ନା,ମତେ କେହିକିଛି ପଚାର ନାହିଁ।ଗୋଟିଏ କାଖରେ ସାତବର୍ଷ ର ଶିଶୁକନ୍ୟା କୁ ଜାକି ଅନ୍ୟହାତରେ ଗଣମାଧ୍ୟମର ବୁମ ଗୁଡିକୁ ଆଡେଇଦେଇ କଇଁକଇଁ ହୋଇ କାନ୍ଦି କାନ୍ଦି କଚେରୀ ବାରଣ୍ଡାରୁ ପାହାଚ ଗୁଡିକୁ ଅତିକ୍ରମ କରି କରି ତଳକୁ ଓହ୍ଲାଉଥାନ୍ତି ଏସିଡ ମାଡ଼ରେ ପ୍ରପୀଡିତା ଅଳ୍ପ ପାଠୋଇ ମଫସଲ ଝିଅ ବସୁନ୍ଧରା । ସେଦିନ ଟିଭିରେ ଝିଅଟିର ଫୋଟୋ ସହିତ ଟିଭି ଘୋଷକ କହିଚାଲିଥାନ୍ତି,”ସତରେ ଝିଅଟିର ନାମ ବସୁନ୍ଧରା । ମାଆ ବସୁନ୍ଧରା ପରି ସର୍ଵସଂହା।ବସୁନ୍ଧରା ହେଉଛି ଭାରତୀୟ ନାରୀର ପ୍ରତୀକ।”
ଢେଙ୍କାନାଳ ର ନିପଟ ଗାଁ ଶ୍ରୀଚରଣପୁର । ଚଷା ଘର ର ଝିଅ ବସୁନ୍ଧରା। ସୁନ୍ଦରୀ ନୁହେଁ ତ ଅପୂର୍ବ ସୁନ୍ଦରୀ। ଯାହାକୁ କହନ୍ତି ଗୋଟିଏ ଚାଉଳରେ ଗଢ଼ା। ଖାଲି ରୂପରେ ନୁହେଁ, ଗୁଣ ଓ ବିଦ୍ୟାରେ ବସୁନ୍ଧରା ବି ଆଗୁଆ ଥିଲା। ମାଇନର ପଢା ଶେଷକରି ବସୁନ୍ଧରା ଯେମିତି ଉଚ୍ଚବିଦ୍ୟାଳୟ ରେ ପ୍ରବେଶ କରିଛି ଗାଁ ଟୋକାଙ୍କର ନଜର ପଡିଲା ବସୁନ୍ଧରା ଉପରେ।ଜେଜୀ ଦିନେ ବସୁନ୍ଧରାର ବାପାକୁ ଡାକିକହିଲା,”ଆରେ ଝିଅ ଘିଅ ,କେତେବେଳେ କଣ ଘଟିବ?ଝିଅ ହେଉଛି ମାଟିହାଣ୍ଡି ।ହାଣ୍ଡି ସିନା ଭାଙ୍ଗିଲେ ଖପରା,କିନ୍ତୁ ଝିଅ ଏପରି ମାଟିହାଣ୍ଡି ଯେ ଛୁଇଁଲେ ଖପରା । ତେଣୁ ଭଲ ପାତ୍ର ଦେଖି ମୋ ବସି କୁ ବିଦା କରିଦେ ।”
ବସୁନ୍ଧରା ର ବାପାଙ୍କୁ ଏକଥା ବହୁତ ଭଲ ଲାଗିଲା। କିନ୍ତୁ ବସୁନ୍ଧରା ଏହାକୁ ରୋକଠୋକ ମନାକରିଦେଲା । କାନ୍ଦି କାନ୍ଦି ବସୁନ୍ଧରା ସେଦିନ କହିଥିଲା,”ମୁଁ ପାଠ ପଢିବି।ବାହାଘର କଥା କହିଲେ ମୁଁ ମରିଯିବି। ଜୀବନରେ କିଛି କରିବି।” ବସୁନ୍ଧରା ର ବିକଳ ଭାବ ଓ କ୍ରନ୍ଦନରତା ମୁଖ ସେଦିନ ବସୁନ୍ଧରାର ବାପା ଙ୍କୁ ଦୃଢ଼ ନିଷ୍ପତ୍ତି ବାଧ୍ୟକରିଥିଲା ଯେ ,”ଝିଅଟି ଯେତେବେଳେ ଚାଂହୁଛି ପଢିବାପାଇଁ ତେବେପଢୁ ।”ଅଷ୍ଟମ ପରେ ନବମ ଉତ୍ତୀର୍ଣ୍ଣ ହୋଇ ବସୁନ୍ଧରା ଦଶମ ଶ୍ରେଣୀରେ ପଡ଼ିଲା।ଖରାଛୁଟି ହେବାପାଇଁ ଆଉ ଅଳ୍ପଦିନ ବାକିଥାଏ। ବସୁନ୍ଧରା ଅନ୍ୟଦୁଇ ସାଥି ଝିଅଙ୍କ ସହିତ ସ୍କୁଲ କୁ ଯାଉଥାଏ। କାନ୍ଧରେ ଝୁଲୁଥାଏ ପଢ଼ାବହି ର ବୋଝ ବସ୍ତାନୀ । ବସ୍ତାନୀ ର ବୋଝ ଯେତିକି ବଢୁଥାଏ ତାଠାରୁ ବେଶୀ ବଢୁଥାଏ ବସୁନ୍ଧରା ଆଖିରେ ତା ଭବିଷ୍ୟତ କଥା,କିପରି ଦଶମ ଶ୍ରେଣୀରେ ଜିଲ୍ଲାରେ ପ୍ରଥମ ହେବ?