।
ଦିନେ ଫନିଆଁ କିପରି ଖୁସିରେ ରହୁଛି ଦେଖିବାକୁ ଭାରି ଆଗ୍ରହ ହେଲା ରାଣୀଙ୍କର । ସେ’ ବାଡିକୁ ହଲାଇ ଛଦ୍ମବେଶରେ ଫନିଆଁ ରୂପଧରି ଫନିଆଁ ଘରକୁ ଯିବାକୁ ବାହାରିଲେ ।ବାଡିକୁ ହଲାଇ ଫନିଆଁ ଉଆସରେ କାମରେ ବ୍ୟସ୍ତ ଥିବାବେଳେ ତାଙ୍କୁ ନେଇ ଫନିଆଁଙ୍କ ଘରେ ଛାଡିଦେବାକୁ କହିଲେ । ବାଡିଟି ତତ୍ କ୍ଷଣାତ୍ ନେଇ ଫନିଆଁର ଘରେ ହାଜର କରିଦେଲା ।
ଫନିଆଁଙ୍କ ସ୍ବାମୀ ଅତି ଆଗ୍ରହରେ ଫନିଆଁ ଭାବି ତାଙ୍କୁ‐” କ’ଣ ଆଜି ଏତେ ଶିଘ୍ର ଚାଲି ଆସିଲ ? ସେ’ ଉଦ୍ଧତରାଣୀ ଆଜି କ’ଣ କହିଲା କି ?”
ରାଣୀ ପଚାରିଲେ ‐”ରାଣୀଙ୍କୁ କ’ଣ ଏମିତି କହିଲ ? “
ରତନୀଙ୍କ ସ୍ବାମୀ ଆଦରରେ କୋଳେଇ ନେଇ କହିଲେ ‐”ଆରେ ମୋ’ ଘରଣୀ ! ନଜାଣିଲା ପରି ମଜା କରୁଛ ? ରାଣୀ ତମକୁ ସବୁଦିନେ ଏତେ ଛୋଟଭାବି ଗଞ୍ଜଣା ଦେଉଛି ,ତମେ ସବୁଦିନ କାନ୍ଦୁଛ ତାଙ୍କପାଇଁ । ଆଜି କ’ଣ ହେଲା ବୋଲି ପଚାରୁଛ ?”ରାଣୀଙ୍କୁ ବହୁତ ଖରାପ ଲାଗୁଥାଏ ଏଇ ବ୍ୟବହାରରେ । ସେ ଦୂରେଇ ଟିକିଏ ଛିଡାହୋଇ ରହିବାକୁ ଚେଷ୍ଟାକଲେ ।
ରାଣୀଙ୍କର ଆଗ୍ରହ ଆଉ ଟିକିଏ ବଢିଗଲା ,ସେ’ ପୁଣିଥରେ ପଚାଲିଲେ ‐” ଆଚ୍ଛା କହିଲ ଦେଖି ,ଆମେ ଖୁସିରେ ଅଛେ କି ରାଜାରାଣୀ ?”
ଫନିଆଁଙ୍କ ସ୍ବାମୀ ଉତ୍ତର ଦେଲେ ‐” ରାଜାଙ୍କ ମୁଣ୍ତରେ ଦାୟୀତ୍ବର ଖଣ୍ତା ସବୁବେଳେ ଝୁଲୁଛି ତେଣୁ ସେ’ ସବୁବେଳେ ବ୍ୟସ୍ତତାରେ ସମୟ କଟାନ୍ତି । ଆଉ ଆମରାଣୀ ଅବଶ୍ୟ ଖୁସିରେ ରହିବା କଥା ,କିନ୍ତୁ ଅନ୍ଯକୁ ହିଂସା,ଈର୍ଷାକରି ତ ଦିନ କାଟୁଛନ୍ତି ।ଖୁସି କୁଆଡୁ ପାଇବେ କହିଲ ? ଆମେ ଦେଖ ସବୁବେଳେ କେମିତି ହସଖୁସିରେ ଅଛେ ।”  ପ୍ରକୃତ ସୁଖ ତ ତ୍ୟାଗ,ସୁକର୍ମ ଓ ଭଲ ପାଇବାରେ ଥାଏ ।କହିଲ ଦେଖି ମଶାଣିରେ କ’ଣ ଧନୀଗରିବର ପ୍ରଭେଦ ଥାଏ ? ଯେତେ ଧନୀହେଲେ କ’ଣ ମୃତ୍ୟୁକୁ କିଏ ରୋକିପାରିବ ? ଏଣୁ ରାଣୀ ବହୁତ ଦୁଃଖୀ ତେଣୁ, ଯଦି ଏବେଠୁ ସଜାଗ ହୋଇ ନିଜର ଆଚାର,ବ୍ୟବହାର ଓ ବାକ୍ଯକୁ ମାର୍ଜିତ ନକରିବେ ,ରାଜା ବି ତାଙ୍କୁ ଘୃଣା କରିବେ । ତାହେଲେ ବାସ୍ତବ ସୁଖ ରହିଲା କେଉଁଠୁ ?”

