ଲକ୍ଷ୍ମଣ ରେଖା

0

ନାଲି ବତୀ ଥିବା ପୋଲିସ ଗାଡି ରୁ ଯେତେବେଳେ ବୈଦେହୀ ଓହ୍ଲାଇ ମାଆ ସୁଧାର ଗୃହ ଆଡକୁ ମୁହଁ ତଳକୁ କରି ପାଦ ଗଣି ଗଣି ଯାଉଥାଏ ଠିକ ସପ୍ତାହକ ତଳେ ମଧ୍ୟ ବୈଦେହୀ ସେହିପରି ପାଦ ଗଣି ଗଣି ଗାଁ ଦାଣ୍ଡରେ ଯାଉଥିଲା। ତଫାତ କେବଳ ଏତିକି ସେତେବେଳେ ଘର ଲୋକଙ୍କ ମୁହଁରେ ଖେଳି ଯାଇଥିଲା ଦୁଃଖ ଓ ସୁଖ ମିଶ୍ରିତ ଆନନ୍ଦ ର ଅଶ୍ରୁ, କିନ୍ତୁ ଆଜି ପୋଲିସ ଗାଡ଼ିରେ ବସି ଆସିଲାବେଳେ ପରିବାର ଲୋକଙ୍କ ଆଖିରୁ ଗଡିଯାଉଥିଲା ଦୁଃଖ ର ଅଶ୍ରୁ ଗୁଡାକ।

ସୁଧାର ଗୃହର ଅନ୍ତେବାସୀ ଗଣ ଜିଜ୍ଞାସୁ ଭରା ନୟନ ରେ ଚାଂହୁଛନ୍ତି ବୈଦେହୀ କୁ। କାହିଁକି କିପରି ଏଠାକୁ ଆସିଛି ବୈଦେହୀ। ଅନ୍ତେବାସୀ ଗଣ କିଏ କେତେପ୍ରକାର ପ୍ରଶ୍ନ ନିଜକୁ ନିଜେ ପଚାରି ତାର ସମ୍ଭାବ୍ୟ ଉତ୍ତର ମଧ୍ୟ ନିଜକୁ ନିଜେ ଦେଇ ଚାଲିଥାନ୍ତି।

ସୁଧାର ଗୃହ ରେ ବୈଦେହୀ କିନ୍ତୁ ଗୁମ ମାରି ବସିଥାଏ। ତା ଶରୀର ର ସେ ଯେଉଁ ଅଙ୍ଗ କୁ ଚାହିଁ ଦେଉଥାଏ ସେ କିଛି ସମୟ ପାଇଁ ଏକ ଭାବନା ରାଜ୍ୟରେ ନିମଜ୍ଜିତ ହୋଇଯାଉଥାଏ । ଦୁଇହାତ କୁ ଚାହିଁ ଭାବୁଥାଏ କେତେ ସୁନ୍ଦର ନଦିଶୁଥିଲା ତାର ହାତ ଦୁଇଟି ତିନି ତିନି ହଳ ସୁନା କଙ୍କଣ ରେ। ପିନ୍ଧିବା ପାଇଁ ବାପା ଙ୍କ ପାଖରେ ଅଳି କରିଥିଲା। ତାପରି ସୁନାନାକୀ ଝିଅର କଥାକୁ ବି ବାପା ପୂରଣ କରିଥିଲେ। ବେକ ଟାକୁ ହାତ ପକାଇ ଦେଲାବେଳେ ଆଖିରୁ ଅମାନିଆ ଲୁହ ଗୁଡାକ ହାତ ପାପୁଲି ଦେଇ ତଳକୁ ଖସିଆସିଲା। ପଇଁତିରିଶ ଗ୍ରାମ ର ହାର ପିନ୍ଧି ସେଦିନ ବୈଦେହୀ ଯେତେବେଳେ ଦର୍ପଣ ଆଗରେ ଛିଡା ହୋଇ ନିଜକୁ ନିଜେ ଅବଲୋକନ କଲା କେହି କହୁକି ନ କହୁ ବୈଦେହୀ କିନ୍ତୁ ନିଜକୁ ନିଜେ ତାରିଫ କରି ଭାବୁଥିଲା ସ୍ୱର୍ଗ ର ଅପ୍ସରୀ ରମ୍ଭା ଓ ମେନକା ବି ପଛକୁ ପଡିଯିବେ। ଯେଉଁ ହାତ ପାପୁଲି ରେ ଅମାନିଆ ଲୁହ ଗୁଡାକ ଝରି ପଡିଥିଲା ସେହି ହାତର ଆଙ୍ଗୁଠି ଗୁଡାକ ଆଜି ଖାଲି। ପ୍ରତି ଆଙ୍ଗୁଠି ରେ ସୁନା ମୁଦି ଥାଇ ଆଙ୍ଗୁଠି ଗୁଡିକ କଇଁ ଫୁଲ ର ପାଖୁଡା ପରି ଦେଖାଯାଉଥିଲା। କିନ୍ତୁ ଆଙ୍ଗୁଠି ଗୁଡିକ ଆଜି ଖାଲି। ବଡ଼ ହିନିମାନିଆ ଦେଖାଯାଉଛି। ସାଙ୍ଗେସାଙ୍ଗେ ବୈଦେହୀ ଲୁହ ଟୋପା ଗୁଡାକୁ ତଳେ ପକାଇଦେଇ ଆଣ୍ଠୁ ପାଖରେ ଥିବା ପିନ୍ଧା ବସ୍ତ୍ର ହାତ ଟାକୁ ପୋଛି ଦେବାକୁ ଉଦ୍ୟତ ହେଲା। କିନ୍ତୁ ଏ କଣ? ହଠାତ ଦୁଇ ପାଦ କୁ ଆବୃତ କରିଥିବା ଲୁଗା ଟା ଟିକେ ଉପରକୁ ଉଠି ଆସିଲା। ଓଃ! ଏକଣ ଦେଖୁଛି ବୈଦେହୀ ! ପୁରିଲା ପୁରିଲା ପାଦ ରେ ଚାନ୍ଦି ରୂପାର ପାଉଁଜି କଣ ଶୋଭା ନପାଉଥିଲା? ଗାଁ ଝିଅ ବୋହୁ ମାନେ କହୁଥିଲେ ରକ୍ତିମ ପାଦରେ ଶୁଭ୍ର ପାଉଁଜି ଉପରେ ଥିବା କଳା ରଙ୍ଗର ତାରକସି କାମ ଲାଗୁଛି ସତେ ଯେପରି ପୋଖରୀରେ ଲାଲ ପଦ୍ମ ଉପରେ ଭ୍ରମର ର ଭ୍ରମ ସୃଷ୍ଟି କରୁଅଛି।

