ଏ ଯୋଗୀ ପୁଅ,ଏଠାକୁ ଆସିଲୁ । ଆଉ ଥରେ ତୋର ସେ ଗୀତ,”ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି, ମନବୋଧ ଚଉତିଶା କୁ ଗାଇଲୁ ।” ଏତିକି କହି ନିଜର ବାଘୁଆ ନିଶ ହଳକୁ ସଜାଡି ଦେଇ, ପ୍ଲାଷ୍ଟିକ ଚୌକିରୁ ଧଳା ଧଳା କାତିଆ ଛାଡି ପଡୁଥିବା ପ୍ଲାଷ୍ଟିକ ଚୌକିଟିକୁ ସଜାଡି ଦେଇ ବସିପଡିଲେ ଅମରେନ୍ଦ୍ର ବାବୁ । ଯୋଗୀ ପୁଅ ବି ଖୁସିରେ ଗାଇଚାଲିଲେ ମନବୋଧ ଚଉତିଶାର ଅ ଠାରୁ କ୍ଷ ପର୍ଯ୍ୟନ୍ତ ସମସ୍ତ ପଦକୁ । ଯୋଗୀ ପୁଅ ଯେତିକି ଯେତିକି ଆନନ୍ଦରେ କେନ୍ଦେରା ବଜାଇ ମନବୋଧ ଚଉତିଶାକୁ ଗାଉଥାଏ ଅମରେନ୍ଦ୍ର ବାବୁଙ୍କ ଆଖିରୁ ସେତିକି ସେତିକି ଲୁହ ଧାର ଗୁଡାକ ବହିଯାଉଥାଏ ।
ଯୋଗୀପୁଅ ଆନନ୍ଦିତ ହେବା ଓ ଅମରେନ୍ଦ୍ର ବାବୁ ଙ୍କ ଆଖିରୁ ଅମାନିଆ ଲୁହ ଗୁଡାକ ତଳକୁ ତଳକୁ ଝରିଆସିବାର କାରଣ ଆମକୁ ଜଣାନଥିଲେ ମଧ୍ୟ ସେ ଦୁଇ ଜଣଙ୍କୁ ବେଶ ଜଣା । ଯୋଗୀ ପୁଅ ଭାବୁଥାଏ ଆଜି ମୁ ଉପଯୁକ୍ତ ପାଇଛି ଓ ପାଇବି। ବାବୁ ଙ୍କର ଆଖି ରୁ ଲୁହ ଗୁଡାକ ଯେତିକି ଝରୁଥାଏ ସେତିକି ସେତିକି ଯୋଗୀପୁଅ ପୁରସ୍କାର ପାଉଛି ବୋଲି ଭାବୁଥାଏ । କାରଣ ଯୋଗୀପୁଅ ଭାବୁଥାଏ, “ମୋର କଣ୍ଠ ଓ କେନ୍ଦେରା ର ଯାଦୁରେ ବାବୁ କାନ୍ଦୁଛନ୍ତି ଓ ପାଇବି ଆଶା ଟା ହେଉଛି”ମନବୋଧ ଚଉତିଶା ର ଗୀତ ଟି ଶେଷ ହେଲେ,”ମୋର ଥାଳ ପରିପୂର୍ଣ୍ଣ ହୋଇଯିବ ଓ ବାବୁ ଙ୍କର ଘରେ ସୁମିଷ୍ଟ ଭୋଜନ ଟିଏ ହେବ।
କିନ୍ତୁ ସେସବୁ କିଛି ହେଲାନାହିଁ ।ଯୋଗୀପୁଅର କଣ୍ଠସ୍ୱର ସହିତ କେନ୍ଦେରାରୁ ନିର୍ଗତ ଝଙ୍କାର ମଧ୍ୟ କମିଗଲା । କିଛିସମୟପର୍ଯ୍ୟନ୍ତ ନୀରବରହିଲା ପରେ ଅମରେନ୍ଦ୍ର ବାବୁ କହିଲେ,”ଯୋଗୀପୁଅ ତୁମକୁ ଉପହାର ଦେବାପାଇଁ ମୋ ପାଖରେ କିଛିନାହିଁ। ମୁଁ ଆଜି ନିଃସ୍ୱ । ଏକ ଅଲୋଡ଼ା ଅଚଳନ୍ତି ମୁଦ୍ରାଟିଏ ।”