ବସୁନ୍ଧରା ର ଆଖିରେ ଥିବା ଆଖିଏ ସ୍ୱପ୍ନ ଯେ ଏକ ଅଜଣା ଧୂଳିଝଡ଼ରେ ଭାଙ୍ଗିଯିବ ତାହା କଳ୍ପନାର ବାହାରେ ଥିଲା।ତିନି ସାଙ୍ଗ ଗୋଟିଏ ସରଳ ରେଖାରେ ଆଗେଇ ଚାଲିଥାନ୍ତି ସ୍କୁଲକୁ। ହଠାତ ଝଡ଼ ବେଗରେ କଳା ପଲସର ଗାଡି ରେ ଗାଁ ର ଟୋକା କାଲୁ ଆସି ତିନି ଜଣ ଙ୍କ ମଝିରେ ଗାଡି ରଖି ବସୁନ୍ଧରାର ହାତ କୁ ଭିଡ଼ିନେଇ କହିଲା,”ଆଃ! କି ସୁନ୍ଦରୀ।ମୁଁ ତୁମକୁ ମୋ ହୃଦୟର ରାଣୀ କରିବାକୁ ଚାହେଁ।”ତିନି ଜଣ ଯାକ ନିର୍ବାକ ।ଏକି କଥା?ବସୁନ୍ଧରା କାଲୁ ର ହାତକୁ ଛିଞ୍ଚାଡି ତା ପଞ୍ଝାରୁ କାନ୍ଦି କାନ୍ଦି ବାହାରି ଆସିବାବେଳେ କାଳୁ ବସୁନ୍ଧରା କୁ ଆହୁରି କୋଳକୁ ଭିଡ଼ିନେଇ ଦୁଇ ଗାଲରେ ଦୁଇଟି ଚୁମ୍ବନ ଆଙ୍କିଦେବାବେଳେ କାନ୍ଦି କାନ୍ଦି ବସୁନ୍ଧରା କହୁଥାଏ,”ନା ଭାଇ ମୋ ଜୀବନ ଟାକୁ ତୁମେ ନଷ୍ଟ ହେବାକୁ ଦିଅନାହିଁ ।”
ଅନ୍ୟଦୁଇ ସାଙ୍ଗ ବସୁନ୍ଧରା କୁ ପ୍ରବୋଧନ ଦେଇ ଘରକୁ ନେଇଗଲେ।ଘରେ ଏ କଥା ଶୁଣୁ ଶୁଣୁ ବାପା ଙ୍କର ମୁଣ୍ଡ ବୁଲାଇଦେଲା।ମାଆ ନିର୍ବାକ ପରି ଝିଅକୁ ବଲ ବଲ କରି କିଛି ସମୟ ଚାହିଁରହି ବସୁନ୍ଧରା କୁ ନିଜ କୋଳକୁ ଟାଣିନେଲା। ଜେଜୀ ଛିଃ ଛାକର ହୋଇ ବସୁନ୍ଧରା ର ବାପା କୁ ବହେଗାଳି ଦେଇ କହିଲେ,”କଣ କହୁଥିଲି? ମୋ କଥା ଶୁଣିଲୁ ନାହିଁ। ଦେଖିଲୁ ତ!”ବସୁନ୍ଧରା ର ମାଆ ଅନ୍ୟ ଦୁଇ ଝିଅ ଙ୍କୁ ନେହୁରା ହୋଇ କହିଲେ,”ଝିଅ,ତୁମେ ମୋ ଝିଅ ପରି। ଏ କଥା କାହାକୁ କହିବନାହିଁ। ନଚେତ ମୋ ଝିଅକୁ ବାହା ଦେଇପାରିବୁ ନାହିଁ। ଆଉ ମୋ ବସୁ ସ୍କୁଲ କୁ ଯିବନାହିଁ।ଏଣିକି ଘରେ ରହିବ।ଏଣିକି ଘରେ ରହିବ।”ବସୁନ୍ଧରା କିନ୍ତୁ ସାହସ ଜୁଟାଇ କହିଲା,”ନା, ମାଆ,ଆମେ ଏହାକୁ ବିରୋଧ କରିବା।ପୋଲିସ ରେ ଅଭିଯୋଗ କରିବା।ମୁଁ ପଢିବି।” ଏ କଥା ଶୁଣି ଜେଜୀ ପାକୁଆ ପାଟିରେ ଜିଭଟାକୁ ପାକୁଆ ପାଟିରେ ଥରେ ବୁଲାଇ ଆଣି,ବଂକୁଲି ବାଡିଟାକୁ ବସୁନ୍ଧରା ଆଡକୁ ଫିଙ୍ଗିଦେଇ କହିଲା,”ଲୋ ରଇଲାଗି ପୁଣି ସେ ଇସ୍କୁଲ କୁ ଯିବୁ। ଏଥର ସେ ରଇଲଗା,ଅଳପେଇଶା ସବୁ ଇଜ୍ଜତ ମହତ ସାରିଦେଵ।କଥା ଆଉ ଆମ ଆୟତ୍ତ ରେ ନଥିବ।ଗଙ୍ଗା ଗଲୁ ଯେତିକି ଫଳ ପାଇଲୁ ସେତିକି। ପାଠ ପଢା ବନ୍ଦ।”ବସୁ ର ବାପା କୁ ଆଦେଶ ଦେବା ଢଙ୍ଗରେ ବୁଢ଼ୀ କହିଲା,”କାଲିଠାରୁ ତାର ବାହାଘର କଥା ଚିନ୍ତାକର।ଆମର ସେ ଗହିରା ବିଲ ଖଣ୍ଡିକୁ ସାହୁ ମହାଜନ ପାଖରେ ବନ୍ଧାଦେଇ ଏ ଦୁର୍ନାମ ରୁ ନିଜକୁ ତଥା ଏ ପରିବାର କୁ ରକ୍ଷାକର।”