ଓଃ! ନା ନା, ଚିତ୍କାର କରି ବୈଦେହୀ ପୁଣି ପାଦ ଦୁଇଟାକୁ ସାଥେ ସାଥେ ଘୋଡାଇ ପକାଇଲା । ଆଖିରୁ ଲୁହ ସିନା ବାଡ଼ବତା ନମାନି ମାଡି ଆସି ତଳେ ଝରି ପଡୁଛି, କିନ୍ତୁ ହୃଦୟ ଭିତରେ ଉଠୁଥିବା ଦୁଃଖ ର ଉତ୍ତାଳ ତରଙ୍ଗ ଗୁଡାକ କେବଳ ହୃଦୟ ଭିତରେ ହିଁ ଲହଡି ମାରୁଅଛି। କାହା ଆଗରେ ସିନା ସେହି ଦୁଃଖ କୁ ବଖାଣି ଦେଲେ ଟିକେ ଲାଘବ ହୁଅନ୍ତା। କିନ୍ତୁ କାହା ଆଗରେ କହିବ? ସୁଧାର ଗୃହରେ ସମସ୍ତେ ତାପରି କିମ୍ବା ତାଠାରୁ ଅଧିକ ଦୁଃଖରେ ଦୁଃଖୀ। ଦୁଃଖୀ ଆଗରେ ଦୁଃଖ କହିଲେ ସେତ କହିବ,”ଆରେ ଏ ତ ମୋଠାରୁ ଅଧିକ ପାପାଚାରୀ ଭାବି ସେ ସୁଖୀ ହେବ।”