ଯୋଗୀପୁଅ ବାବୁଙ୍କ ଦୁଃଖରେ ସମବେଦନା ଜଣାଇକହିଲେ,”କିଛିନାହିଁ ଆଜ୍ଞା,ଆମେ ତ ଯୋଗୀଲୋକ ।ଏହି ଲାଉତୁମ୍ବା ହେଉଛି ଆମରପାତ୍ର ।ଲୋକମାନଙ୍କୁ ଏହିପରି ଟୀକା ଗୋବିନ୍ଦଚନ୍ଦ୍ର ଓ ମନବୋଧ ଚଉତିଶା ର ଧାର୍ମିକ ତତ୍ତ୍ୱ ଶୁଣାଇ, ଯଦିକିଛି ପାଉ ତେବେ ସେଥିରେ ଚଲିଯାଉ । ବାଟରେ ଯଦିକେହି ବୁଭୁକ୍ଷୁ ଜନତା ଦେଖୁ ସେହି ଲାଉତୁମ୍ବା ରେ ଥିବାଖାଦ୍ୟକୁ ମଧ୍ୟ କିଛି ପ୍ରଦାନ କରୁ।ଯାହା ଖାଇଥିବ ପେଟ କୁ, ଯାହା ରଖିଥିବ ଥଣ୍ଟକୁ ।”
ଏହାର ଅର୍ଥ ବୁଝିବାକୁ ଯାଇ ଅମରେନ୍ଦ୍ର ବାବୁ ଯୋଗୀପୁଅ କୁ ପଚାରିବାରୁ ଯୋଗୀପୁଅ କହିଲେ,”ତୁମେ ଯାହା ଖାଇବ କେବଳ ପେଟ କୁ ଖାଇବ।ଖାଇସାରି ତାପର ଦିନ ଝାଡା ଫେରିଦେଵ, ଯାହା ସଞ୍ଚୟକରି ରଖିଥିବ ସେ ସବୁ ପରଖାଇବେ ।” ଅମରେନ୍ଦ୍ର ବାବୁ ପଚାରିଲେ,” ନିଜ ପୁଅ, ସ୍ତ୍ରୀ କଣ ପର ।” ଯୋଗୀପୁଅ ଟିକେ ହସିଦେଇକହିଲେ,”ସେମାନେ ବେଶୀ ପର।ପାଉଥିବା ପର୍ଯ୍ୟନ୍ତ ସ୍ନେହ ଆଦର ।ମହୁମାଛି ପରି ମହୁ ସଞ୍ଚୟ କରି ରଖିଥିବ, ଅନ୍ୟମାନେ ଭୋଗ କରିବେ ।କେହିନୁହେଁ କାହାର, ଧର୍ମ ଏକା ତୁମର।”
ଏତିକି କଥାରେ କଇଁ କଇଁ ହୋଇ କାନ୍ଦି ଉଠିଲେ ଅମରେନ୍ଦ୍ର ବାବୁ ।ଯୋଗୀପୁଅ ପ୍ରବୋଧନ ଦେଇ କହିଲେ,”ଥାଉ ଧରନ୍ତୁ ଆଜ୍ଞା। ଯଦି ଆପଣଙ୍କୁ ବାଧିଲା ତେବେ ମୁଁ ଦୁଃଖିତ”। ଏତିକିକହି ଯୋଗୀପୁଅ ତା ବାଟରେ ଚାଲିଗଲା ।
ଯାହା ରଖିଥିବ ଥଂଟ କୁ——–। ଏହି କେତେଟା ଶବ୍ଦ ଅମରେନ୍ଦ୍ର ବାବୁଙ୍କୁ ଦଶବର୍ଷ ତଳ ର ଘଟଣାବଳୀ କୁ ମନେପକାଇ ଏପରି ବ୍ୟଥିତ କରିପକାଇଲା ଯେ ମୁଂହ ଟାକୁ ତଳକୁ କରି ଅତୀତ ରାଜ୍ୟରେ ଭାସିଗଲେ । ପୋଲିସ ବିଭାଗରେ ଅଫିସର ଥିଲେ । ମୋଟା ଅଙ୍କରେ ଦରମା ପାଉଥିଲେ। ଦୁଇ ତିନୋଟି