ଆଲୋ ମାଟିଦୀପ ପ୍ରଭୁଙ୍କ ସମୀପ
ଜଳୁଅଛୁ ଦିନରାତି
ଜୀବନ ତୋହର ଧନ୍ୟ ହୋଇଗଲା
ସୁଖେ ଦିନ ଯାଏ ବିତି ।
ନାହିଁ ମନେ ଖେଦ ନାହିଁ ତ ବିଷାଦ
ନାହିଁ ମନେ ଭେଦଭାବ
ଜାତି, ବର୍ଣ୍ଣ, ସମ୍ୟ, ଅଭିନ୍ନ ବୈଷମ୍ୟ
ସବୁଠି ହିଁ ତୋ ଉଦ୍ଭଦ ।
ଅକ୍ଲେଶେ ବାଛୁ ପୂଣ୍ୟ ଜ୍ୟୋତି ଧାରା
କରୁଣା କଣିକା ପାଇ
ଗରଭୁ ମାଲପା ସରିଗଲେ ତୋର
ସଳିତାର ମୂଲ୍ୟ ନାହିଁ ।
ବରଷକେ ଥରେ ଆସେ ଦୀପାବଳୀ
ସୁଖର ସମ୍ଭାର ନେଇ
ଆଲୋକ ମାଳାରେ ଦେଶ ଝଲ୍ଲସିତ
କେବଳ ତୋହରି ପାଇଁ ।
ପୁରାଣେ ବର୍ଣ୍ଣି ଶ୍ରୀରାମଙ୍କ ହାତେ
ହତହେଲା ଦଶାନନ
ସୀତୟା ମାତାଙ୍କୁ ସଙ୍ଗରେ ଧରିଣ
କଲେ ଅଯୋଧ୍ୟା ଗମନ ।
ନୃସିଂହ ରୂପରେ ହିରଣ୍ୟକୁ ମାରି
ପ୍ରହଲ୍ଲାଦେ କଲେ ରକ୍ଷା
ଦୁଷ୍ଟକୁ ନିବାରି ସନ୍ଥକୁ ଉଦ୍ଧାରି
ପୃଥିବୀକି ମହାଶିକ୍ଷା ।
ସମୁଦ୍ର ମନ୍ଥନୁ ସାଗର ଗରଭୁ
ମାଆ ଲକ୍ଷ୍ମୀ ଯେ ସମ୍ଭୁତା
ସପ୍ତପାତାଳରେ ବଳିରାଜା ଦ୍ୱାରା
ବନ୍ଦିନୀ ଯେ ଲକ୍ଷ୍ମୀ ମାତା ।
ଏତେ ଯେ ମହାତ୍ମ୍ୟ ରହିଅଛି ଭରି
ଏହି ପରବରେ ଜାଣ
ମୁକସାକ୍ଷୀ ରୂପୀ ଘରେ ଘରେ ବ୍ୟାପୀ
ଏହା ହିଁ ସାକ୍ଷ୍ୟ ପ୍ରମାଣ ।
ବୀଣାପାଣି ସାହୁ
ଶିକ୍ଷୟତ୍ରୀ, ତାଳଚେର