ଜେଜୀଙ୍କର ଏ କଥାରେ କେହିବି ପ୍ରତିବାଦ କଲେ ନାହିଁ। ବସୁନ୍ଧରା ର ପୋଥିରେ ଡୋରି ବନ୍ଧାଗଲା। ଖରାଛୁଟି ହେଲା।ଖରାଛୁଟି ପରେ ସବୁପିଲେ ସ୍କୁଲ କୁ ଗଲେ।କିନ୍ତୁ ବସୁନ୍ଧରା ରହିଲା ଘରର ଚାରିକାନ୍ଥ ମଧ୍ୟରେ। ଏପରି ପ୍ରତିବନ୍ଧକ ମଧ୍ୟରେ ବସୁନ୍ଧରା ରହିଲା ଯେ ସତେ ଯେପରି ସେ ଜଣେ ଆନ୍ତର୍ଜାତିକ କୁଖ୍ୟାତ ଅପରାଧି ଅଥବା ଜେଡ ଯୁକ୍ତ ସୁରକ୍ଷା ପାଉଥିବା କୌଣସି ମହମାନବ।ପୋଖରୀ କୁ ଗାଧୋଇଯିବା ବ୍ୟତୀତ ଅନ୍ୟବେଳେ ବସୁନ୍ଧରା ବାହାରକୁ ଯିବା ମନା।
ଦିନକୁ ଥରେ ଦୁଇଥର ଏହାରି ମଧ୍ୟରେ କାଲୁ କଳା ପଲସର ରେ ଖୁବ ଜୋରରେ ହର୍ଣ୍ଣ ବଜାଇ ଘର ଆଗରେ ପଇଁତରା ମାରେ।ପଲସର ର ଗତି ଯେତିକି ଯେତିକି ବଢେ, ବସୁନ୍ଧରା ର ସୁରକ୍ଷା ସେତିକ ସେତିକ ବଢେ।
ବସୁନ୍ଧରା ର ବାପା ମଧ୍ୟ ସମସ୍ତ ବନ୍ଧୁବାନ୍ଧବ ସାଙ୍ଗ ସାଥି ମାନଙ୍କୁ ନେହୁରା ହୋଇ କହୁଥାନ୍ତି ଏକ ସୁନ୍ଦର ପ୍ରସ୍ତାବ ପାଇଁ। ହଠାତ ଜଣେ ଦୂର ସମ୍ପର୍କୀୟ ଏକ ପ୍ରସ୍ତାବ ଆଣି ବସୁନ୍ଧରା ର ବାପାଙ୍କ ପାଖରେ ରଖିଲେ। ପିଲାଟି ରାଜ ମିସ୍ତ୍ରୀ। ଦୈନିକ ମଜୁରୀ ପାଞ୍ଚ ଶତ ଟଙ୍କା। ପ୍ରସ୍ତାବ ଟା କିଛି ମନ୍ଦ ନୁହେଁ। କିନ୍ତୁ ବସୁନ୍ଧରାର ବାପାଙ୍କ ପାଟି ଟା ଟିକେ ପିତା ହୋଇଗଲା, ଯେତେବେଳେ ଶୁଣିଲା ଯୌତୁକ ଲକ୍ଷେ ଟଙ୍କା। କଣ କରିବେ,କିପରି ଝିଅକୁ ହାତ ରୁ ଦିହାତ କରିବେ ଏହି ଚିନ୍ତାରେ ଯେତେବେଳେ ଘଣ୍ଟି ହେଉଥାନ୍ତି,ଏହି ସମୟରେ ବସୁନ୍ଧରା ର ଜେଜୀ ତାଙ୍କର ପୁରୁଣା କଥାକୁ ଦୋହରାଇ କହିଲେ,ତାଙ୍କର ଏକ ମାତ୍ର ଗହିରିଆ ବିଲକୁ ମହାଜନ ପାଖରେ ବନ୍ଧକ ରଖି କରଜ କରି କାମ ଚଳାଇଦେବା ପାଇଁ।ସେୟା ହିଁ ହେଲା।
ବହୁତ କଷ୍ଟରେ କାଲୁ କବଳରୁ ନିଜକୁ ସୁରକ୍ଷିତ ରଖି ଝିଅର ବର ସହିତ ହାତଗଣ୍ଠି କାର୍ଯ୍ୟକୁ ସମାପନ କରାଇଲେ। କିନ୍ତୁ କହିଥିବା ଯୌତୁକ ଅର୍ଥଠାରୁ ତିରିଶ ହଜାର କମ ହେଲା।ବସୁନ୍ଧରା ର ବାପା ଜବାବ ରଖିଲେ ଆଉ ତିରିଶ ହଜାର ଟଙ୍କା ଦେଲେ ବସୁନ୍ଧରାକୁ ଘରକୁ ଡାକି ଆଣିବେ ମୁହଁଦେଖା ଭାବେ।