    ଅବାକ୍ ହୋଇ ଅନାଇ ରହିଥିଲେ ରାଣୀ । ସତକୁସତ ଅନୁଭବ କରୁଥିଲେ ସତ୍ଯତାକୁ । ଦିନକୁଦିନ ରାଜା ତାଙ୍କୁ ସ୍ନେହ,ମମତାରୁ ଉଣା କରିବା ବି ସେ ଲକ୍ଷ୍ୟ କରୁଥିଲେ । ତା’ହେଲେ ତାଙ୍କର ଏଇଗୁଣ ପାଇଁ ଏସବୁ ଘଟୁଛି ବୋଲି ଅନୁତାପ କରିବାରେ ଲାଗିଲେ ।
ଏଥର ଅଦ୍ଭୁତବାଡିକୁ ପୁଣିଥରେ ରାଜଉଆସରେ ନେଇଛାଡି ଦେବାକୁ ରାଣୀ କହିଲେ ।
      ଏଥର ସିଧାଯାଇ ରାଜାଙ୍କର ପାଦତଳେ ପଡି କାନ୍ଦିକାନ୍ଦି ସବୁକଥା ବର୍ଣ୍ଣନା କଲେ । ଆଉ ସମସ୍ତେ ଦୁନିଆରେ ସମାନ। କୌଣସି ଲୋକ ଛୋଟ ନୁହେଁ କି କୌଣସି ଲୋକ ବଡନୁହେଁ  ବୋଲି ସ୍ବୀକାର କରି କହିଲେ । ରାଜା ଯଥାଶିଘ୍ର ଫନିଆଁ ଓ ତାଙ୍କ ପତିଙ୍କୁ ଡକାଇ ସବୁ କହିଲେ ।ରାଣୀ ସେମାନଙ୍କୁ ରାଣୀ ହୋଇ ବି ହାତଯୋଡି କ୍ଷମା କରିବାକୁ ଆକୁଳରେ କହୁଥିଲେ । ଫନିଆଁଙ୍କୁ କୋଳେଇ ନେଇ ରାଣୀ କହିଲେ ‐”ତୁମେ ହିଁ ବାସ୍ତବରେ ଧନୀ ଓ ସୁଖୀ ।”
ଫନିଆଁ ରାଣୀଙ୍କର ପରିବର୍ତ୍ତନ ଦେଖି ଅଧିକ ଖୁସି ହୋଇଗଲେ ।
ଏଥର ରାଜା ରାଣୀଙ୍କୁ ଅଧିକ ଭଲପାଇଲେ ଓ ଖୁସିରେ ଶାସନ ଚଳାଇଲେ।
                  

ପ୍ରେମଲତା ସାହୁ (ଶିକ୍ଷୟିତ୍ରୀ)
                              କନ୍ଧମାଳ

Leave A Reply

Your email address will not be published.

18 − one =