ଗୃହରକ୍ଷୀ ବଙ୍ଗଳା କାମରେ ଲାଗିଥାନ୍ତି । ମାଡାମ କିନ୍ତୁ ବେଶୀ ଅର୍ଥଲୋଭୀ ଥିଲେ । ବାବୁ ଙ୍କୁ ପ୍ରବର୍ତ୍ତାଇଲେ ଅଧିକ ଅର୍ଥ ଉପାର୍ଜନ ପାଇଁ । “କାନିରେ ଶୁଏ, କାନରେ କହେ, ତା କଥା କି ଅନ୍ୟଥା ହୁଏ ।” ମୋଟା ଦରମା ପାଉଥିଲେ ଅସାମାଜିକ ଲୋକଙ୍କୁ ବାନ୍ଧିବା ପାଇଁ। ଯେଉଁ ହାତରେ ସେମାନଙ୍କୁ ବାନ୍ଧିଥାନ୍ତେ,ସେହି ହାତରେ ଲାଂଚଖାଇ ସେମାନଙ୍କୁ ଛାଡିଦେଲେ ।ଏତେ ଟଙ୍କା କଣ କରିବେ? ସ୍ତ୍ରୀ ଙ୍କ କଥାରେ ପଡି ଓଡ଼ିଶାର ସବୁ ମହାନଗର ମାନଙ୍କରେ ଫ୍ଲାଟ କିଣିଲେ,ଜାଗା କିଣିଲେ, ଦୁଇ ତିନି ଲକ୍ଷ ଟଙ୍କାର ବିଦେଶୀ କୁକୁର କିଣିଲେ, ତିନି ଚାରୋଟି ବି ଏମ ଡବ୍ଲ୍ୟୁ କାର କିଣିଲେ । ସୁନା ଏତେ କିଣିଲେ ଯେ ମାଡ଼ାମ ଦିନେ ଦିନେ ସୁନା ବେଶ ହୋଇ ଡ୍ରେସିଂ ଟେବୁଲ ସାମ୍ନା ରେ ବସି ନିଜକୁ ବିଭିନ୍ନ ଢଙ୍ଗରେ ଦେଖନ୍ତି । ଯାହାକୁ କି କୁହାଯାଏ ଚଳଣି ଟି ସତେଯେମିତି ମୋଗଲ ସମ୍ରାଟ ବାଦଶାହା ।
ସବୁଦିନ ସମାନ ଯାଏନାହିଁ ।ଚାକିରି ଆଉ ଦୁଇବର୍ଷ ଥାଏ। ଦିନେ ସକାଳ ପାଞ୍ଚ ଟାରେ କଲିଙ୍ଗ ବେଲ ଶବ୍ଦରେ ଅମରେନ୍ଦ୍ର ବାବୁଙ୍କର ନିଦ ଭାଙ୍ଗିଗଲା।ବାବୁ ହାତରେ ଏକ ବ୍ୟାଗ ଧରି ତରତର ହୋଇ କବାଟ ଖୋଲିବାକୁ ଚାଲିଗଲେ । କାରଣ ସେ ସମୟ ଟା ହେଉଛି ସେମାନଙ୍କ ଆସିବା ସମୟ, ଯେଉଁସମୟରେ କି ବାବୁ ଖାଲି ବ୍ୟାଗ ଟା ଦେଖାଇ ଦିଅନ୍ତି ଓ ସେମାନେ ଟଙ୍କା ବିଡା କେତେଟା ବ୍ୟାଗ ରେ ପକାଇ ଦେଇ ଚାଲିଯାନ୍ତି ।କବାଟ ଖୋଲି ଦେଉ ଦେଉ ସେଦିନ କିନ୍ତୁ ଅମରେନ୍ଦ୍ର ବାବୁ ଯାହାଦେଖିଲେ ସେଥିରେ ସତେ ଯେପରି ତାଙ୍କ ପାଦତଳୁ ମାଟି ଖସିଯାଉଛି । ନିଜତ ପରିଚୟ ପତ୍ର ଦେଖାଇ ଘରଭିତରକୁ ଧସେଇ ପଶିଗଲେ ସିବିଆଇ ଟିମ । କିଲୋ କିଲୋ ସୁନାଗହଣା, ଥାକଥାକ ଟଙ୍କା ବିଡା,ନେନ୍ତା