ମଧ୍ୟବିତ୍ତ ଚାଷୀ ପରିବାର ର ଝିଅ ହେଉଛି ବୈଦେହୀ। ବାପା ଙ୍କର ଦୁଇ ଝିଅ ଙ୍କ ମଧ୍ୟରେ ବୈଦେହୀ ହେଉଛି ବଡ଼। ସାନ ଝିଅ ଉର୍ମିଳା କୁ ନେଇ ଏକ ଚାରିଜଣିଆ ପରିବାର ହେଉଛି ବାପା ସନ୍ତୋଷ ଙ୍କର। ପୁଅ ନଥିଲେ କଣ ହେଲା, ଦୁଇ ଝିଅ ଙ୍କର କୌଣସି କଥାରେ ହେଳା କରିନଥିଲେ ସନ୍ତୋଷ। ବଡ଼ ଝିଅ ବୈଦେହୀ ପାଇଁ ଜଣେ ସରକାରୀ କର୍ମଚାରୀ ଙ୍କ ସହିତ ବିବାହ ଠିକ କଲେ ସନ୍ତୋଷ । ବର ଘରର ଯୌତୁକ ଦାବି କିଛି ନଥିଲା, କେବଳ ଦୁଇ ଶହ ବରଯାତ୍ରୀ ଙ୍କୁ ଆପ୍ୟାୟିତ କରିବଥିଲା ଦାବି। କାହିଁକି ଅବା ମନା କରିବେ ସନ୍ତୋଷ? ଝିଅ ବୈଦେହୀ ର ଦାବି ଥିଲା ଅଲଗା। ନାରୀର ତ ବଡ଼ ଦୁର୍ବଳତା ହେଉଛି ସୁନା,ରୁପା ଓ ହୀରା ର ଅଳଙ୍କାର। ସନ୍ତୋଷ ମଧ୍ୟ କାହିଁକି ନାହିଁ କରିବ। ଦୁଇ ଝିଅ ଓ ସ୍ତ୍ରୀ ଙ୍କୁ ଡକାଇ ଏକାଠି କଥା ହେଲେ। ସନ୍ତୋଷ କହିବା ମୁତାବକ ବାର ଏକର ଥିବା ଚାଷ ଜମିକୁ ତିନି ଭାଗ କରିଦିଆଯିବ । ଦୁଇ ଝିଅ ତାଙ୍କ ଚାରି ଚାରି ଏକର ରେ ବିବାହ କରିବେ ଓ ଅନ୍ୟ ଚାରିଏକର ରେ ସେ ସ୍ୱାମୀ ସ୍ତ୍ରୀ ଚଳିବେ। ତାଙ୍କ ପରେ ସେ ଦୁଇ ଝିଅ ସେ ଜମିକୁ ଭାଗକରି ବାଣ୍ଟି ନେବେ।

ସନ୍ତୋଷ ଚାରି ଏକର ଚାଷ ଜମିକୁ ବିକି ବୈଦେହୀ ର ସୁନା ଅଳଙ୍କାର,ଭୋଜି ଭାତ ଓ ଆସବାବପତ୍ର କିଣା ରେ ଖର୍ଚ୍ଚ କଲେ। ମହା ଧୁମଧାମରେ ଭୋଜି ଭାତ ଚାଲିଲା। ରୋଷଣୀ ରେ ଗାଁ ଭୂଇଁ କମ୍ପି ଯାଉଥାଏ। ହାତ ଗଣ୍ଠି ସରିଲା। ରାତି ପାହିଲେ ଗୁରୁବାର। ଲକ୍ଷ୍ମୀ ଙ୍କ ବର ରେ ଘରୁ କିପରି ଲକ୍ଷ୍ମୀ ପ୍ରତିମା କୁ ବିଦା କରିବେ। ତେଣୁ ଗାଁ ର ସ୍ତ୍ରୀ ଲୋକମାନେ ନିଷ୍ପତ୍ତି ନେଲେ,”ବେଦୀ ରୁ ବର କନ୍ୟା ଉଠି ଘର ର ପିତୃ ପୁରୁଷ ଙ୍କୁ, ଗାଁ ର ଠାକୁରଙ୍କୁ ଦିଅଁ ଓଲଗି ଗାଁ ମୁଣ୍ଡ ପର୍ଯ୍ୟନ୍ତ ବରକନ୍ୟା ଯିବେ, ପୁଣି ଘରକୁ ଫେରି ଆସି ଗୁରୁବାର ଘରେ ରହି ଶୁକ୍ରବାର ଦିନ ଝିଅ ତାର ସମସ୍ତ ସାମଗ୍ରୀ ଧରି ଶାଶୁ ଘର ଯିବ । ସେୟା ହିଁ ହେଲା। ଗୁରୁବାର ଦିନ ଶ୍ୱଶୁର ଘରେ ଜ୍ୱାଇଁ ପୁଅ ର ଆଦର କାହିଁରେ କଣ! ଜ୍ୱାଇଁ ବି ନିଜକୁ କୃତ୍ୟ କୃତ୍ୟ ମଣୁଥାନ୍ତି। ବୈଦେହୀ ଘରେ ଅନ୍ୟ ଝିଅ ମାନଙ୍କ ସହିତ ରାତ୍ରି ଶୟନ କଲେ। ବାହାଘର ରେ କରିଥିବା ପରିଶ୍ରମ ଯୋଗୁଁ ସମସ୍ତେ ନିଘୋଡ଼ ନିଦ୍ରାରେ ଶୋଇପଡିଥିଲେ। ରାତି ପାହିଲା ବେଳକୁ ସମସ୍ତେ ଘରେ ଅଛନ୍ତି,କେବଳ ବୈଦେହୀ ନାହିଁ।ପ୍ରଥମେ କାହାକୁ କିଛି ନକହି ବୈଦେହୀ କୁ ଖୋଜା ପଡିଲା। କିନ୍ତୁ ସବୁ ପରିଶ୍ରମ ବୃଥା ହେଲା। ଶେଷ କୁ କଥା ଟା ଜ୍ୱାଇଁ ଙ୍କ କାନ କୁ ଗଲା। ଜ୍ୱାଇଁଙ୍କ ଘର ଲୋକମାନେ ଆସି ହାଜର ହେଲେ। ସନ୍ତୋଷ ଓ ତାଙ୍କ ସ୍ତ୍ରୀ ଙ୍କ ପାଦତଳୁ ମାଟି ଖସି ଗଲାପରି ଲାଗିଲା। ପାଟି ଅଠାଅଠା ହୋଇଗଲା। କିଏ କେତେ ପ୍ରକାର କହିଲା। କିଏ କହିଲା”ବୈଦେହୀ କୁ ରାବଣ ନେଇ ଲଙ୍କାପୁର ପଳାଇଛି ତ କିଏ କହିଲା ବିବି ଫେରାର ତ କିଏ କହିଲା ଯେତେ ଗୋରୀ ସେତେ ଷ୍ଟୋରୀ ।” ଶେଷକୁ କଥା ଗଲା ଥାନା କୁ। ଥାନାରେ ବୈଦେହୀ ନିଖୋଜ ବିଷୟରେ ସନ୍ତୋଷ ଏତଲା ଦେଲା। ଥାନାରେ ଉଭୟ ପକ୍ଷ ନିଷ୍ପତ୍ତି ନେଲେ ଯେ ବର ସାନ ଝିଅ ଉର୍ମିଳା କୁ ବିବାହ କରି ଘରକୁ ଫେରିବ। ଉର୍ମିଳା ଙ୍କ ରାଜିରେ ଗାଁ ର ଆରାଧ୍ୟ ଠାକୁର ରାଧାକୃଷ୍ଣ ଙ୍କ ସମ୍ମୁଖରେ ପୁଷ୍ପ ମାଲ୍ୟ ଅଦଳ ବଦଳ ସହିତ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା।