ମାସେ ଗଲା,ବର୍ଷେ ଗଲା, କିନ୍ତୁ ବସୁନ୍ଧରା ର ବାପାଙ୍କ ପାଖରେ ତିରିଶ ହଜାର ଯୋଗାଡ଼ କରିବା ବହୁତ କଷ୍ଟ ଥିଲା।ନା ଟଙ୍କା ଯୋଗାଡ ହୋଇପାରୁଛି ନା ବସୁନ୍ଧରା କୁ ଘରକୁ ଡାକି ଆଣିପାରୁଛନ୍ତି।ବସୁନ୍ଧରା କେତେ ଅନୁରୋଧ ନ କରିଛି ତାର ଶାଶୁ,ଶ୍ୱଶୁର ଓ ସ୍ୱାମୀ ଙ୍କୁ ବାପା,ମାଆ ଓ ଜେଜୀ ଙ୍କୁ ଯାଇ ଟିକେ ଦେଖି ଆସିବା ପାଇଁ,କିନ୍ତୁ ସବୁ ଅନୁରୋଧ ର ଉତ୍ତର ମିଳେ,” ତିରିଶ ହଜାର ଆଣିବୁ ତ ଘରକୁ ଯାଆ,ନଚେତ ବାପ ଘରକୁ ଗଲେ ଫେରିବା ଆଶା ଛାଡି ଦେ।”
ଥରେ ଦୁଇଥର ବସୁନ୍ଧରା ଲୁଚି ଛପି ବାପାଙ୍କ ପାଖକୁ ଚିଠି ପଠାଇଛି।ପ୍ରତ୍ୟେକ ଚିଠିରେ ସେଇ ଏକା କଥା,”ମାଆ ଲୋ, ମୁଁ ତୋ କଥା ମାନି ଏଠାରେ ଚଳୁଛି।ତୁମ୍ଭମାନଙ୍କର କଥା ସବୁବେଳେ ମନେପଡୁଛି।ତୁମ୍ଭମାନଙ୍କୁ ଟିକେ ଦେଖିବାକୁ ବହୁତ ମନହେଉଛି।ମୋ ଝିଅକୁ କୋଳରେ ଧରି କ୍ଷୀର ଖୁଆଇ ଶୁଆଇ ଦେବାବେଳେ ମନହୁଏ ମୁଁ ହେଲେ ତୋ କୋଳରେ ଟିକେ ମୁଣ୍ଡ ରଖି ଶୋଇପଡନ୍ତି।କିନ୍ତୁ କଣ କରିବି,ମୋ ପାଇଁ ତ ଲକ୍ଷ୍ମଣ ରେଖା ଟଣାଯାଇଛି।ସବୁ ହଳାହଳ କୁ ତ ମୁଁ ଆକଣ୍ଠ ପାନ କରୁଛି।ମୁଁ ଆତ୍ମହତ୍ୟା କରିବିନାହିଁ ମାଆ।ମୁଁ ସବୁ ସହିବି।ମୁଁ ପରା ବସୁନ୍ଧରା।ଯେତେବେଳେ ତୋ କଥା ବେଶୀ ମନେପଡେ ସେଦିନ ମୋ ମୁଣ୍ଡରେ ଦେଇଆସିଥିବା ଓଢଣୀ କୁ ଟିକେ ଆଣି ଛାତିରେ ଚାପିରଖେ ଓ ତାହାରି ଉପରେ ଦୁଇ ତିନୋଟି ଚୁମ୍ବନ ଆଙ୍କିଦିଏ।କାହିଁକି ଜାଣିଛୁ ମାଆ?କାରଣ ସେହି ଓଢଣୀ ରେ ବିଦାୟ ବେଳରେ ତୋର,ବାପା ଓ ଜେଜୀ ଙ୍କର ଓ ମୋର ଲୁହରେ ଓଢଣୀ ଟି ଓଦା ହୋଇଯାଇଥିଲା।ମତେ ଲାଗେ ଆମ ଲୁହରେ ଭିଜିଯାଇଥିବା ଓଢଣୀ ଟି ଆଜି ମଧ୍ୟ ଓଦା ହୋଇରହିଛି । ତାହାକୁ ଛାତି ରେ ଟିକେ ଜାବୁଡି ଧରିଲେ ମୋ ଛାତି ଭିତରେ ଜଳୁଥିବା ଦୁଃଖ ର ଅଗ୍ନି ଟିକେ ନିର୍ବାପିତ ହେଲାପରି ଲାଗେ । ତୋ ନାତୁଣୀ ର ମୁହଁ ଟି ଠିକ ତୋ ମୁହଁ ପରି। “
ବସୁନ୍ଧରା ର ଆଖି ର ଲୁହରେ କେତେବେଳେ ଯେ ଚିଠି ଟି ଓଦା ହୋଇଯାଏ ତାହା ବସୁନ୍ଧରା ବି ଜାଣିପାରେନାହିଁ।
ବହୁତ କଷ୍ଟରେ କେଉଁଠାରୁ ଟଙ୍କା ଟିଏ ପାଇଲେ ଘରପାଖରୁ ପଢି ଯାଉଥିବା ଗୋଟିଏ ବିଶ୍ୱସ୍ତ ଝିଅ ପାଖରେ ଚିଠିଟି ବସୁନ୍ଧରା ଦିଏ ଡାକରେ ପକାଇ ଦେବାପାଇଁ।
ଯୌତୁକ ଅର୍ଥପାଇଁ ଦିନେ ବସୁନ୍ଧରାକୁ ତାର ଶାଶୁ,ଶ୍ୱଶୁର ଓ ସ୍ୱାମୀ ପ୍ରବଳ ମାଡ଼ମାରିଲେ। ସାଇପଡ଼ିଶା ଲୋକ ଙ୍କୁ ଏହା ଅସହ୍ୟ ହେଲା।କେହି ଜଣେ ବସୁନ୍ଧରା ର ବାପା ମାଆଙ୍କୁ ଏକଥା ଖବରଦେଲେ।ବାଧ୍ୟହୋଇ ବସୁନ୍ଧରା ର ବାପା ଦୁଇ ତିନି ଜଣ ଭଦ୍ରବ୍ୟକ୍ତି ଧରି ବସୁନ୍ଧରା ର ଶାଶୁଘରେ ଆସି ପହଁଚିଲେ।