ନେନ୍ତା ପାସ ବୁକ, ପୁଳାଏ ଜମି ପଟ୍ଟା ସବୁ ଅଫିସର ମାନେ ଆଣି ଡ୍ରଇଂ ରୁମ ରେ ପକାଇ ଦେଉଥାନ୍ତି । ଟିଭି ରେ ରୁଲିଂ ଚାଲୁଥାଏ ଅମରେନ୍ଦ୍ର ବାବୁ ଙ୍କର ବିଭିନ୍ନ ସହରରେ ଥିବା ଅମରାପୁର ର ବିବରଣୀ। ଦର୍ଶକ ଗଣ ପାଟି ଆପେ ମେଳା ହୋଇଯାଉଥାଏ ।
ଅମରେନ୍ଦ୍ର ବାବୁ ଙ୍କ ହାତରେ ହାତକଡୀ ପିନ୍ଧାଇ ସିବିଆଇ ଅଫିସର ମାନେ ନେଇ ଚୌଦ୍ୱାର ଜେଲ ରେ ରଖିଦେଲେ ।ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଚାକିରୀ ଗଲା, ଗଛିତ ସମ୍ପତ୍ତି ଗଲା ଓ ଭବିଷ୍ୟନିଧି ପାଣ୍ଠିମଧ୍ୟଗଲା ।ଯେଉଁ ପେନସନ ରେ ଅବସର ସମୟ ଚାକିରିଆ ମାନଙ୍କର ସୁଖରେ କଟେ,ସେତକ ମଧ୍ୟ ମିଳିଲା ନାହିଁ।
ଜେଲ ରୁ ଫେରି ପରିବାର ଧରି ଗାଁ କୁ ଫେରିଲେ ଅମରେନ୍ଦ୍ର ବାବୁ। ବୋହୁ ବଡ଼ ଘରର। ପୁଅ ବାଧ୍ୟ ହୋଇ କୌଣସି ଏକ ଛୋଟ କମ୍ପାନୀ ରେ ଚାକିରୀ କଲା।କିଛିଦିନ ସମସ୍ତେ ଅମରେନ୍ଦ୍ର ବାବୁ ଙ୍କୁ ସାନ୍ତ୍ୱନା ଦେଲେ। ଘରେ ଆର୍ଥିକ ଅନଟନ ଦେଖାଦେଲା। ଚାଲିଲା ପରସ୍ପର ର ପରସ୍ପର ପ୍ରତି ଆକ୍ଷେପ ଓ ପ୍ରତିଆକ୍ଷେପ। କ୍ରମେ କ୍ରମେ ଏହା ବିକଟାଳ ରୂପ ଧାରଣ କଲା।
ଏମିତି କେତେକଣ ସେହି ଅତୀତ ସ୍ମୃତିରେ ଭାସିଚଳିଥାନ୍ତି ଅମରେନ୍ଦ୍ର ବାବୁ। ମଝିରେ ମଝିରେ ଲୁହ ଗୁଡାକ ତଳକୁ ଖସି ପଡୁଥାଏ।ସକାଳୁ କିଛି ଖାଇନାହାନ୍ତି ଅମରେନ୍ଦ୍ର ବାବୁ। ହଠାତ କାହାର କର୍କଶ ସ୍ବରରେ ଅମରେନ୍ଦ୍ର ବାବୁ ଙ୍କର ଦୁଃଖଦ ସ୍ମୃତିରେ ଭଟ୍ଟା ପଡିଗଲା।ମୁହଁ ଉପରକୁ ଉଠାଇଲା ବେଳକୁ ବୋହୁ କହୁଥିଲେ,”ଆସ ଖାଇବ, ଯେଉଁ କର୍ମ କରିଛ ତ ଶୁଣିଲେ ଲାଜ ଲାଗୁଛି। ଏଣେ ବାଦଶାହା ପରି ଚୌକି ରେ ବସିଛ।” ସେଦିନ ଟିଭି ରେ ଶୁଣିଥିଲେ ବାଦଶାହା ଶବ୍ଦ ଘର ଖାନତଲାସୀ ବେଳେ, ଆଜି ପୁଣି ସେହି ଶବ୍ଦ।