ଗଲା, ମଲା ସମାନ ଭାବି ସନ୍ତୋଷ ବୈଦେହୀ କଥା ଭୁଲିବାକୁ ଚେଷ୍ଟାକଲେ। ଆପୋଷ ସମାଧାନ ହୋଇଥିବା ଥାନା କୁ ଛଅ ଦିନ ପରେ ହଠାତ ଫୋନ ଆସିଲା କଟକ ର ଏକ ଗ୍ରାମାଞ୍ଚଳ ଥାନା ରୁ। ଏକ କବାଟ ବନ୍ଦ ଥିବା ଭଡା ଘରୁ ଏକ ଝିଅ ଉଦ୍ଧାର କରାଯାଇଛି। ଝିଅ ଟିର ବାପା ର ନାମ ସନ୍ତୋଷ।

ଥାନା ବାବୁ ଫୋନ ରଖିଛନ୍ତି କି ନାହିଁ ଏସ.ପି. ସାହେବ ସାଥେ ସାଥେ ଫୋନ କଲେ ଥାନା ଗାଡି ନେଇ ଝିଅ ଟିକୁ ଉଦ୍ଧାର କରି ମାମଲା କୁ ଅନୁଧ୍ୟାନ କରିବାପାଇଁ। ଥାନା ଗାଡ଼ିରେ ବସି ବୈଦେହୀ ଭାବୁଥିଲା କିପରି କାହାକୁ କହିବ ଯୁବକ ଟା ଗୋଟାଏ ଗୋମାଂସ ଭକ୍ଷି ଭିନ୍ନ ଜାତିର ବୋଲି।