ଶ୍ୱଶୁର ଘର ର ସମସ୍ତେ କହିଲେ,”ଯଦି ଯୌତୁକ ଟଙ୍କା ଦେବ ତେବେ ତୁମ ଝିଅ ତୁମ ଘରକୁ ଯିବ, ଦେଇ ନପାରିଲେ ସେ ଏଠାରୁ ଯାଇ ପାରିବି ନାହିଁ।ଯଦି ଆମ କଥା କୁ ଅମାନ୍ୟ କରି ଘରକୁ ନେବ ତେବେ ଯେଉଁଦିନ ଟଙ୍କା ଯୋଗାଡ ହେବ ଟଙ୍କା ସହିତ ତୁମ ଝିଅକୁ ଆଣିଦେବ।” ବସୁନ୍ଧରା ର ବାପା ଏ କଥା ରେ ରାଜି ହୋଇ ବସୁନ୍ଧରା ଓ ନାତୁଣୀ କୁ ଧରି ବିବାହର ଦେଢ଼ ବର୍ଷ ପରେ ଘରକୁ ଫେରିଲେ।
ଦେଢ଼ ବର୍ଷ ତଳର ବସୁନ୍ଧରା ଓ ଆଜିର ବସୁନ୍ଧରା ମଧ୍ୟରେ ଆକାଶ ପାତାଳ ତଫାତ।ଅକାଳ ରେ ସତେ ଯେପରି ବସୁନ୍ଧରା କୁ ବାର୍ଦ୍ଧକ୍ୟ ଗ୍ରାସ କରିଛି।ଗାଁ ରାସ୍ତାରେ ଚାଲି ଚାଲି ଆସୁଥିବାବେଳେ ଗାଁ ର ଆମ୍ବଗଛ ମୂଳେ କେତେଜଣ ଖୁସିଗପ ରେ ବ୍ୟସ୍ତଥାନ୍ତି ଓ ପାଖରେ ଦୁଇଜଣ ଚିଲମ ପ୍ରସ୍ତୁତ କରୁଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବସୁନ୍ଧରା କୁ ଲକ୍ଷ୍ୟକରି ଖଣ୍ଡି କାଶ ମାରି କହୁଥିଲା,”ମତେ ପସନ୍ଦ କରିଥିଲେ କଣ ଖରାପ ହୋଇଥାନ୍ତା। ବୁଲିପଡ଼ି ବସୁନ୍ଧରା ତା ଆଡ଼କୁ ଟିକେ ଚାହିଁଦେଲା ବେଳକୁ ଦେଖିଲା ସେହି କାଳୁ,ଯାହାପାଇଁ ସେ ପାଠଛାଡ଼ିଲା, ବାପା ତାକୁ ଏକ ଅପାତ୍ରରେ ଟେକିଦେଲେ।ଇଚ୍ଛା ହେଉଥିଲା ଧାଇଁ ଯାଇ ତାରତଣ୍ଟିଟାକୁ ଚିପିଦେଇ ରକ୍ତପିଇ ଦେବାପାଇଁ। କିନ୍ତୁ ନା। ନିଜକୁ ନିଜେ ସଂଯତ କରି କହିଲା,”ନା,ମୁଁ ପରା ବସୁନ୍ଧରା। ସବୁ ସହିବାର କ୍ଷମତା ମୋର ଅଛି, କିନ୍ତୁ ପାଟି ଖୋଲିବାର କ୍ଷମତା ମୋର ନାହିଁ।”
ସମସ୍ତେ ବସୁନ୍ଧରା ର ଝିଅକୁ ଦେଖି,ବସୁନ୍ଧରା ର ମାଆ ଙ୍କୁ କୁହନ୍ତି,”ଡଲି ଲୋ,ତୋ ରୂପ କୁ ପୁରାପୁରି ଛଡେଇ ଆଣିଛି ତୋ ନାତୁଣୀ। ତୁ ଡଲି ହେଲେ,ତୋ ନାତୁଣୀ ଡାଲିଆ।”
ଡାଲିଆ , ଜନ୍ମ ର ଦୁଇ ତିନି ମାସପରେ ଆସିଥିଲା ଆଜା ଘରକୁ। ଏବେ ସେ ଚାଲି ଚାଲି ଯାଉଛି ଗାଁ ର ଅଙ୍ଗନବାଡି କେନ୍ଦ୍ର କୁ। କେବେ ବି ଡାଲିଆ ର ଜେଜେ,ଜେଜୀ କିମ୍ବା ବାପା ଆସିନାହାନ୍ତି ତାଙ୍କ ମାଆ ଝିଅ ଙ୍କୁ ଦେଖି।କିପରି ଆସିଥାନ୍ତେ ଯେ?ସେମାନେ ତ ଟଙ୍କାର ଗୋଲାମ।ମନୁଷ୍ୟ ଯେତେବେଳେ ଅର୍ଥ ର ଦାସ ପାଲଟିଯାଏ, ସେତେବେଳେ ସେ ହୋଇଯାଏ ଦୁଇ ଗୋଡ଼ିଆ ପଶୁ।
