ଲେମ୍ବୁ

0

ଲେମ୍ବୁଦର ଭୀଷଣ ବଢି ଯାଇଛି ବୋଲି
ଏବେ ଚାରିଆଡେ ହାଲ୍ଲା;
ଲୋକଙ୍କ ସନ୍ଦେହ ଓଡିଶା ତା ହେଲେ
ଲେମ୍ବୁ ଉତ୍ପାଦନରେ କେମିତି ପ୍ରଥମ ହେଲା?

କୃଷିମନ୍ତ୍ରୀ ଯେଉଁ ଦିନଠୁ ଏକଥା
ସର୍ବ ସମ୍ମୁଖରେ କହି ଦେଇଛନ୍ତି;
ଚାଉଳ ପରି ଲେମ୍ବୁ ବି ଶସ୍ତାରେ ମିଳୁ ବୋଲି
ଲୋକେ ବୋଧେ ଚାହିଁ ରହିଛନ୍ତି!

ଯଥେଷ୍ଟ ଉତ୍ପାଦନ ହେଲେ
ଜିନିଷ ଯେଣୁ ଶସ୍ତାରେ ମିଳେ;
ବହୁ ବିକଳିଆ ଓ ଲୋଭି ଚାହିଁଥିବେ
ପିଇ ଦେବାକୁ ଲେମ୍ବୁରସ ଢାଳେ!

ଚାଷୀର ଉତ୍ପାଦ ସବୁର ଅଭାବୀ ବିକ୍ରୀ
ପାଇଁ ତ ହୋଇଛି ସୁବନ୍ଦୋବସ୍ତ;
ଲେମ୍ବୁ କ୍ଷେତ୍ରରେ ବ୍ୟତିକ୍ରମକୁ ଦେଖି
ରୋଜଗାରୀଆ ସ୍ବଛଳ ମନବ୍ୟସ୍ତ!!

ଆରେ ଭାଇ ଏବେ ଲେମ୍ବୁରସ ଠାରୁ
ମଦଶସ୍ତା ,ନିଅ ତାକୁ ପିଅ;
ପେଟ୍ରୋଲ ଦର ବି ଲେମ୍ବୁରସଠୁ ତଳେ
ଏହା ଜାଣିକରି ଖୁସି ହୁଅ!!

ଅତି ଲେମ୍ବୁ ଚିପୁଡିଲେ ପିତା ବୋଲି
କୋଉକାଳୁ ଦୁନିଆଁ ଜାଣିଛି;
ତାହା ନହେବା ପାଇଁ ବଢାଇଥିବେ ଦର
ଯେହେତୁ ଏବେ ଅମୃତକାଳ ଚାଲିଛି!

ସୈତାନକୁ ଦୂରେଇବାକୁ ଲେମ୍ବୁଲଙ୍କା
ଫୋଡିକରି ଝୁଲାଯାଇଥାଏ;
ଏବେ ତ ସବୁରି ମନରେ ସୈତାନ ତେଣୁ
ସେ ବାଟରେ ଯାଉଥିବ ଲେମ୍ବୁ ବହେ!

ଲେମ୍ବୁରେ ରସଥାଏ, ଆଧୁନିକ କବିତାରେ
ବି ରସ ଭର୍ତ୍ତି ହୋଇ ରହିଅଛି;
ମାଗଣାରେ ଶୁଣ ତାକୁ ବହୁସ୍ଥାନରେ ସାହିତ୍ୟ
ଏକାଡେମୀ ପାଠ ଆୟୋଜନ କରୁଅଛି!

ଦି ମାସ ହେଲା ଘରକୁ ଲେମ୍ବୁ ନଆଣି ମୁଁ
କହିଲି ଲେମ୍ବୁପାଣି ମନ ହେଉଅଛି;
ଘରଣୀ ଗ୍ଲାସରେ ସାବୁନ ଗୁଣ୍ଡ ଫେଣ୍ଟି କହିଲେ
ପିଅ ଏଥିରେ ଶହେ ଲେମ୍ବୁର ଶକ୍ତି ଅଛି!

ନେତାଙ୍କ ଉପରକୁ ଫୋପାଡି ବଳକା ଟମାଟ,
ଅଣ୍ଡାକୁ ଲୋକେ ଦିଅନ୍ତି ସାରି;
ସେଇଡରେ କରି ପାରିଥାଆନ୍ତି ମହଙ୍ଗା
କାଳେ ଲୋକେ ଲେମ୍ବୁ ଦେବେ ମାରି!

ରସ ରଖି ଲେମ୍ବୁର ମଞିଗୁଡାକୁ
ଲୋକେ ଫୋପାଡି ଦିଅନ୍ତି;
ଅନୁରୋଧ ଏ ଲେମ୍ବୁ କବିତା ପଢାରେ
ଆପଣ କରିବେ ନାହିଁ ସେମିତି!

ଡଃ.କୁଳାଙ୍ଗାର

Leave A Reply

Your email address will not be published.

3 × 4 =