ଥାନା ବାବୁ ଝିଅ ଟିର ଡାକ୍ତରୀ ମାଇନା ଗୋଟି ଗୋଟି କରି ସମସ୍ତ ତଥ୍ୟ ଲିପିବଦ୍ଧ କଲେ। ପ୍ରକୃତରେ ମୋବାଇଲ ମିସ କଲ ରୁ ଦୁଇଜଣ ଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ଦୀର୍ଘ ଦୁଇବର୍ଷ ଆଗରୁ। ପ୍ରେମିକ ନିଜର ପ୍ରକୃତ ନାମ ଗୁପ୍ତ ରଖି ନିଜକୁ ଅନିମେଶ ବୋଲି କହିଥିଲା ଓ କଟକ ରେ ତାଙ୍କର ଛଅ ଖଣ୍ଡ ବସ ଚାଲୁଛି ବୋଲି କହି ବୈଦେହୀ କୁ ନିଜ ପ୍ରେମ ଜାଲରେ ଫସାଇଥିଲା। ବିଳମ୍ବିତ ରାତ୍ରିରେ ମଝିରେ ମଝିରେ ବୈଦେହୀ ଙ୍କ ସହିତ ବୈଦେହୀ ଙ୍କ ଘରେ ବୈଦେହୀ ଙ୍କ ପରିବାର ଅଲକ୍ଷ୍ୟରେ ହିଁ ରାତି କଟାଇଛି ସେ ଯୁବକ। ପ୍ରେମ ନିଶାରେ ଜୁର ହୋଇଥିବା ବୈଦେହୀ କିପରି ସମସ୍ତ ଙ୍କ ଅଲକ୍ଷ୍ୟରେ ସମସ୍ତ ସୁନା ଗହଣା ନେଇ ସେ ଯୁବକ ସହିତ ଫେରାର ହୋଇଗଲା ସମସ୍ତ ଘଟଣା ବର୍ଣ୍ଣନା କଲା ବୈଦେହୀ। ସେହି ଠକ ପ୍ରେମିକ ତାର ବାପା ମାଆ ରାଗିବେ ବୋଲି କହି ଏକ ଭଡାଘରେ ରହି କିଛି ଦିନ ପରେ ଘରକୁ ନେଇଯିବ ବୋଲି କହିଲା। ବୈଦେହୀ କୁ ନିଶା ଔଷଧ ଦେଇ କେବଳ ପିନ୍ଧିଲା ଲୁଗା ଖଣ୍ଡିକୁ ଛାଡି ସବୁ ଅଳଙ୍କାର ତାଠାରୁ ଛଡାଇ ନେଇ ଫେରାର ହୋଇଗଲା ବୋଲି କହିଲାବେଳେ ଭୋଭୋ ହୋଇ କାନ୍ଦି ଉଠିଲା ବୈଦେହୀ।

ଥାନା ଗାଡି ବୈଦେହୀ କୁ ନେଇ ଯେତେବେଳେ ସନ୍ତୋଷ ଙ୍କ ଘର ଆଗରେ ଛିଡା ହୋଇ ଝିଅ କୁ ନିଜ ଘରକୁ ନେଇଯିବାକୁ କହିଲେ ସନ୍ତୋଷ ଥାନା ବାବୁ ଙ୍କୁ କହିଲା,” ଆଜ୍ଞା ଝିଅ କୁ ତ ଆଣିଦେଲେ ଜ୍ୱାଇଁ କାହିଁ? ଯେଉଁଦିନ ଜ୍ୱାଇଁ କୁ ପାଇବେ, ସେହିଦିନ ଝିଅ ଜ୍ୱାଇଁ ଦୁଇଜଣ ଙ୍କୁ ଧରି ଆସିବେ। ସେତେଦିନ ପର୍ଯ୍ୟନ୍ତ ଏ ଘର ଅଗଣା ରେ ବୈଦେହୀ ପାଇଁ ଲକ୍ଷ୍ମଣ ରେଖା ଟଣା ଯାଇଛି।” ଏ କଥା ଶୁଣି ଥାନା ବାବୁ ଙ୍କର ଅକଲ ଗୁଡୁମ। ବୈଦେହୀ କୁ ମାଆ ସୁଧାର ଘରକୁ ଆଣିଲେ ଛାଡିବା ପାଇଁ। ମାଆ ସୁଧାର ଗୃହ କୁ ଚାଲି ଚାଲି ଯାଉଥିବା ସମୟରେ ବୈଦେହୀ ଙ୍କ କାନରେ ଗୁଞ୍ଜୁରିତ ହେଉଥାଏ ବାପା ଙ୍କର ଶେଷ ପଂକ୍ତି ଟି,”ଏ ଘର ଅଗଣା ରେ ବୈଦେହୀ ପାଇଁ ଲକ୍ଷ୍ମଣ ରେଖା ଟଣା ଯାଇଛି।”

ସିଦ୍ଧି ପ୍ରସାଦ ସାହୁ

Leave A Reply

Your email address will not be published.

sixteen − 11 =