ଦୀର୍ଘ ଚାରିବର୍ଷ ପରେ ଦିନେ ଏକ ଶୀତୁଆ ସନ୍ଧ୍ୟା ସମୟ।ସବୁଦିନ ପରି ବସୁନ୍ଧରା ସଂଧ୍ୟାପୂର୍ବରୁ ଗାଁ ର କିଛି ମହିଳାଙ୍କ ସହିତ ଯାଇଥାଏ ବାହାରକୁ ଶୌଚ ହେବାପାଇଁ। ଏହି ସମୟରେ କେହି ଜଣେ ପାଖ ବୁଦା ମୂଳରୁ ବାହାରିଆସି ବସୁନ୍ଧରା ର ବାଟ ଓଗାଳିଲା।ସମସ୍ତ ସ୍ତ୍ରୀ ଲୋକମାନେ ଭୟ ପାଇଗଲେ।ବିଭିନ୍ନ ଆଶ୍ରାବ୍ୟ ଭାଷା ପ୍ରୟୋଗ କରି କହିଲା,”ଯୌତୁକ ଅର୍ଥ ସହ କେବେ ଆମ ଘରକୁ ଯିବୁ।ଏଠି ଅନ୍ୟ ପୁରୁଷ ଙ୍କ ସହିତ ରାସଲୀଳା କରୁଛୁ।”ବସୁନ୍ଧରା ଅତ୍ୟନ୍ତ ଭଦ୍ର ଭାବରେ କହିଲା,”ମୁଁ କିପରି ଯାଇଥାନ୍ତି ଯେ, ତୁମେ କିମ୍ବା ତୁମ ପରିବାରର କେହି କେବେ ଡାକିଆସିଛନ୍ତି କି?ତୁମେ ତ କହିଛ ଯୌତୁକ ଅର୍ଥ ସହିତ ମୋତେ ନେଇଦେବା ପାଇଁ। ଯାହା କିଛି ବାପା ସଞ୍ଚୟ କରି ଭରଣା ପାଇଁ ଚେଷ୍ଟା କରୁଛନ୍ତି। ଅର୍ଥ ପୂରଣହେଲେ ମତେ ନେଇଦେବେ।”ଅନ୍ୟ ସ୍ତ୍ରୀଲୋକମାନେ ନିଶ୍ଚିତ ହୋଇଗଲେ ଯେ ସେ ଅପଦାର୍ଥ ଟି ହାତରେ ବସୁନ୍ଧରା ପରି ସୁନାମୁଣ୍ଡାଟିକୁ ତାର ବାପା ମାଆ ସମର୍ପି ଦେଇଛନ୍ତି।।
କିଛି ସମୟ ପାଟି ତୁଣ୍ଡ ପରେ ବସୁନ୍ଧରା ର ସ୍ୱାମୀ ଉଚ୍ଚ ସ୍ୱର ରେ କହିଲା,”ତୁ ମଲେ ମୋ ସମସ୍ୟାର ସମାଧାନ ହେବ।”ଏତିକି କହି ବସୁନ୍ଧରାର ତଣ୍ଟିକୁ ଜୋରରେ ଚିପିଧରିଲା। ଅନ୍ୟ ସ୍ତ୍ରୀ ଲୋକମାନେ ଲୋକଟା ଉପରେ ଆକ୍ରମଣ କରିବାରୁ ବସୁନ୍ଧରାକୁ ଛାଡ଼ିଦେଇ ନିଜ ପକେଟରୁ ଏକ ଏସିଡ ଶିଶି ବାହାର କରି ବସୁନ୍ଧରାର ମୁହଁ କୁ ଫୋପାଡ଼ିଦେଲା। କିନ୍ତୁ ବସୁନ୍ଧରା ଭାଗ୍ୟକୁ ବୁଲିପଡ଼ିଲା।ତେଣୁ ଏସିଡ ରୁ କିଛି ବସୁନ୍ଧରା ର ପିଠିରେ ପଡିଲା। ବସୁନ୍ଧରା ଚିତ୍କାର କରି ଘରକୁ ଦୌଡ଼ି ପଳାଇଲା।ଅନ୍ୟ ସ୍ତ୍ରୀ ଲୋକମାନଙ୍କ ଚିତ୍କାର ଶୁଣି ଗାଁ ର କିଛି ମରଦ ସେଠାକୁ ଦୌଡ଼ି ଆସିଲେ।ଲୋକଟା ପଳାୟନ ପାଇଁ ଉଦ୍ୟତ ହୁଅନ୍ତେ ତାକୁଧରି ପୋଲିସର ଜିମା ଦେଲେ।
ଯୌତୁକ ବାବଦ ବହୁତ କଷ୍ଟରେ ସଞ୍ଚିତ କରିଥିବା କୋଡ଼ିଏ ହଜାର ଟଙ୍କାକୁ ବସୁନ୍ଧରାର ଚିକିତ୍ସା ବାବଦରେ ଖର୍ଚ୍ଚ କରିଦେଲେ ତାର ବାପା। ବିନା ଜାମିନରେ ପ୍ରାୟ ଏକ ବର୍ଷ ବସୁନ୍ଧରା ର ସ୍ୱାମୀ ଜେଲ ଦଣ୍ଡ ଭୋଗିବାପରେ ଦିନେ ମାମଲା ର ଏକ ତାରିଖ ରେ ବସୁନ୍ଧରା ନିଜ କାଖରେ ସାତ ବର୍ଷର ଡାଲିଆ କୁ ଧରି କଚେରୀ ରେ ବିଚାରପତିଙ୍କ ଆଗରେ ଓକିଲ ଙ୍କ ଜେରା ର ସମ୍ମୁଖୀନ ହେଲେ।
ଓକିଲଙ୍କ ବିଭିନ୍ନ ପ୍ରଶ୍ନ ମଧ୍ୟରେ କେତୋଟି ମୁଖ୍ୟପ୍ରଶ୍ନ ଥିଲା:-
ତୁମେ କଣ ତାଙ୍କୁ ଜାଣିଛ?
