କାହିଁକି କେଜାଣି ଏଇ ପୃଥିବୀଟା
ଲାଗୁନାହିଁ ପ୍ରିୟା ଭଲ
କେହି ବୁଝେନାହିଁ ପ୍ରେମର ମୂଲ୍ୟକୁ
ପ୍ରେମୀ ହୁଏ କଲବଲ
ଯେତେ ଯେତେ ସ୍ବପ୍ନ ଏକାଠି କରିଛି
ହୃଦୟକୁ ମୋର ଦେଇ
ଭରିଯିବ ନିଶ୍ଚେ ଅଳକା ପୁରଟା
ଅକ୍ଷୁର୍ଣ୍ଣ ଚମକ ଦେଇ
ପ୍ରଥମ ଦେଖାରୁ ପ୍ରଥମ ଦିନରେ
ପାଇଲି ତୁମକୁ ଭଲ
ସୁନ୍ଦର ଲାଗେ ତୋ ଜହ୍ନ ପରି ମୁହଁ
କିଏ ହେବ ତୋର ତୁଲ
ସଂଞ୍ଜରୁ ସକାଳ ଜହ୍ନ ରାଇଜରେ
ଭାଙ୍ଗୁଛି ଅଳସ କେତେ
ସତେକି ପାଇଛି ହାତ-ପାହାନ୍ତାରେ
ବାହୁ ଯୁଗଳରେ ତୋତେ
ପ୍ରେମ ନଗରୀର ପ୍ରୀତି ପୁଷ୍ପ ତୁ’ଲୋ !
ପ୍ରିୟା ତୁହି ରାଜହଂସୀ
ପ୍ରେମ ଉପବନେ ଭାସିଯାଏ ବାସ
ଯେବେ ଦିଅ ଲାଜେ ହସି
ଧିରେ ହସିଦିଅ ମେଘ ଉହାଡରୁ
ଜ୍ୟୋତ୍ସ୍ନା ପଡୁଥାଉ ଝରି
ହାତ ଧରି ତୁମ ଉଡିଯିବି ପ୍ରିୟା
ଜହ୍ନ ରାଇଜର ପରୀ
ଜହ୍ନ ରାଇଜରେ ଉଡିବୁଲୁଥିବା
ମନକଥା ଗପି ଗପି
ବାହାନା ନଥିବ ବନ୍ଧନ ନଥିବ
ମୁକ୍ତ ଆକାଶଟା ସାକ୍ଷୀ
ପ୍ରେମ ପରିଭାଷା ବଞ୍ଚିବାର ଆଶା
ଅମର ହେଉ ଆମର
ପୃଥିବୀଠୁ ଦୂର ଜହ୍ନ ରାଇଜରେ
ଥିବଟି ଆମ ସ୍ବାକ୍ଷର
ପ୍ରେମରେ ବଞ୍ଚିବା ପ୍ରେମରେ ମରିବା
ସ୍ନେହ ରଖି ପରସ୍ପର
କଥା ଦେଉଛି ମୁଁ ଲେଖିବି ନିଶ୍ଚୟ
ଜହ୍ନରେ ନାଁ ଟି ତୋର
ଶ୍ରୀକାନ୍ତ କୁମାର ମିଶ୍ର
ଏନଟିପିସି, କଣିହାଁ, ଅନୁଗୋଳ