କଥାଟା ମର୍ମଭେଦୀ ହୋଇଗଲା ଅମରେନ୍ଦ୍ର ବାବୁ ଙ୍କର। ମନେ ପଡିଗଲା ଯୋଗୀପୁଅ କଥା। ପୁଣି ଆଖିରୁ ଲୁହ ଲୁହ ଆସିଗଲା।ଚୌକିରୁ ଛିଡା ହେଲେ ଅମରେନ୍ଦ୍ର ବାବୁ।ଯେଉଁମାନଙ୍କୁ ସୁନା ଦୋଳିରେ ଝୁଲାଉଥିଲେ,ଯେଉଁମାନଙ୍କୁ ପ୍ରାଚୁର୍ଯ୍ୟ ରେ ରଖାଇବା ପାଇଁ ଏତେ ଫନ୍ଦିଫିକର କରୁଥିଲି ସେମାନେ ଆଜି ସାତପର ପରି ବ୍ୟବହାର ଦେଖାଉଛନ୍ତି । ସତରେ ଏସବୁ ମାୟା ।
ଏକା ମୁହଁରେ ଚାଲିଥାନ୍ତି ଅମରେନ୍ଦ୍ର ବାବୁ। କେହି ଜଣେ ପଛ ଆଡୁ ଅମରେନ୍ଦ୍ର ବାବୁ ଙ୍କୁ ଦେଖାଇ କହୁଥାଏ, “କର୍ମ ଟି ସୁଖ ଦୁଃଖ ଦାତା, ବିଶ୍ୱ ସଂସାରେ ବଳବନ୍ତା ।” ଲୁହ ରେ ଜାଲିମା ଦେଖାଯାଉଥିବା ରାସ୍ତ ଉପରେ ଏକ କୁକୁର ଉପରେ ଗୋଡ଼ ପକାଇଦେଲେ ଅମରେନ୍ଦ୍ର ବାବୁ। କୁକୁର ର କାଇଁ କାଇଁ ଶବ୍ଦ ଅମରେନ୍ଦ୍ର ବାବୁ ଙ୍କୁ ଲାଗୁଥିଲା ସତେଯେପରି ସେ କୁକୁର କହୁଛି,”ଏ ଲାଞ୍ଚୁଆ, ଠିକ ରେ ରାସ୍ତାରେ ଚାଲ।”
ଏହିପରି ଚାଲି ଚାଲି ଅମରେନ୍ଦ୍ର ବାବୁ ଅମରେନ୍ଦ୍ର ବାବୁ କେତେବେଳେ ଘରଠାରୁ ଦୁଇ କିଲୋମିଟର ଦୂର ରେଳ ରାସ୍ତା ଉପରକୁ ଚାଲିଗଲେଣି ଧ୍ୟାନ ନାହିଁ। ମନେ ମନେ ଭାବୁଥାନ୍ତି,”ସତରେ ଟଙ୍କା ପଛରେ ଗୋଡ଼ାଇଲେ କେତେବେଳେ ଯେ ଟଙ୍କା ରୂପି ଘୋଡାର ଲାତ ଖାଇ ମୁଣ୍ଡ ଫାଟି ମରିବ ଠିକ ନାହିଁ। ମୁଁ ହେଲେ କିପରି ମରିଯାଆନ୍ତି ଯେ ଏ ଦୁର୍ନାମ ରୁ ତରିଯାଆନ୍ତି। ସତକୁ ସତ ଦ୍ରୁତଗାମୀ ଟ୍ରେନ ଟା ଆସି ଅମରେନ୍ଦ୍ର ବାବୁ ଙ୍କୁ ସବୁଦିନ ପାଇଁ ଲାଞ୍ଚୁଆ ବିଶେଷଣ ରୁ ମୁକ୍ତକରିଦେଲା। ଅବଶ୍ୟ ଦ୍ରୁତଗାମୀ ଟ୍ରେନ ର ଭୀମଗର୍ଜନ ରେ ଅମରେନ୍ଦ୍ର ବାବୁ ଙ୍କର ଶେଷ ପଂକ୍ତି ଟି ,” ସବୁ ମାୟାରେ ବାୟା” କେଉଁଆଡ଼େ ଅଦୃଶ୍ୟ ହୋଇଯାଇଥିଲା।
ସିଦ୍ଧି ପ୍ରସାଦ ସାହୁ
ସମ୍ପାଦକ ପ୍ରତିବିମ୍ବ