ସଂକ୍ଷିପ୍ତ ଉତ୍ତର ଟିଏ ଥିଲା, ହଁ।
ସେ ତୁମର କଣ ହେବେ?
ସ୍ୱାମୀ
ଏ ଶିଶୁ କନ୍ୟାଟି କଣ ତୁମ ଦୁଇଜଣଙ୍କର?
ହଁ
ହଠାତ ଓକିଲଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତର ରେ ବସୁନ୍ଧରାକୁ ବିସ୍ତୃତମୂଳକ ଉତ୍ତର ଦେବାକୁ ବାଧ୍ୟ ହୋଇଥିଲା।
ତୁମକୁ କଣ ଏ ବାବୁ ପ୍ରଥମେ ତଂଟିଚିପି ହତ୍ୟା ଓ ପରେ ଏସିଡ ପକାଇ ମାରିଦେବାକୁ ଉଦ୍ୟମ କରିଥିଲେ?
କଣ କହିବ ବସୁନ୍ଧରା କିଛି ଭାବିପାରୁନଥାଏ। ଯେତେହେଲେ ସେ ଜଣେ ଭାରତୀୟ ନାରୀ।କିପରି କହିବ ସ୍ୱାମୀ ବିରୁଦ୍ଧରେ।ଆଖିରୁ ଗଡିଆସୁଥିବା ଦୁଇଧାର ଲୁହ କୁ ପୋଛି ଦେଇ କହିଥିଲା ,”ସେଦିନ ମୁହଁ ସଞ୍ଜ ଥାଏ।ମୁଁ ବାହାରକୁ ଶୌଚ ହେବାକୁ ଯାଇଥାଏ।କେହିଜଣେ ମୋ ଉପରକୁ ଆକ୍ରମଣ କଲା। ସାଥି ସ୍ତ୍ରୀ ଲୋକମାନେ ରକ୍ଷାକଲେ।ମୋ ଉପରେ ବି ଏସିଡ ମାଡ଼ ହେଲା।ମୁଁ କିନ୍ତୁ କିଏ ଆକ୍ରମଣକଲା ଚିହ୍ନି ପାରିଲି ନାହିଁ।”
ହଠାତ ପ୍ରତିପକ୍ଷ ଓକିଲ ବୀରଦର୍ପରେ କହିଲେ,”ମୁହଁ ସଂଜରେ କଣ କେହି ନିଜ ସ୍ୱାମୀ କୁ ଚିହ୍ନି ପାରିବନାହିଁ?ତେଣୁ ବସୁନ୍ଧରା ଦେବୀ କହିବା ମୁତାବକ,”ମୋ ମହକିଲ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ।”
କଚେରୀ ର ବାରଣ୍ଡା ପାହାଚ ଅତିକ୍ରମ କରୁଥିବାବେଳେ ବୌଦ୍ୟୁତିକ ଗଣମାଧ୍ୟମର ବୁମଗୁଡିକୁ ଆଡେଇ ଦେଇଦେଇ ତଳକୁ ଚାଲି ଆସୁଥିବାବେଳେ,ଆଖିର ଲୁହଧାରକୁ ପୋଛି ଦେଇଦେଇ ଡାଲିଆ କୁ କାଖରେ ଜାକି ବସୁନ୍ଧରା କେବଳ ଏତିକି କହିଲା,”ଯେତେହେଲେ ମୁଁ ଭାରତୀୟ ନାରୀ। ମୁଁ ବସୁନ୍ଧରା। ସବୁ ସହିବି।କିନ୍ତୁ ପାଟି ଖୋଲିବାର କ୍ଷମତା ଭଗବାନ ମତେ ଦେଇନାହାନ୍ତି।”
ବସୁନ୍ଧରା ଭାବିଥିଲା ତାର ସ୍ୱାମୀର ମନ ପରିବର୍ତ୍ତନ ହେବ ଏବଂ ନିଶ୍ଚିତ ଭାବରେ ଡାଲିଆ ସହିତ ତାକୁ ଆଦରିନେବ। କିନ୍ତୁ ଲାଜ ବଣ୍ଟା ସ୍ଥାନକୁ ଯାଇନଥିବା ତାର ସ୍ୱାମୀ ଭାବିଲା,”ଓକିଲଙ୍କ ବୁଦ୍ଧି ଯୋଗୁଁ ସେ ନିଶ୍ଚିତ ଜେଲ ଦଣ୍ଡରୁ ବର୍ତ୍ତିଗଲା।”ଦ୍ଵିତୀୟ ପତ୍ନୀର ନିଶାରେ ଘୁରିବୁଲିଲା।କିନ୍ତୁ ଟିଭି ରେ ଯିଏ ବସୁନ୍ଧରା କୁ ଦେଖିଛି ଓ ଶୁଣିଛି ସମସ୍ତେ ସେ ନର ରାକ୍ଷସ କୁ ଦୂର ଦୂର ମାର ମାର କରିଛି।
ଦୁଃଖୀ ହିଁ ସବୁଦିନେ ଦୁଃଖୀ।ବସୁନ୍ଧରାର ଭାଗ୍ୟରେ ତାହାହିଁ ହେଲା।ଅଣ୍ଟାବାତ ରୋଗରେ ପୀଡିତ ତାର ବାପା ବିନା ସୁଷମ ଖାଦ୍ୟ ଓ ଚିକିତ୍ସାରେ ଆଖିବୁଜିଲା।ହିନ୍ଦୁଧର୍ମ ଶାସ୍ତ୍ର ଅନୁଯାୟୀ ଅନୁଯାୟୀ ମୁଖାଗ୍ନି ଦେବାକୁ ଖୋଜା ପଡିଲା ପୁତ୍ର ସନ୍ତାନ। ସଦାସର୍ବଦା ବସୁଧା ପରି ସବୁ ସହ୍ୟକରୁଥିବା ବସୁନ୍ଧରା କିନ୍ତୁ ଏଥର ଅନ୍ଧ ବିଶ୍ୱାସ ଉପରେ ମୁହଁ ଖୋଲି କହିଲା,” ମୁଁ ମୋ ବାପା ଙ୍କର ଏକମାତ୍ର ସନ୍ତାନ ମାନେ ମୁଁ ହିଁ ବାପାଙ୍କର ସମସ୍ତ କର୍ମ କରିବି।” ଏକଥା ଚାରିଆଡେ ରାଷ୍ଟ୍ର ହୋଇଗଲା।ବସୁନ୍ଧରା କୁ ଲୋକମାନେ ଯେତିକି ସାଧୁ ସାଧୁ କହୁଥାନ୍ତି ତାର ସ୍ୱାମୀ କୁ ସେତିକି ଛିଃ,ଛିଃ କହୁଥାନ୍ତି। ବସୁନ୍ଧରା ର ଘର ଆଗରେ ସାମ୍ବାଦିକ ଙ୍କ ଭିଡ଼। ବିଭିନ୍ନ ଗଣ ମାଧ୍ୟମରେ ବସୁନ୍ଧରା ର କଥା ପ୍ରସାରିତ ହେଉଥାଏ।କେହିଜଣେ ସାମ୍ବାଦିକ ପ୍ରଶ୍ନ କଲେ,”ଆପଣ କାହିଁକି କଚେରୀରେ ନିଜ ସ୍ୱାମୀ ଙ୍କ ବିରୁଦ୍ଧରେ କହିଲେ ନାହିଁ।”ସେହି ଚିରାଚରିତ ଢଙ୍ଗରେ ବସୁନ୍ଧରା କହିଲେ,”ମୁଁ ଭାରତୀୟ ନାରୀ।ଯେତେହେଲେ ସେ ମୋ ସ୍ୱାମୀ”।
“ଆପଣ କଣ ତାଙ୍କ ପାଖକୁ ଯିବାକୁ ଆଶାବାଦୀ।”
“ଯଦି ସେ ଚାହିଁବେ ଯିବି, କିନ୍ତୁ ଗୋଟାଏ ସର୍ତ୍ତ ରେ।”
“କଣ ସେ ସର୍ତ୍ତ?”
“ମୋ ମାଆର କେହି ନାହିଁ।ମୋ ବିବାହ ରେ ବନ୍ଧକ ରେ ଆମ ବିଲ ସାହୁକାର ହାତରେ।ମୋ ବୁଢ଼ୀ ମାଆ କୁ ମୁଁ ମୂଲ କରି ପୋଷିବି।ମୋ ମାଆ ମୋ ପାଖରେ ରହିବ।ଯଦି ସେ ରାଜି ହେବେ ତେବେ——।”
ହଠାତ ଭିଡ଼ ଭିତରୁ କେହିଜଣେ ବାହାରିଆସି ବସୁନ୍ଧରା ର ପାଦତଳେ ପଡିଯାଇ କହିଲା,”ବସୁନ୍ଧରା ମତେ କ୍ଷମା କରିଦିଅ।ମୁଁ ତୁମର ସବୁକଥା ରେ ରାଜି।”ବସୁନ୍ଧରା ତାକୁ ତଳୁ ଓଠାଇ ଆଣିବାବେଳେ ଗଣମାଧ୍ୟମ ର ପ୍ରତିନିଧିମାନେ ବିଭିନ୍ନ ଢଙ୍ଗରେ ଚିତ୍ର ଉତ୍ତୋଳନ କରୁଥାନ୍ତି। ଦୁଇ ଜଣ ଙ୍କ ମିଳନ ଶବ ଶ୍ମଶାନ ଯିବା ଦୃଶ୍ୟ ସହିତ ଗାଁ ର ସ୍ତ୍ରୀ ଲୋକମାନ ହୁଳହୁଳି ଧ୍ୱନି ଓ କ୍ୟାମେରା ର ଆଲୋକ ପରିବେଶ କୁ ଏକ ଭିନ୍ନ ପରିବେଶ ସୃଷ୍ଟି କଲା।
ସିଦ୍ଧି ପ୍ରସାଦ ସାହୁ
ସହକାରୀ ଶିକ୍ଷକ,ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟ
କଣିହାଁ,ଅନୁଗୁଳ